ରାୟଗଡା: ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସୀମା ନିକଟ ରାୟଗଡ଼ାରୁ ପାର୍ବତୀପୁରମକୁ ଯାତାୟାତ କରୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ (ଶ୍ରୀବିଜୟ ଦୁର୍ଗା)କୁ ଆଜି ଦିନ ପ୍ରାୟ ୧୨.୩୦ ମିନଟ ସମୟରେ ଏକ ଜଂଗଲୀ ହାତୀ ଅଟକାଇଛି। ପାର୍ବତୀପୁରମ ଠାରୁ ୫, କିମି ପୁର୍ବରୁ ଆର୍ଥମ ଗାଁ ନିକଟରେ ଥିବା କାଲିକୁଟା ଛକ ନିକଟରେ ରାସ୍ତା ମଝିରେ ଅଟକାଇ ଉପଦ୍ରବ କରୁଥିବା ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି।
ସୂଚନା ମୁତାବକ ଉକ୍ତ ଅଞ୍ଚଳରେ ପନିପରିବା ତଥା କଦଳୀ ଚାଷ ବହୁଳ ଭାବରେ ହେଉଥିବା ବେଳେ ଏହି ଅଞ୍ଚଳରେ ଅନେକ ସମୟରେ ହାତୀ ଆତଙ୍କ ଦେଖିବାକୁ ମିଳୁଥିବା ସୂଚନା ମିଳୁଛି। ଜଙ୍ଗଲ ଯେଉଁଭଳି ଭାବରେ କଟାଯାଇ ପଦା କରାଯାଉଛି ଏବଂ ଜଂଗଲରେ ଖାଦ୍ୟାଭାବ ଦେଖାଦେବା ଯୋଗୁଁ ପ୍ରାୟତଃ ଜଂଗଲି ଜନ୍ତୁ ଗାଁ ମୁହାଁ ହେଉଛନ୍ତି। ଆନ୍ଧ୍ର-ଓଡିଶା ସୀମାନ୍ତରେ ଜଂଗଲ ରହିଥିବା ବେଳେ ହାତୀପଲ ବିଭିନ୍ନ ସମୟରେ ଓଡିଶାରୁ ଆନ୍ଧ୍ର ଏବଂ ଆନ୍ଧ୍ରରୁ ଓଡିଶା ମୁହାଁ ହୋଇଥାନ୍ତି। ଅର୍ଥମ ଗାଁ ନିକଟରେ ଜଂଗଲ ରହିଥିବା ଯୋଗୁଁ ବହୁ ସମୟରେ ଏହି ଗାଁକୁ ହାତୀମାନେ ଖାଦ୍ୟ ଅନ୍ବେଷଣରେ ଚାଲି ଆସନ୍ତି।
ଆଜି ସକାଳୁ ଏକ ଦନ୍ତା ଗାଁ ନିକଟରେ ବୁଲୁଥିବା ଲୋକେ ଦେଖିଥିଲେ। ପରେ ହାତୀଟି ଗାଁ ମୁଖ୍ୟ ଛକ ନିକଟକୁ ଆସି ରାସ୍ତା ଉପରେ ଉପଦ୍ରବ ମଚାଇଥିଲା। ରାୟଗଡା କଲ୍ୟାଣସିଂହପୁର ଠାରୁ ପାର୍ବତୀପୁରମ ଯାଉଥିବା ଏକ ଘରୋଇ ବସକୁ ଅଟକାଇ ନାହିଁ ନଥିବା ହଇରାଣ କରିଥିଲା। ଏପରିକି ହାତୀକୁ ଘଉଡାଇବାକୁ ଯିବା ବେଳେ କିଛି ଲୋକଙ୍କ ଉପରେ ହାତୀ ଆକ୍ରମଣ କରିଥିଲା। କିନ୍ତୁ କୌଣସି ଲୋକର କିଛି କ୍ଷତି ହୋଇନଥିବା ଦେଖିବାକୁ ମିଳିଛି। ବସରେ ବସିଥିବା ଲୋକେ ଭୟଭୀତ ହୋଇପଡ଼ିଥିଲେ।ବସ୍ଟି ହାତୀ ଠେଲିବାକୁ ଲାଗିଲା। ବସ୍ର ସମ୍ମୁଖରେ ଥିବା କାଚ ସଂପୂର୍ଣ୍ଣ ଭାଙ୍ଗିଯାଇଥିଲା। ଦୀର୍ଘ ସମୟ ଧରି ରାସ୍ତାରେ ଲୋକଙ୍କୁ ହଇରାଣ କରିବା ପରେ ବନ ବିଭାଗ ପହଞ୍ଚି ହାତୀକୁ ଘଉଡାଇବାକୁ ଚେଷ୍ଟା କରିଥିଲା। ତେବେ ଏହି ହାତୀ ଓଡିଶା ମୁହାଁ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ରାୟଗଡା ବନ ବିଭାଗ ଏଥିପ୍ରତି ସତର୍କ ରହିଥିବା ଜଣେ ଅଧିକାରୀ କହିଛନ୍ତି।