ନିରାକାରପୁର : ଦିନକୁ ଦିନ ଟାଙ୍ଗୀ ରେଞ୍ଜ୍ ଅନ୍ତର୍ଗତ ରାମେଶ୍ବର. ବଡ଼ପୋଖରିଆ, ଅଚ୍ୟୁତପୁର, କମାଗୁରୁ, ଓଳସିଂହ, ଗୋଡିପଡା, ଗୋଳବାଇ, ନିରାକାରପୁର, ଡିଆ ଆଦି ପଞ୍ଚାୟତରେ ହାତୀପଲଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ତେବେ ନିକଟବର୍ତୀ ଜଙ୍ଗଲରୁ ଯେଭଳି ହାତୀ ଗ୍ରାମାଞ୍ଚଳକୁ ନ ଆସିବେ ସେଥିପାଇଁ ଖାଇ (ଟ୍ରେଞ୍ଚ) ଖୋଳା ଚାଲିଥିଲେ ମଧ୍ୟ କାମ ସରୁ ନାହିଁ। ଟ୍ରେଞ୍ଚ ଖୋଳା ସରିବା ନେଇ ଅନିଶ୍ଚିତତା ଥିବାବେଳେ ଇତିମଧ୍ୟରେ ୨୫ରୁ ଅଧିକ ହାତୀପଲ ନିକଟସ୍ଥ ଚିତ୍ରକୁଟ ପାହାଡ଼ ସଂଲଗ୍ନ ଦେଇ ଆସି ଏହି ସବୁ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି। ଦିନବେଳେ ଟୁବୁରୀ, ଚିତ୍ରକୁଟ, ଶ୍ୟାମକଳସ ପାହାଡ ସମେତ ଖଜୁରୀଆ ଗିରିଡି ବଣିଆ, ବଡପୋଖରିଆ, ଓଳସିଂହ, ଗୟାବନ୍ଦ କାଜୁଜଙ୍ଗଲ ଆଦି ଅଂଚଳରେ ଏହି ହାତୀଗୁଡ଼ିକ ଲୁଚି ରହୁଛନ୍ତି। ସନ୍ଧ୍ୟା ହେଲେ ଫସଲ ଖାଇବା ଉଦେଶ୍ୟରେ ଗ୍ରାମାଭୀମୁଖି ହେଉଛନ୍ତି। ବାଡ଼ିବଗିଚା ନଷ୍ଟ କରିବା ସହିତ ଧାନ ଜମିରେ ପଶି ଗଜା ଥୋଡୁଅ ଧାନକୁ ଦଳି ଚକଟି ନଷ୍ଟ କରୁଛନ୍ତି। ଚଳିତ ବର୍ଷ ଏହି ଅଞ୍ଚଳରେ ୫୦ ଏକରରୁ ଅଧିକ ଧାନଜମିରେ ହାତୀ ଫସଲ ନଷ୍ଟ କରିସାରିଲେଣି। ଏପରିକି ୧୬ ନମ୍ବର ଜାତୀୟ ରାଜପଥ ଏବଂ ନୂଆ ଜଗନ୍ନାଥ ସଡକରେ ହାତୀପଲ ଦେଖିବାକୁ ମିଳୁଥିବାରୁ ସ୍ଥାନୀୟ ଲୋକେ ଏବଂ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ଭୟଭୀତ ହେଉଛନ୍ତି।
ହାତୀପଲଙ୍କ କବଳରୁ ଗ୍ରାମବାସୀ ଓ ସ୍ଥାନୀୟ ଚାଷଜମିସବୁର ସୁରକ୍ଷା ପାଇଁ ୨ରୁ ୩ବର୍ଷ ତଳେ ସ୍ଥାନୀୟ ଚିତ୍ରକୁଟ ପାହାଡ଼ର ପାଦଦେଶରେ ବନ ବିଭାଗ ଟ୍ରେଞ୍ଚ ଖୋଳିଥିଲା। କିନ୍ତୁ ଏହି କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିଛି। ପ୍ରାୟ ୧୦କି.ମି. ଟ୍ରେଞ୍ଚ ଖୋଳାଯିବାକୁ ଥିବାବେଳେ ମାତ୍ର ୬ରୁ ୭କିମି.ଖୋଳାଯାଇଛି। ତେଣୁ ହାତୀପଲ ବାକି ଥିବା ଅଂଶ ଦେଇ ଗ୍ରାମ ଓ ଚାଷ ଜମିରେ ପ୍ରବେଶ କରୁଛନ୍ତି। ଟ୍ରେଞ୍ଚ ଖୋଳା ଅସଂପୂର୍ଣ୍ଣ ଥିବାବେଳେ ବିଭାଗୀୟ ଅବହେଳା ଯୋଗୁଁ ଖୋଳାଯାଇଥିବା ଟ୍ରେଞ୍ଚର କିଛି ଅଂଶ ପୋତି ହୋଇଯାଇଥିବା ଦେଖିବାକୁ ମିଳିଛି। ଏ ନେଇ ଟାଙ୍ଗୀ ରେଞ୍ଜର୍ ଅଜୟ କୁମାର ଜଗଦ୍ଦେବଙ୍କୁ ପଚାରିବାରେ ପୂର୍ବରୁ ଖୋଳାଯାଇଥିବା ଟ୍ରେଞ୍ଚ ସଂକ୍ରାନ୍ତ ତଥ୍ୟ ତାଙ୍କ ପାଖରେ ନାହିଁ। ତେବେ ସଂପୂର୍ଣ୍ଣ ଟ୍ରେଞ୍ଚ ଖୋଳା ପାଇଁ ସେ ବନ ବିଭାଗକୁ ଚିଠି ଲେଖିଥିବା କହିଛନ୍ତି।