ହାତୀ ଆକ୍ରମଣ: ପ୍ରତି ସପ୍ତାହରେ ମୁଣ୍ଡ ଗଡ଼ୁଛି

ଅନୁଗୁଳ : ହାତୀ ଆକ୍ରମଣରେ ଗତକାଲି ଅନୁଗୁଳ ଜିଲ୍ଲା ବସଲା ପଂଚାୟତ ଅନ୍ତର୍ଗତ ଲୋକେଇପଶି ଗାଁର ସିଦ୍ଧେଶ୍ବର ସେଠୀ (୬୫) ପ୍ରାଣ ହରାଇଛନ୍ତି। ଗତକାଲି ନିକଟସ୍ଥ ନାଳକୂଳେ ସେ ଜାଳେଣି କାଠ ସଂଗ୍ରହ କରୁଥିବା ବେଳେ ହାତୀ ଦଳି ଦେଇଥିଲା। ଆଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଜାନୁଆରି ମାସର ଶେଷଦିନରେ ତାଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ତାଙ୍କୁ ମିଶାଇ ମାସକ ମଧ୍ୟରେ ଢେଙ୍କାନାଳ-ଅନୁଗୁଳର ୮ଜଣ ହାତୀ ଆକ୍ରମଣରେ ପ୍ରାଣ ହରାଇସାରିଲେଣି। ଅନୁଗୁଳ ଜିଲ୍ଲାରୁ ୬ ଜଣ ଓ ଢେଙ୍କାନାଳ ଜିଲ୍ଲାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁସଂଖ୍ୟାକୁ ହିସାବକୁ ଆଣିଲେ, ପ୍ରତି ସପ୍ତାହରେ ୨ଜଣଙ୍କର ମୃତ୍ୟୁ ହେଉଛି। ମାତ୍ର, ଏଥିପ୍ରତି ବନ ବିଭାଗ ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି।

ଜାନୁଆରି ପହିଲାରେ ଅନୁଗୁଳ ବ୍ଲକ୍‌ ବନ୍ତଳା ବନାଞ୍ଚଳ ହମାମିରା ଗ୍ରାମର ନିତ୍ୟା ଗୋଛାୟତ(୫୫)ଙ୍କୁ ଦନ୍ତା ଦଳି ମାରି ଦେଇଥିଲା। ସେ ନିକଟସ୍ଥ କନ୍ତାମିଲ ଗାଁରୁ ଫେରୁଥିଲାବେଳେ ହାତୀ ତାଙ୍କୁ ପ୍ରାୟ ୧ କିମି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଲା ପରେ କଚାଡ଼ି ଦେଇଥିଲା। ସପ୍ତାହକ ପରେ ଏକ ମାଖନା ହାତୀ ତାଣ୍ଡବ ରଚିଥିଲା। ୭ ତାରିଖରେ ଏହି ହାତୀ ଅନୁଗୁଳ ସହର ଉପକଣ୍ଠ ଛେଳିଆପଡ଼ା ତାଳବୁରି ସାହିର ଚାଷୀ ସୁବାସ ବିଶ୍ବାଳ(୬୦)ଙ୍କୁ ତାଙ୍କ ମାରିଥିଲା। ପରେ ଅନୁଗୁଳ ବ୍ଲକ୍‌ ଅଙ୍ଗାରବନ୍ଧ ଗାଁ ଚାଷୀ ଅନିରୁଦ୍ଧ ସାହୁ(୫୪) କ୍ଷେତକୁ ଯାଇଥିଲାବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଶୁଣ୍ଢରେ ହାତୀ ତାଙ୍କୁ ମାରି ମାଟିରେ ମୁଣ୍ଡକୁ ପୋତି ଦେଇଥିଲା। ଅଙ୍ଗାରବନ୍ଧ ପଞ୍ଚାୟତର ବାରସିଂହା ଗାଁର ରମେଶ ସ୍ବାଇଁ ଘର ପାଖକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ତାଙ୍କୁ ଫିଙ୍ଗି ଦେଇଥିଲା। ଫଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଶେଷରେ ବଅଁରପାଳ ବ୍ଲକ୍‌ ସନ୍ତ୍ରୀ ଗାଁର ଅଜୟ ସାମଲଙ୍କୁ ଦଳିଚକଟି ମାରିଥିଲା ଏହି ମାଖନା। ଗୁରୁତର ଅବସ୍ଥାରେ ଅଜୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ, ବାଟରେ ଅଜୟ ଆଖି ବୁଜିଥିଲେ। ଆଉ ମାସର ଶେଷ ଦିନରେ ବସଲାରେ ମଣିଷ ମାରିଛି ହାତୀ। ଏମିତି ଦେଖିଲେ ପ୍ରତି ସପ୍ତାହରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

ପୂର୍ବରୁ ହାତୀ ଆକ୍ରମଣରେ ୨୦୧୮-୧୯ରେ ୨ଜଣ, ୨୦୧୯-୨୦ରେ ୨୪ ଜଣ, ୨୦୨୦-୨୧ରେ ୧୪ ଜଣ ଓ ୨୦୨୧-୨୨ରେ ୧୨ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଏଥର ବର୍ଷ ଆରମ୍ଭରୁ ହାତୀର ହିଂସ୍ର ରୂପ ଦେଖି ଲୋକମାନେ ତ୍ରାହି ତ୍ରାହି ଡାକିଲେଣି। କିନ୍ତୁ ଆଶ୍ଚର୍ଯ୍ୟର କଥା, ହାତୀଙ୍କୁ ଜବନସତିରୁ ଘଉଡ଼ାଇବା ପାଇଁ ବନବିଭାଗ ସେମିତି କିଛି ଠୋସ୍‌ ପଦକ୍ଷେପ ନେଉନି। ଏପରିକି ହାତୀପଲକୁ ଆଉ ଟ୍ରାକ୍‌ କରା ନ ଯାଇ ଛାଡ଼ି ଦିଆଯାଇଛି। କେଉଁ ଅଞ୍ଚଳରେ ହାତୀ ଅଛନ୍ତି ଓ କୁଆଡ଼େ ଯାଉଛନ୍ତି ସେଥିନେଇ ବନବିଭାଗ ଖବର ରଖୁନି କି ଲୋକମାନଙ୍କୁ ସଚେତନ କରୁନି। ଆଉ ଏହାର ଫଳ ଭୋଗୁଛନ୍ତି ସାଧାରଣ ଲୋକେ। ଲୋକଙ୍କୁ ଭାଗ୍ୟ ଭରସାରେ ବଞ୍ଚିବାକୁ ଛାଡ଼ି ଦେଇ ବନବିଭାଗ ଏକଦମ୍ ବେଫିକର ହୋଇଯାଇଥିବାରୁ ଲୋକଙ୍କ ଜୀବନ ବାଜିରେ ଲାଗିଛି।

ସମ୍ବନ୍ଧିତ ଖବର