୨୦୨୨ରେ ହାତୀ ଗଣନା, ୨୦୧୭ ପରେ ରାଜ୍ୟରେ ହୋଇନି ହାତୀ ଗଣନା

ଭୁବନେଶ୍ବର: ୨୦୨୨ରେ ହାତୀ ଗଣନା। ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ସମସ୍ତ ରାଜ୍ୟରେ ହାତୀ ଗଣନା କରାଯିବ। କେଉଁ ପଦ୍ଧତିରେ ହାତୀଙ୍କ ଗଣନା କରାଯିବ ସେନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ ଚାଲିଛି। ହାତୀ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଇ ଅଗଷ୍ଟ ଶେଷ ସୁଦ୍ଧା ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ। ଏନେଇ ଜୁନ୍‌ ମାସରେ ବନ୍ୟପ୍ରାଣୀ ଏଡିଜିଙ୍କ ଅଧ୍ୟକ୍ଷତାରେ ହାତୀ ଚଳପ୍ରଚଳ କରୁଥିବା ସମସ୍ତ ରାଜ୍ୟର ପିସିସିଏଫ୍‌ଙ୍କ ସହ ମଧ୍ୟ ବିଚାରବିମର୍ଶ ହୋଇଛି। ହାତୀ ଶିକାର, ମୃତ୍ୟୁ, ସୁରକ୍ଷା ପାଇଁ ଭିତ୍ତିଭୂମି ଆଦି ଉପରେ ଆଲୋଚନା ସହ ହାତୀ କରିଡର ନେଇ ମାନସମନ୍ଥନ ହୋଇଥିବା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଓଡ଼ିଶା ମଧ୍ୟ ହାତୀ ଗଣନା ପଦ୍ଧତି ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଦୀର୍ଘ ୫ ବର୍ଷ ପରେ ରାଜ୍ୟରେ ହାତୀ ଗଣନା କରିବାକୁ ସରକାର ପ୍ରସ୍ତୁତି କରୁଥିବାରୁ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ହାତୀ ଗଣନା ପାଇଁ ଜାତୀୟ ସ୍ତରରେ ସଜବାଜ ଚାଲିଥିବା ବେଳେ ଓଡ଼ିଶା ଅଧିକ ଚର୍ଚ୍ଚାରେ ରହିଛି। ହାତୀଙ୍କ ସଂଖ୍ୟା ବଢ଼ିଥିବା ନେଇ ସରକାରୀ ସ୍ତରରେ ଆକଳନ କରାଯାଉଥିବା ବେଳେ ହାତୀ ସଂଖ୍ୟା କମିଥିବା ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି। ତଥ୍ୟ ଅନୁଯାୟୀ ୨୦୧୫ ଗଣନା ସମୟରେ ଓଡ଼ିଶାରେ ୧୯୫୪ଟି ହାତୀ ରହିଥିଲେ। ତେବେ ୨୦୧୭ ଗଣନା ସମୟରେ ହାତୀଙ୍କ ସଂଖ୍ୟା ୧୯୭୬କୁ ବୃଦ୍ଧି ପାଇଥିଲା। ଅର୍ଥାତ୍‌ ୨୨ଟି ହାତୀ ବଢ଼ିଥିଲେ। ରାଜ୍ୟର ୪୩ ବନ୍ୟପ୍ରାଣୀ ଡିଭିଜନରେ ଏହି ହାତୀ ଗଣନା କରାଯାଇଥିଲା। ତିନୋଟି ହାତୀ ସଂରକ୍ଷିତ ଅଞ୍ଚଳ ଯଥା ମୟୂରଭଞ୍ଜ, ମହାନଦୀ ଓ ସମ୍ବଲପୁରରେ ୧୫୩୬ ହାତୀ ରହିଥିଲେ। ୫ଟି ଅଭୟାରଣ୍ୟରେ ୭୯ ହାତୀ, ବିଭିନ୍ନ ହାତୀ ସଂରକ୍ଷିତ ଅଞ୍ଚଳ ଓ ଅଭୟାରଣ୍ୟ ବାହାରେ ୩୬୧ ହାତୀ ରହିଥିବା ଗଣନାରୁ ସୂଚନା ମିଳିଥିଲା। ୧୯୭୬ ହାତୀଙ୍କ ମଧ୍ୟରୁ ୩୪୪ଟି ଅଣ୍ଡିରା, ୧୦୯୨ ମାଈ ଓ ୫୦୨ଟି ଛୁଆ ହାତୀ ରହିଥିଲେ। ୩୮ଟି ହାତୀଙ୍କର ଲିଙ୍ଗ ନିରୂପଣ ହୋଇ ପାରି ନଥିଲା। ଶିମିଳିପାଳ ବନଖଣ୍ଡରେ ସର୍ବାଧିକ ୩୩୦ ହାତୀ ରହିଥିବା ଗଣନାରୁ ଜଣାପଡ଼ିଥିଲା।

ନିୟମ ଅନୁଯାୟୀ ପ୍ରତି ଦୁଇ ବର୍ଷ ବ୍ୟବଧାନରେ ହାତୀ ଗଣନା କରାଯିବା କଥା। ଏଥିରେ ହାତୀଙ୍କ ସଂଖ୍ୟା, କେଉଁ ବନଖଣ୍ଡରେ କେତେ ହାତୀ ରହିଛନ୍ତି, କେଉଁ ବର୍ଗର କେତେ ହାତୀ ଅଛନ୍ତି ତାହାର ଟିକିନିଖି ତଥ୍ୟ ସଂଗ୍ରହ କରାଯାଇଥାଏ। ଶେଷ ଥର ପାଇଁ ୨୦୧୭ ମେ’ରୁ ଜୁଲାଇ ମାସ ମଧ୍ୟରେ ହାତୀ ଗଣନା ହୋଇଥିଲା। ତା’ପରଠାରୁ ଆଉ ଗଣନା ହୋଇ ନାହିଁ। ପ୍ରଶାସନିକ ସ୍ତରରେ ଅବହେଳା ସହ ହତୀ ମୃତ୍ୟୁ ସଂଖ୍ୟା ତଥ୍ୟ ଲୁଚାଇବା ପାଇଁ ୨୦୧୯ ଓ ୨୦୨୧ରେ ହାତୀ ଗଣନା ହୋଇ ପାରି ନ ଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ୱାଇଡ୍‌ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶାର ସମ୍ପାଦକ ତଥା ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ୍‌ ମହାନ୍ତିଙ୍କ ମତରେ କରୋନା ଯୋଗୁଁ ଗତ ଦୁଇ ବର୍ଷ ହେଲା ଜଙ୍ଗଲରେ ଠିକ୍‌ ଭାବେ ପାଟ୍ରୋଲିଂ ହେଉ ନାହିଁ। ଯେଉଁଥିପାଇଁ ୧୫୦ରୁ ଅଧିକ ହାତୀଙ୍କ ମୃତ୍ୟୁ ହେଉଛି। ୮ ବର୍ଷ ହେଲା ହାରାହାରି ୮୦ ହାତୀଙ୍କ ମୃତ୍ୟୁ ହେଉଛି। ହାତୀ ଶିକାର ବହୁ ପରିମାଣରେ ବଢ଼ିଛି। ପ୍ରତି ଦୁଇ ବର୍ଷ ବ୍ୟବଧାନରେ ରାଜ୍ୟ ସରକାର ଗଣନା କରିବା କଥା। ତେବେ ହାତୀ ଗଣନା କରାଗଲେ ସରକାରଙ୍କ ଅପାରଗତା ପଦାରେ ପଡ଼ିବ। ତେଣୁ ହାତୀ ଗଣନା ନ କରି ବାବୁମାନେ ଚୁପ୍‌ ବସିଛନ୍ତି। ‌

୨୦୨୨ ଗଣନା ବେଳକୁ ଓଡ଼ିଶାରେ ହାତୀଙ୍କ ସଂଖ୍ୟା ଦୁଇ ହଜାର ଡେଇଁବା ନେଇ ସରକାରୀ ବାବୁମାନେ ଆକଳନ କରିଛନ୍ତି। ଜଙ୍ଗଲ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ୨୦୨୧ରେ ହାତୀ ଗଣନା ଲାଗି ପ୍ରସ୍ତୁତି ଚାଲିଥିଲା। ତେବେ କରୋନାର ଦ୍ବିତୀୟ ଲହର ପାଇଁ ଗଣନା ବାଧାପ୍ରାପ୍ତ ହୋଇଛି। ୨୦୨୨ରେ ଗଣନା କରିବା ଲାଗି ଏବେଠାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ତେଣୁ ଆମେ ଆମେ ମଧ୍ୟ ପ୍ରସ୍ତୁତ ହେଉଛୁ। କେଉଁ ପଦ୍ଧତିରେ ଗଣନା କରାଗଲେ ଭଲ ହେବ ସେନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇଛୁ। ଇତି ମଧ୍ୟରେ ହାତୀ ନ ଥିବା କିଛି ସଂରକ୍ଷିତ ଅଭୟାରଣ୍ୟରେ ହାତୀ ଚଳପ୍ରଚଳ କରୁଥିବା ଲକ୍ଷ୍ୟ କରାଯାଇଛି। ଦେଢ଼ ବର୍ଷ ମଧ୍ୟରେ ଟ୍ରେନ୍‌ ଧକ୍କାରେ ହାତୀ ମୃତ୍ୟୁ ସଂଖ୍ୟା ବହୁ ପରିମାଣରେ କମିଛି। ଶିକାର ବି କମିଛି। ତେଣୁ ୨୦୧୭ ତୁଳନାରେ ହାତୀଙ୍କ ସଂଖ୍ୟା ବଢ଼ିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର