ବନ୍ତଳା, (ପ୍ରଭାତ ବେହେରା): ହାତୀମାନଙ୍କର ଏକଦା ଉପଯୁକ୍ତ ଆବାସସ୍ଥଳୀ ଥିବା ମହାନଦୀ ହସ୍ତୀପ୍ରକଳ୍ପ ଅଞ୍ଚଳ ବିଭିନ୍ନ କାରଣରୁ ଉଜୁଡ଼ିବାରେ ଲାଗିଛି। ଏଥିଯୋଗୁ ଅଞ୍ଚଳରେ ହାତୀ ସଂଖ୍ୟା କମିବାରେ ଲାଗିଛି। ଏ ନେଇ ପରିବେଶବିତ୍ ମହଲରେ କ୍ଷୋଭ ପ୍ରକାଶ ପାଇଥିବାବେଳେ ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ।
ସୂଚନା ଅନୁଯାୟୀ, ହାତୀଙ୍କ ସୁରକ୍ଷା ଓ ପରିଚାଳନା ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ୧୯୯୨ ମସିହାରେ ଏକ ସ୍ବତନ୍ତ୍ର ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ଦେଶରେ ଅଧିକ ହାତୀ ଥିବା ଅଞ୍ଚଳକୁ ହସ୍ତୀ ପ୍ରକଳ୍ପ ଘୋଷଣା କରାଯାଇଛି। ଏହି ହସ୍ତୀ ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ଅନୁଦାନ ମଞ୍ଜୁର ହେବାସହିତ ବୈଜ୍ଞାନିକ ଓ ବୈଷୟିକ ଉପାୟରେ ହାତୀଙ୍କର ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥା କରାଯାଉଛି। ପ୍ରତି ହସ୍ତୀ ପ୍ରକଳ୍ପ ଅଞ୍ଚଳରେ ସଂପୃକ୍ତ ବନ ମଣ୍ଡଳ ଅଧିକାରୀଙ୍କୁ କ୍ଷେତ୍ର ସଂଯୋଜକ ରୂପେ ପ୍ରଶାସନିକ କ୍ଷମତା ଦିଆଯାଇଛି।
ଓଡ଼ିଶାର ମଧ୍ୟ ଭାଗରେ ଥିବା ସାତକୋଶିଆ ଓ ବାଇଶିପାଲି ଅଭୟାରଣ୍ୟ ଏବଂ ପାର୍ଶ୍ବବର୍ତ୍ତୀ ଅନୁଗୁଳ, କଟକ, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାର କିଛି ଅଞ୍ଚଳକୁ ନେଇ ୨୦୦୨ ମସିହାରେ ହସ୍ତୀ ପ୍ରକଳ୍ପ ଘୋଷଣା କରାଯାଇଛି । ଏହି ପ୍ରକଳ୍ପ ମଧ୍ୟ ଭାଗରେ ବହିଯାଇଛି ମହାନଦୀ। ଏଠାରେ ଅଛି ସାତକୋଶିଆ ଗଣ୍ଡ । ମହାନଦୀର ଉଭୟ ପାର୍ଶ୍ବରେ ଥିବା ଘଞ୍ଚଜଙ୍ଗଲ ଜୈବ ବିବିଧତାରେ ପରିପୂର୍ଣ୍ଣ। ଶାଳ, ଅନ୍ୟ ବୃକ୍ଷଲତା, ୩ ପ୍ରକାର ବାଉଁଶ ବଣ, ବିରଳ ବନ୍ୟପ୍ରାଣୀ ଥିବା ଏହି ଅଞ୍ଚଳ ହାତୀମାନଙ୍କର ଉପଯୋଗୀ ବାସସ୍ଥଳୀ।
୨୦୦୨ ମସିହାରେ ହାତୀ ଗଣନା କରାଯାଇଥିଲା। ସେତେବେଳେ ମହାନଦୀ ହସ୍ତୀ ପ୍ରକଳ୍ପର ସାତକୋଶିଆ ବନଖଣ୍ଡ, କଟକ, ନୟାଗଡ଼, ମହାନଦୀ ଓ ବୌଦ୍ଧ ବନଖଣ୍ଡ ଅଞ୍ଚଳରେ ପାଖାପାଖି ୨୫୦ ହାତୀ ଥିଲେ। ସେହିପରି ୨୦୦୭,୨୦୧୦,୨୦୧୨,୨୦୧୫ ଏବଂ ୨୦୧୭ ମସିହାରେ ହାତୀ ଗଣନା ପର୍ଯ୍ୟନ୍ତ ଅଞ୍ଚଳରେ ୨ ଶହରୁ ଅଧିକ ହାତୀ ଥିଲେ। ମାତ୍ର, ୨୦୧୭ ମସିହା ପରଠାରୁ ହାତୀ ଗଣନା ହୋଇନାହିଁ। ପ୍ରତିଦିନ ହେଉଥିବା ହାତୀ ଆକଳନ ରିପୋର୍ଟରୁ ମହାନଦୀ ହସ୍ତୀ ପ୍ରକଳ୍ପ ଅଞ୍ଚଳରେ ୨୦ ରୁ ୩୦ ହାତୀ ରହୁଥିବା ଜଣାପଡ଼ିଛି । ବାଘ ସୁରକ୍ଷା ନିମନ୍ତେ ତୃଣଭୋଜୀଙ୍କ ପାଇଁ ଘାସ ଚାଷ, ଚାରଣଭୂମି ସୃଷ୍ଟି ଯୋଜନା ହୋଇଥିଲା। ଏହାଦ୍ବାରା ଚାରଣଭୂମି ସୃଷ୍ଟି କରାଯାଇ ପାରିଲା ନାହିଁ, ବରଂ ହାତୀ ଆବାସସ୍ଥଳୀ ଧ୍ବଂସ ପାଇଗଲା ବୋଲି ପରିବେଶବିତ୍ ମହଲରେ ମତ ପ୍ରକାଶ ପାଇଛି।