ହାତୀଙ୍କୁ ବିପଦ ଏନ୍‌ଏଚ୍‌-୫୫ ଆଣ୍ଡର୍‌ପାସ୍‌: ୫୦ ବଦଳରେ ୨୫ ମିଟର କରିଦେଲେ

ଅସନ୍ତୋଷ ଜାହିର କଲେ ଏନ୍‌ଜିଟି, ୪ ସପ୍ତାହ ଭିତରେ ଜବାବ ତଲବ

ଭୁବନେଶ୍ବର: ଓଡ଼ିଶାରେ ହାତୀ କେତେ ସୁରକ୍ଷିତ? ଗତ କିଛି ବର୍ଷ ହେଲା ହାତୀ ମୃତ୍ୟୁ ଯେଉଁଭଳି ଭାବେ ବଢ଼ିଚାଲିଛି ତାହାକୁ ନେଇ ସମସ୍ତଙ୍କ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି। ଏଭଳି ଏକ ସମୟରେ ହାତୀଙ୍କ ପାଇଁ ପୁଣି ସୃଷ୍ଟି ହୋଇଛି ବିପଦ। କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ବାବୁମାନେ ମିଶି ହାତୀଙ୍କ ଚଲାପଥକୁ ସଙ୍କୁଚିତ କରି ଦେଇଛନ୍ତି। ଜାତୀୟ ରାଜପଥ ସମ୍ପ୍ରସାରଣର ମୂଳ ନକ୍ସାକୁ ପରିବର୍ତନ କରାଯାଇ ନୂଆ ଅଣ୍ଡରପାସ୍‌ ନିର୍ମାଣ ହେଉଛି। ଜାତୀୟ ରାଜପଥ-୫୫ର ମଙ୍ଗୁଳି-ଅନୁଗୁଳ-ସମ୍ବଲପୁର ରାସ୍ତାରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଯାହାକୁ ନେଇ ଜାତୀୟ ଗ୍ରିନ୍‌ ଟ୍ରିବୁନାଲ(ଏନ୍‌ଜିଟି) ଅସନ୍ତୋଷ ପ୍ରକାଶ କରିବା ସହ ଏହି ପ୍ରସଙ୍ଗରେ ବିଚାର କରିବାକୁ ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷଙ୍କୁ କହିଛନ୍ତି। ଏଥିସହ ଆସନ୍ତା ୪ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି। ଏହାର ପରବର୍ତୀ ଶୁଣାଣି ସେପ୍ଟେମ୍ବର ୨୭ରେ କରାଯିବ ବୋଲି ଏନ୍‌ଜିଟି ଦର୍ଶାଇଛନ୍ତି।

ଆବେଦନକାରୀଙ୍କ ଅଭିଯୋଗ ହେଉଛି ଜାତୀୟ ରାଜପଥ-୫୫ର ସମ୍ପ୍ରସାରଣ/ନବୀକରଣ କରାଯାଉଛି। ମଙ୍ଗୁଳିଠାରୁ ଅନୁଗୁଳ ଓ ଅନୁଗୁଳଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଯାଇଥିବା ଏହି ଜାତୀୟ ରାଜପଥ ଚାରୋଟି ଜିଲ୍ଲା ଯଥାକ୍ରମେ କଟକ, ଢେଙ୍କାନାଳ, ଅନୁଗୁଳ ଓ ସମ୍ବଲପୁରର ବିଭିନ୍ନ ଅଞ୍ଚଳ ସ୍ପର୍ଶ କରିଛି। ଯେଉଁଠାରେ କି ସବୁଠାରୁ ଅଧିକ ହାତୀ ଚଳପ୍ରଚଳ କରିଥାନ୍ତି। ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାତୀ ପଲ ନିୟମିତ ବ୍ୟବଧାନରେ ଜାତୀୟ ରାଜପଥ ଅତିକ୍ରମ କରିଥାନ୍ତି। ଏଥିସହ କଟକ ଜିଲ୍ଲାର ଓରଣ୍ଡା-ବାଲି, ଢେଙ୍କାନାଳ ଜିଲ୍ଲାର ରାସସିଂହଠାରେ ମଧ୍ୟ ହାତୀ ପଲ ଜାତୀୟ ରାଜପଥର ଏପାଖରୁ ସେପାଖକୁ ଯାଇଥାନ୍ତି। ମହାନଦୀ ହାତୀ ରିଜର୍ଭ ଭିତର ଦେଇ ଜାତୀୟ ରାଜପଥ-୫୫ ଯାଇଥିବା ବେଳେ ସାତକୋଶିଆ ବ୍ୟାଘ୍ର ରିଜର୍ଭର ବଫର୍ ଜୋନ୍ ମଧ୍ୟ ଏହି ରାଜପଥକୁ ଲାଗିଛି।

ଅଭିଯୋଗକାରୀ ଆହୁରି ଦର୍ଶାଇଛନ୍ତି ଯେ ବନ୍ୟଜନ୍ତୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ରିପୋର୍ଟ-୨୦୧୬ ଅନୁଯାୟୀ ହାତୀଙ୍କ ପାଇଁ ନିର୍ମାଣ ହେବାକୁ ଥିବା ଅଣ୍ଡରପାସ୍‌ର ଗୋଟିଏ ସ୍ପାନ୍‌ ୫୦ ମିଟର ହେବା ଆବଶ୍ୟକ। ଯାହାର ଉଚ୍ଚତା ୬ରୁ ୮ ମିଟର ଓ ଓସାର ୧୦ରୁ ୧୨ ମିଟର ହେବା ଦରକାର। ଯାହାକି ହାତୀଙ୍କ ଚଳପ୍ରଚଳ ପାଇଁ ସୁବିଧା ହେବ। କୌଣସି ବି କ୍ଷେତ୍ରରେ ଅଣ୍ଡରପାସ୍‌ର ଉଚ୍ଚତା ୭ ମିଟରରୁ କମ୍‌ ଓ ସ୍ପାନ୍‌ର ଲମ୍ବ ୫୦ ମିଟରରୁ କମ୍ ହେବା ଉଚିତ ନୁହେଁ। ତେବେ ଏହି ରାସ୍ତାରେ ନିର୍ମାଣ ହୋଇଥିବା ଅଣ୍ଡରପାସ୍‌ର ସ୍ପାନ୍‌କୁ ହ୍ରାସ କରାଯାଇଛି। ଏନ୍‌ଏଚ୍‌ଏଆଇ ପ୍ରସ୍ତାବ ଅନୁଯାୟୀ ସ୍ପାନ୍‌ର ଲମ୍ବକୁ ୫୦ ମିଟର ପରିବର୍ତ୍ତେ ୨୫ ମିଟର କରାଯାଇଛି। ପିସିସିଏଫ୍‌(ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ମଧ୍ୟ ଏନ୍‌ଏଚ୍‌ଏଆଇର ପ୍ରସ୍ତାବକୁ ଗ୍ରହଣ କରି ରାସ୍ତାର ଓସାର ହ୍ରାସ କରିଛନ୍ତି। ଏହାଦ୍ବାରା ହାତୀଙ୍କ ପ୍ରତି ବିପଦ ମାଡ଼ି ଆସିବ। ହାତୀପଲ ରାସ୍ତା ଅତିକ୍ରମ କରିବା ସମୟରେ ଦୁର୍ଘଟଣାର ଶିକାର ହୋଇପାରନ୍ତି। ତେଣୁ ଘଟଣାରେ ହସ୍ତକ୍ଷେପ କରିବାକୁ ୱାଇଲ୍ଡଲାଇଫ୍‌ ‌ସୋସାଇଟି ଅଫ୍‌ ଓଡ଼ିଶା ପକ୍ଷରୁ ଏନ୍‌ଜିଟିରେ ଅଭିଯୋଗ କରାଯାଇଛି। ଯାହାର ଶୁଣାଣି କରି ଏନ୍‌ଜିଟି ଏଭଳି ରାୟ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର