ଅନୁଗୁଳ/ ସମ୍ବଲପୁର: ଆଜି ହାତୀ ଆକ୍ରମଣରେ ଦୁଇଜଣଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ଆଜି ହାତୀ ଆକ୍ରମଣରେ ପୁଣି ଜଣଙ୍କ ଜୀବନ ଯାଇଛି। ବନ୍ତଳା ଥାନା ବାରଗୌଣିଆ ଗ୍ରାମର ସୁଦାମ ପ୍ରଧାନ(୪୨)ଆଜି ସକାଳୁ ଆମ୍ବ ଗୋଟାଇବା ପାଇଁ ଆମ୍ବ ବଗିଚା କୁ ଯାଇଥିଲେ।ତେବେ ସେଠାରେ ପୂର୍ବରୁ ଏକ ଦନ୍ତା ହାତୀ ରହିଥିବା ସୁଦାମ ଜାଣି ପାରିନଥିଲେ। ସେହି ଦନ୍ତା ଆକ୍ରମଣରେ ସୁଦାମଙ୍କ ପ୍ରାଣ ଯାଇଥିବା ସୂଚନା ମିଳିଛି। ପୂର୍ବରୁ ତଳଗଡ଼ ଓ କନ୍ତମେଘ ଗ୍ରାମରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଯାଇଥିଲା ବେଳେ ଗତକାଲି ବାଘୁଆପାଟ ଜଙ୍ଗଲରେ ଜଣେ ମୃତ୍ୟୁବରଣ କରିଥିଲେ। ବନ୍ତଳା ଅଞ୍ଚଳରୁ ଦେଢ଼ ମାସରେ ହାତୀ ୪ଟି ଜୀବନ ନେଇଛି ।

Advertisment

publive-image
ଅପରପକ୍ଷରେ ସମ୍ବଲପୁର ଜିଲ୍ଲା ସଦର ରେଞ୍ଜ ଭୀମଖୋଜ ସେକ୍ସନ ଗୋବର୍ଦ୍ଧନ ବଡ଼ମାଲ ବିଟ କୁଲଶର ବରଙ୍ଗାମାଲ ରାସ୍ତା ମଧ୍ୟରେ ଗୁରୁବାର ରାତିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ନୁଆବାରଙ୍ଗାମାଲ ଗାଁର ଇନ୍ଦ୍ରଜିତ ଷଣ୍ଢ ଓରଫ( ଆଶାଢୁ) (୪୮)। ଆଶାଢୁ ଗୋବର୍ଦ୍ଧନ ବଡ଼ମାଲ ଗାଁର ମୂଳ ନିବାସୀ ହୋଇଥିବା ବେଳେ ନୁଆବରଙ୍ଗାମାଲ ଗାଁରେ ଘର ଜ୍ୱାଇଁ ଥିଲେ । ସେ ଜଣେ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ କାମ ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ଆଜି ସକାଳେ ଗ୍ରାମବାସୀ ସେହି ସ୍ଥାନରେ ପଡ଼ିଥିବାର ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।