କଟକ : ରାଜ୍ୟରେ ମାସକ ଭିତରେ ୧୪ଟି ହାତୀ କରିଡର ସଂପର୍କରେ ବିଜ୍ଞପ୍ତି ଜାରି କରିବାକୁ ଏନ୍ଜିଟିଙ୍କ ନିର୍ଦ୍ଦେଶକୁ ନେଇ ଅକଳରେ ପଡ଼ିଥିଲେ ସରକାର। ଏନ୍ଜିଟି ଏପ୍ରିଲ ୬ ତାରିଖରେ ଏହି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏନ୍ଜିଟିଙ୍କ ଏହି ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିବା ସହିତ ହାତୀ କରିଡର ପ୍ରସଂଗକୁ ନେଇ ଜାତୀୟ ଗ୍ରିନ ଟ୍ରିବୁନାଲ(ଏନ୍ଜିଟି)ରେ ବିଚାରାଧୀନ ମାମଲାର ଶୁଣାଣି ଉପରେ ବି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥି ସହିତ ମାମଲାରେ ୱାଇଲ୍ଡ ଲାଇଫ ସୋସାଇଟି ଅଫ୍ ଇଣ୍ଡିଆ ଓ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ପୂର୍ବରୁ ବିଚାରାଧୀନ ହାତୀ ସୁରକ୍ଷା ସଂପର୍କିତ ଜନସ୍ବାର୍ଥ ଆବେଦନ ସହିତ ଏହି ମାମଲାର ଏକତ୍ର ଶୁଣାଣି ମେ ୯ରେ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୧ ଅଗଷ୍ଟ ୧୭ର ନିର୍ଦ୍ଦେଶ ପାଳନ କରି ଏକ ମାସ ଭିତରେ ହାତୀ କରିଡର ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରିବାକୁ ରାଜ୍ୟ ସରକାରଙ୍କୁ ଏନଜିଟି ୨୦୨୩ ଏପ୍ରିଲ ୬ରେ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଅବଧି ସରିବା ପୂର୍ବରୁ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ଯୋଗୁଁ ରାଜ୍ୟ ବନ ବିଭାଗର ବରିଷ୍ଠ ପଦାଧିକାରୀ ଆଶ୍ବସ୍ତ ହୋଇଛନ୍ତି। ନଚେତ ହାତୀ କରିଡର ବିଜ୍ଞପ୍ତି ଯଦି ନର୍ଦ୍ଧାରିତ ଏକ ମାସ ଭିତରେ ପ୍ରକାଶ କରିବାରେ ସରକାର ବିଫଳ ହୋଇଥାନ୍ତେ ତେବେ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଓ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କ ଭଳି ବରିଷ୍ଠ ବନ ବିଭାଗ ପଦାଧିକାରୀ ଏନଜିଟିରେ ଅଦାଲତ ଅବମାନନା ମାମଲାର ସମ୍ମୁଖୀନ ହୋଇଥାନ୍ତେ।
୨୦୧୬ରେ ୱାଇଲ୍ଡ ଲାଇଫ ସୋସାଇଟି ଅଫ୍ ଇଣ୍ଡିଆ ତରଫରୁ ଏନଜିଟିରେ ଏ ସଂପର୍କିତ ମାମଲା ରୁଜୁ ହୋଇଥିବା ବେଳେ ୨୦୨୧ ଅଗଷ୍ଟ ୧୭ରେ ଚୂଡାନ୍ତ ନିର୍ଦ୍ଦେଶ ଜାରି କରାଯାଇଥିଲା। ଏସିଆନ୍ ନେଚର କଂଜରଭେସନ ଫାଉଣ୍ଡେସନ ପକ୍ଷରୁ ଚିହ୍ନଟ କରାଯାଇଥିବା ୧୪ଟି ହାତୀ କରିଡର ନେଇ ବିଜ୍ଞପ୍ତି ପ୍ରକାଶ କରବାକୁ ଏନଜିଟି ୨୦୨୧ ଅଗଷ୍ଟ ୧୭ରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଂଗ ନେଇ ଏନଜିଟିରେ ୨୦୨୨ରେ ଆବେଦନ ଦାୟର କରାଯାଇଥିଲା। ୨୦୨୧ର ଚୂଡାନ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିବାରୁ ଏନ୍ଜିଟି କ୍ଷୋଭ ପ୍ରକାଶ କରିବା ସହିତ ପିସିସିଏଫ ଓ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କୁ ନୋଟିସ୍ ଜାରି କରି ବ୍ୟକ୍ତିଗତ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ଗ୍ରିନ ଟ୍ରିବୁନାଲ ଆଇନ, ୨୦୧୦ର ଧାରା ୨୬ ଅନୁସାରେ ଉଭୟଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ନେଇ କାରଣ ଦର୍ଶାଇବାକୁ ଉଭୟଙ୍କୁ ଏନଜିଟି ନିର୍ଦ୍ଦେଶ ଦେଇଥିଲେ। ୨୦୨୩,ମାର୍ଚ୍ଚ ୧୪ର ଏହି ନିର୍ଦ୍ଦେଶ ପାଳନ କରି ଏପ୍ରିଲ ୫ରେ ପିସିସିଏଫ ଓ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ସତ୍ୟପାଠ ଦାଖଲ କରିଥିଲେ। ସତ୍ୟପାଠରେ ହାତୀ କରିଡର ପ୍ରସଂଗରେ ବିଭିନ୍ନ ସମସ୍ୟା ରହିଥିବା ଉଲ୍ଲେଖ କରାଯାଇଥିଲା। ହାତୀଙ୍କ ଚଳାଚଳ ଅଞ୍ଚଳର ସୀମା ନିର୍ଦ୍ଧାରଣ ପାଇଁ ଉପଯୁକ୍ତ ଭାବେ ଏହି ପ୍ରସଂଗରେ ଅନୁଧ୍ୟାନ ଆବଶ୍ୟକ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା।
ଅନ୍ୟପକ୍ଷରେ ଅଢେଇ ବର୍ଷ ବିତି ଯାଇଥିଲେ ମଧ୍ୟ ହାତୀ କରିଡର ନେଇ ବିଜ୍ଞପ୍ତି ପ୍ରକାଶ ପାଇ ନଥିବାରୁ ଏନଜିଟି ଅସନ୍ତୋଷ ପ୍ରକାଶ କରିଥିଲେ। ରାଜ୍ୟ ସରକାର ପରିବେଶ ସୁରକ୍ଷା ଆଇନର ଧାରା ୩ ଅନୁସାରେ ହାତୀ କରିଡର ନେଇ ବିଜ୍ଞପ୍ତି ପ୍ରକାଶ କରି ନ ପାରିବା ଆଶ୍ଚର୍ଯ୍ୟର ବିଷୟ ବୋଲି ଏନଜିଟି କହିଥିଲେ। ହାତୀ କରିଡର ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଁ ରାଜ୍ୟ ସରକାରଙ୍କୁ ଏନଜିଟି ଏକ ମାସ ମହଲତ ପ୍ରଦାନ କରିଥିଲେ। ଆଉ ସମୟ ଦିଆଯିବ ନାହିଁ ବୋଲି ମଧ୍ୟ ଏନଜିଟି ସ୍ପଷ୍ଟ କରିଥିଲେ। ଯଦି ଏହି ସମୟ ଭିତରେ ପୂର୍ବ ନିର୍ଦ୍ଦେଶ ଅନୁସାରେ ହାତୀ କରିଡର ନେଇ ବିଜ୍ଞପ୍ତି ପ୍ରକାଶ କରା ନ ଯାଏ ତେବେ ସଂପୃକ୍ତ କର୍ତ୍ତୃପକ୍ଷ ଜାତୀୟ ଗ୍ରିନ ଟ୍ରିବୁନାଲ ଆଇନ ୨୦୧୦ର ଧାରା ୨୬ ଅନୁସାରେ ଦାୟୀ ରହିବେ ବୋଲି ୨୦୨୩ ଏପ୍ରିଲ ୬ରେ ଏନଜିଟି କଡ଼ା ନିର୍ଦ୍ଦେଶ ଦେଇଥିଲେ। ମେ ୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଏନଜିଟି ତାରିଖ ଧାର୍ଯ୍ୟ କରିଥିଲେ।
ଏହାପରେ ଏନଜିଟିଙ୍କ ଏହି ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲେ। ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ମାମଲା ପରିଚାଳନା କରୁଥିଲେ।