ଚିତ୍ରଡ଼ା: ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକ୍ ସୁରେଇଡିହି ପଞ୍ଚାୟତ ଚାକୁଣ୍ଡାପଦା ଗ୍ରାମରେ ବିଳମ୍ବିତ ରାତିରେ କୂଅ ଭିତରେ ହାତୀ ଶାବକ ଖସିପଡ଼ିଥିବାର ଖବର ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ବନବିଭାଗର କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ରାସଗୋବିନ୍ଦପୁର ରେଞ୍ଜ ଅଧିନ ସୁରେଇଡ଼ିହି ପଞ୍ଚାୟତ ଚାକୁଣ୍ଡାପଦା ଗ୍ରାମରେ ଏକ କୂଅ ଭିତରେ ଏକ ହାତୀଛୁଆ ପଡ଼ିଯିବା ପରେ ରାତିତମାମ ହାତୀପଲ ଚାକୁଣ୍ଡାପଦା ଗାଁରେ ତଣ୍ଡବଲୀଳା ରଚିଛନ୍ତି।
ଖବରରୁ ପ୍ରକାଶ କି ଉକ୍ତ ଅଞ୍ଚଳରେ ଏକ ୧୫ ଟିକିଆ ହାତୀପଲ ଗତ କିଛି ଦିନଧରି ବିଚରଣ କରୁଥିବା ବେଳେ ସବୁଦିନଭଳି ଶନିବାର ମଧ୍ୟ୍ୟ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଚାକୁଣ୍ଡାପଦା ଗାଁରେ ପ୍ରବେଶ କରିଥିଲେ। ତେବେ ଗ୍ରାମର ଭୁଟା ପାତ୍ରଙ୍କ ଘର ନିକଟରେ ଥିବା ଏକ ଉନ୍ମୁକ୍ତ କୂଅରେ ଏକ ହାତୀଛୁଆ ପଡ଼ିଯାଇଥିଲା। ଆଉ ଏହାପରେ ଆରମ୍ଭ ହୋଇଯାଇଥିଲା ହାତୀପଲଙ୍କ ଦୌରାତ୍ମ୍ୟ। ଘଟଣାସ୍ଥଳରେ ବନବିଭାଗ, ଅଗ୍ନିଶମ ବିଭାଗର ବାରିପଦା ଏବଂ ବେତନଟୀରୁ ଆସିଥିବା ଦୁଇଟି ଟିମ୍ ଉପସ୍ଥିତ ରହିଥିଲେ ସୁଦ୍ଧା ହାତୀପଲ କୂଅ ନିକଟକୁ କାହାରିକୁ ଆସିବାକୁ ଦେଉ ନାହାନ୍ତିl ପୁନଶ୍ଚ ହାତୀଛୁଆ କୂଅରେ ପଡ଼ିଯିବାପରେ ପୁରା ହାତୀପଲ ଉଗ୍ର ହୋଇପଡ଼ିଛନ୍ତି।
ଗ୍ରାମର ଭୁଟା ପାତ୍ରଙ୍କ ଘର ସମେତ ଲକ୍ଷ୍ମଣ ମହାନ୍ତ, କାମେଶ୍ୱର ମହାନ୍ତ, ଦଶରଥ ମହାନ୍ତ, ନୀଳକଣ୍ଠ ପାତ୍ର, ଜନନୀ ପାତ୍ର ଏବଂ ବୈକୁଣ୍ଠ ପାତ୍ରଙ୍କ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତିl ଏପଟେ ହାତୀପଲ ଉଦ୍ଧାର କରିବାକୁ ଯାଉଥିବା ବନବିଭାଗକୁ ଗୋଡ଼ାଇବା ସହିତ ବନବିଭାଗର ଗାଡ଼ିକୁ ଆକ୍ରମଣ କରି ରାସ୍ତା ତଳକୁ ଖସାଇ ଦେଇଛନ୍ତିl ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ହାତୀଛୁଆକୁ ଉଦ୍ଧାର ପାଇଁ ବନବିଭାଗ ଏବଂ ଅଗ୍ନିଶମ ବିଭାଗ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହିଥିଲେ ସୁଦ୍ଧା କୌଣସି ପ୍ରକାରେ ହାତୀଛୁଆକୁ କୂଅ ଭିତରୁ ଉଦ୍ଧାର କରାଯାଇପାରୁନାହିଁl ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୂଅ ଭିତରୁ ହାତୀଛୁଆ ଉଦ୍ଧାର ହୋଇ ପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/55272bb5-6d23-4f2e-9e51-30549ab71e78.jpg)