ବଣାଇଗଡ଼ : ବଣାଇ ବନଖଣ୍ଡର ଜଙ୍ଗଲତଳି ଅଞ୍ଚଳରେ ରହିଥିବା ଗ୍ରାମଗୁଡ଼ିକରେ ଗତ ୧୫ ଦିନରୁ ଊର୍ଦ୍ଧ୍ବ ହେବ ଏକ ଗୋଠଖଣ୍ଡିଆ ଦନ୍ତାହାତୀ ତା’ର ଉପଦ୍ରବ ଜାରି ରଖିଥିବା ବେଳେ ଗ୍ରାମବାସୀ ଆତଙ୍କିତ ହୋଇ ରହୁଛନ୍ତି। ମଙ୍ଗଳବାର ଦିନ ଦନ୍ତାହାତୀଟି ତଳିତା ଗ୍ରାମର ଜଣଙ୍କ ଘର ଭାଙ୍ଗି ଦେଇଥିବା ବେଳେ ଗତକାଲି ପୁଣି ସେହି ହାତୀ ନୂଆପାଲି ଜଙ୍ଗଲରୁ ସଂଧ୍ୟା ହେବା ପରେ ବାହାରି ଦରେଇକେଳା ଗ୍ରାମର ଚନ୍ଦ୍ରାବତୀ ପାତ୍ରଙ୍କ ଘରଭାଙ୍ଗି ରୋଷେଇ ହୋଇଥିବା ବିଭିନ୍ନ ଖାଦ୍ୟ ପଦାର୍ଥ ଖାଇ ନଷ୍ଟ କରିଦେଇଥିଲା।
/sambad/media/post_attachments/wp-content/uploads/2022/01/2d782ae9-3b81-4a58-817b-3d2c3a160a3e.jpg)
ଗ୍ରାମବାସୀ ଓ ବଣାଇ ବନବିଭାଗ ମିଳିତ ଭାବେ ନିଆଁଜାଳି ହାତୀ ଘଉଡ଼ାଇବା ବେଳେ ଦନ୍ତାହାତୀଟି ପୁଣି ବାବୁ ନୂଆଗାଁ ଗ୍ରାମ ବର୍ଡାବାହାଳ ରାସ୍ତା ଦେଇ ନରେନ୍ଦ୍ର ବାଲିଘାଟ ବ୍ରାହ୍ମଣୀ ନଦୀ ପାର ହେଇ ଅପରପାର୍ଶ୍ଵରେ ଥିବା ରାଉଲକେଲା ବନଖଣ୍ଡ ରାଜାମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁରୁପତଳା ଗ୍ରାମର ରୂପଧର କିଷାନ, ଦଶରଥ କିଷାନ, ରାମେଶ୍ବର କିଷାନ, ସୁରେନ୍ଦ୍ର କିଷାନଙ୍କ ବାସଗୃହ, ପାଚେରି ପ୍ରମୁଖ ଭାଙ୍ଗି ଦେଇଥିଲା। ପରେ ହାତୀଟି ପତ୍ରାପାଲି, ଭାଲିଆଡିହି ଗ୍ରାମ ଦେଇ ଧମଣାଧର ଜଙ୍ଗଲକୁ ଚାଲି ଯାଇଥିଲା।
ସେହିପରି ଆଜି ସନ୍ଧ୍ୟାରେ ହାତୀଟି ପୁନର୍ବାର ବଣାଇ ବନଖଣ୍ଡ ଅଞ୍ଚଳକୁ ଆସି ତା’ର ଉତ୍ପାତ ଜାରି ରଖିଛି। ହାତୀ ଭୟରେ ସଂଧ୍ୟା ହେଲେ ଲୋକେ ଆତଙ୍କିତ ଅବସ୍ଥାରେ ସୁରକ୍ଷିତ ସ୍ଥାନକୁ ଚାଲିଯାଇ ରାତିସାରା ଜଗି ରହୁଛନ୍ତି। ହାତୀକୁ ଅଚେତ କରାଯାଇ ଏଠାରୁ ଅନ୍ୟତ୍ର ପଠାଇବା ପାଇଁ ବନବିଭାଗକୁ ଜଣାଇ ଆସୁଥିଲେ ମଧ୍ୟ କାହାରି ଦୃଷ୍ଟି ପଡୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/6f52ddbf-f96c-4079-a813-3af4d9c7e942.jpg)