ବନ୍ତଳା: ଅନୁଗୁଳ ବନାଞ୍ଚଳରେ ଥମୁନି ହାତୀ ଆତଙ୍କ। ଆଜି ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଜୀବନ ଯାଇଛି। ଯୁବକ ଜଣକ ଚାଲି ଚାଲି ଘରକୁ ଫେରିବାବେଳେ ବାଟରେ ଏକ ଦନ୍ତାହାତୀ ତାଙ୍କୁ ଦଳି ମାରିଦେଇଛି। ଏଥିଯୋଗୁଁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ଉପରେ ଶବ ରଖି ଘଟଣାର ପ୍ରତିବାଦ କରିଥିଲେ। ସୂଚନା‌ ମୁତାବକ, ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସନର ଶଙ୍ଖପୁର ଗାଁ ଡିହପଦାସାହିର ବଂଶୀଧର ଦାସ(୪୧) ରାଜମିସ୍ତ୍ରି କାମ କରୁଥିଲେ। ଆଜି ସେ ଗାଁ ନିକଟରେ ଏକ ଘର ନିର୍ମାଣ କାର୍ଯ୍ୟ ସାରି ଚାଲି ଚାଲି ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାବେଳେ ଘରକୁ ଫେରୁଥିଲେ। ସେ କାଳିଆପଶି ନିକଟରେ ପହଞ୍ଚିଥିବାବେଳେ ଏକ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ରାସ୍ତା ଉପରୁ ଶୁଣ୍ଢରେ ଟେକିନେଇ ଫୋପାଡ଼ି ଦେବା ସହ ବିଲ ଭିତରେ ତାଙ୍କ ମୁଣ୍ଡକୁ ଦଳି ଦେଇଥି‌ଲା। ସେହି ରାସ୍ତା ଦେଇ ଯା’ଆସ କରୁଥିବା ଲୋକମାନେ ବିଲ ଭିତରେ ତାଙ୍କ ମୃତଦେହ ପଡ଼ିଥିବା ଦେଖି ତାଙ୍କ ପରିବାରକୁ ଜଣାଇଥିଲେ। ଖବରପାଇ ସେଠାରେ ଶହ ଶହ ଲୋକ ରୁଣ୍ଡ ହୋଇଯାଇଥିଲେ।  

Advertisment

ବନ୍ତଳା ଛକରେ ପ୍ରବଳ ଉତ୍ତେଜନା
ଶବ ରଖି ରାସ୍ତା ଅବରୋଧ
ଅଟକିଲା ଶହଶହ ଗାଡ଼ି

ବନ୍ତଳା ଅଞ୍ଚଳରେ ହାତୀ ଉପଦ୍ରବ ଥମୁ ନଥିବାରୁ ଲୋକମାନେ ତାତିଥିଲେ। ସନ୍ଧ୍ୟାରେ ବନ୍ତଳା ଛକରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ପୁରୁଣା କଟକ - ସମ୍ବଲପୁର ରାସ୍ତା ଓ କରତପଟା- ଅନୁଗୁଳ ରାସ୍ତାର ଦୁଇ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଥିଲା। ସ୍ଥାନୀୟ ଲୋକମାନେ ବିଭିନ୍ନ ଦାବିରେ ରାସ୍ତା ଅବରୋଧ କରିଥିଲେ। ବନ୍ତଳା ଥାନା ପୁଲିସ ସେଠାରେ ପହଞ୍ଚିଥିଲା। ସେହିପରି ଅନୁଗୁଳ ବନାଞ୍ଚଳ ଅଧିକାରୀ ହରମୋହନ ନାୟକଙ୍କ ସହିତ କରତପଟା ସେକ୍ସନ୍‌ର ବନପାଳ ଲଳିତ କୁମାର ବେହେରା ଓ ଅନ୍ୟ ବନ କର୍ମଚାରୀମାନେ ବନ୍ତଳା ଛକରେ ପହଞ୍ଚିଥିଲେ। ଲୋକମାନେ ବନ କର୍ମଚାରୀମାନଙ୍କୁ ଦେଖି ଅଧିକ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ। ସେମାନେ ମୃତଦେହକୁ ବନ ବିଭାଗର ଗାଡ଼ି ଉପରେ ରଖି ପ୍ରତିବାଦ କରିଥିଲେ। ବନାଞ୍ଚଳ ଅଧିକାରୀଙ୍କୁ ଠେଲାପେଲା କରିଥିଲେ। ହାତୀ ଆଉ କେତେ ଜୀବନ ନେଲେ ବିଭାଗ ଚେତିବ ବୋଲି ପ୍ରଶ୍ନ କରିଥିଲେ। ଉପରିସ୍ଥ ଅଧିକାରୀ ସେଠାକୁ ଆସି ଆଲୋଚନା କରନ୍ତୁ ବୋଲି ଦାବି କରିଥିଲେ।