ତେଲକୋଇରେ ଥମୁନି ହାତୀ ଉପଦ୍ରବ: ହାଲପୋଡିରେ ଘର ଭାଙ୍ଗି ଧାନ ଓ ପନିପରିବା ଖାଇଲା

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ଦନ୍ତାହାତୀର ଉପଦ୍ରବ ଥମୁନି। ତେଲକୋଇ ବନାଞ୍ଚଳରେ ମୋଟ ୩ଟି ହାତୀ ରହିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ବନ୍ଧନଝରୀ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଦନ୍ତାହାତୀ ଓ ଗୋଟିଏ ମାଈ ହାତୀ ଏବଂ ଶିରିଆବାହାଳ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଦନ୍ତାହାତୀ ରହିଛନ୍ତି। ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ହାତୀଗୁଡିକ ଗାଁକୁ ପଶି ଉପଦ୍ରବ ଆରମ୍ଭ କରିଦେଉଥିବା ଦେଖିବାକୁ ମିଳୁଛି। ଗତକାଲି ରାତିରେ ହାଲପୋଡି ଗ୍ରାମରେ ଏକ ଦନ୍ତାହାତୀ ପଶି ଗୀତା ନାୟକଙ୍କ ଘର ଭାଙ୍ଗି ଧାନ, ଚାଉଳ ଓ ରୋଷେଇ ଘର ହାଣ୍ଡିରୁ ଭାତ ଖାଇଦେଇଛି। ପ୍ରଫୁଲ୍ଲ ମହାନ୍ତ ଓ ମହୁର ନାୟକଙ୍କ ବଗିଚାରେ ପଶି ପନିପରିବା ଖାଇବା ସହ ମାଡିଦଳି ନଷ୍ଟ କରିଥିବା ବନବିଭାଗ ନିକଟରେ ଅଭିଯୋଗ କରିଛନ୍ତି।

ହାତୀଗୁଡିକ କିଛି ଦିନ ହେଲା ଆକୁଳ, ଭୀମକାଣ୍ଡ, ଉଦୟଗିରି, ଦେଉଳଡିହା, ନୂଆଗଡ, ଦୋବଲାପାଳ, ଗୋଳାବନ୍ଧ, ସରୁଆଳୀ, ଶିରିଆବାହାଳ, ଜଗମୋହନପୁର, ଖୁଣ୍ଟାପଡା, କନ୍ତଲେଇ, ଦୁଲ୍ଲଭପୁର, କୁଲାଡେରା, ପଡାଙ୍ଗ, କୁଣ୍ଢେଇହତା, ରାଇସୁଆ, ରାଣୀବେଡା, ପୁରୁଯୋଡା, ପାଟଖଳୀ, ସିନ୍ଦୁରିଆ ପ୍ରଭୃତି ଗ୍ରାମ ଗୁଡିକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ସନ୍ଧ୍ୟା ହେଲେ ଲୋକମାନେ ହାତୀ ଭୟରେ ଆତଙ୍କିତ ହୋଇପଡୁଛନ୍ତି। ତେବେ ବନବିଭାଗ ପକ୍ଷରୁ ହାତୀଗୁଡିକର ଗତିବିଧି ଉପରେ ହାତୀ ସ୍କ୍ବାଡ଼୍ ସ୍ବତନ୍ତ୍ର ଦୃଷ୍ଟି ରଖିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା କରାଯାଇଛି ବୋଲି ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର