ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ଅତିବେଶିରେ ୧୮୦୦ ହାତୀ ରହିପାରିବେ। ମାତ୍ର ଏବେ ତା’ଠାରୁ ଢେର୍ ଅଧିକ ରହିଛନ୍ତି। ୨୦୨୪ ହାତୀ ଗଣନା ଅନୁଯାୟୀ ରାଜ୍ୟର ୨୮ଟି ଜିଲ୍ଲାର ୪୮ଟି ବନ ଡିଭିଜନରେ ୨,୦୯୮ ହାତୀ ରହିଛନ୍ତି। ଅର୍ଥାତ୍ ଓଡ଼ିଶାରେ ଯେତିକି ହାତୀ ରହିବା କଥା ତା’ଠାରୁ ୩୦୦ରୁ ଅଧିକ ହାତୀ ଚଳପ୍ରଚଳ କରୁଛନ୍ତି। ହାତୀଙ୍କ ମଧ୍ୟରେ ୧,୦୩୦ଟି ମାଈ, ୪୭୪ଟି ପୁରୁଷ ଓ ୫୯୪ଟି ଛୁଆ ହାତୀ ରହିଛନ୍ତି। ଅନେକ ଅଞ୍ଚଳରେ ହାତୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଛି। ଅନୁଗୁଳ, ଆଠଗଡ଼, ଢେଙ୍କାନାଳ, ବାରିପଦା, ଚନ୍ଦକା, ଖୋର୍ଦ୍ଧା, ବଣାଇ ଓ କେନ୍ଦୁଝର ଡିଭିଜନ୍ରେ ହାତୀଙ୍କ ସଂଖ୍ୟା ବଢ଼ିଛି। ତଥାପି ଶିମିଳିପାଳ ଉତ୍ତର, ଶିମିଳିପାଳ ଦକ୍ଷିଣ, ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନ, ରାଇରଙ୍ଗପୁର, ବଲାଙ୍ଗୀର ଓ ପାରଳାଖେମୁଣ୍ଡି ଭଳି ଅଞ୍ଚଳରେ ହାତୀଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି।
ଏସୀୟ ପ୍ରକୃତିକ ସଂରକ୍ଷଣ ଫାଉଣ୍ଡେସନ୍(ଏଏନ୍ସିଏଫ୍) ଦ୍ବାରା ହୋଇଥିବା ଅଧ୍ୟୟନ ଅନୁଯାୟୀ ଓଡ଼ିଶା ଭୂଖଣ୍ଡରେ ୧୭୦୦ରୁ ୧୮୦୦ ହାତୀ ରହିପାରିବେ। ଭାରତର ପୂର୍ବ-କେନ୍ଦ୍ରୀୟ ଭୂଖଣ୍ଡ ମଧ୍ୟରେ ଏସୀୟ ହାତୀଙ୍କ ପାଇଁ ଓଡ଼ିଶା ଏକ ପ୍ରମୁଖ ବାସସ୍ଥଳ ପାଲଟିଛି। ଏହି ଅଞ୍ଚଳର ହାତୀ ସଂଖ୍ୟାର ୬୩% ଏବଂ ଜାତୀୟ ମୋଟ ହାତୀ ସଂଖ୍ୟାର ୬.୬% ଓଡ଼ିଶାରେ ବାସ କରନ୍ତି। ୨୦୧୭ ହାତୀ ଗଣନା ଅନୁଯାୟୀ ଓଡ଼ିଶାରେ ୧୯୩୮ ହାତୀ ଥିଲେ। ସେମାନେ ରାଜ୍ୟର ତିନୋଟି ହାତୀ ସଂରକ୍ଷଣ ଓ ଅଧିକାଂଶ ସଂରକ୍ଷିତ ଅଞ୍ଚଳରେ ରହୁଛନ୍ତି। ତିନୋଟି ଅଧିସୂଚିତ ହାତୀ ସଂରକ୍ଷଣ(ଏଲିଫ୍ୟାଣ୍ଟ ରିଜର୍ଭର/ଇଆର୍) ଯଥା ମହାନଦୀ, ମୟୂରଭଞ୍ଜ ଓ ସମ୍ବଲପୁର ଇଆର ଅଞ୍ଚଳର କ୍ଷେତ୍ରଫଳ ୮,୫୦୮.୯୫ ବର୍ଗ କିଲୋମିଟର ରହିଛି। ଏଥିସହ ମହାନଦୀ ଓ ସମ୍ବଲପୁର ହାତୀ ସଂରକ୍ଷଣ ଅଞ୍ଚଳରେ ଆଉ ୨,୫୧୩.୩୬ ବର୍ଗ କିମି ଯୋଡ଼ିବାକୁ ଯୋଜନା ରହିଛି। ମୋଟ ହାତୀ ସଂଖ୍ୟାର ପ୍ରାୟ ୨୮% ଅର୍ଥାତ୍ ପ୍ରାୟ ୫୮୪ ହାତୀ ଏଲିଫ୍ୟାଣ୍ଟ ରିଜର୍ଭର(ଇଆର) ନେଟ୍ୱାର୍କରେ ବାସ କରନ୍ତି।
୧,୮୦୦ ହାତୀ ରହିପାରିବେ, ଅଛନ୍ତି ୨,୧୦୦
୨,୫୧୩.୩୬ ବର୍ଗ କିମି ଯୋଡ଼ିବାକୁ ଯୋଜନା
ହାତୀଙ୍କ ଚଳପ୍ରଚଳ ପାଇଁ ୧୪ଟି ହାତୀ କରିଡର ଚିହ୍ନଟ ହୋଇଛି। ଏହି କରିଡରଗୁଡ଼ିକ କେବଳ ପଥ ନୁହେଁ, ବରଂ ହାତୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଜୀବନରେଖା, ଯାହାକି ଜେନେଟିକ୍ ବିବିଧତା ସୁନିଶ୍ଚିତ କରେ। ଯେକୌଣସି ଏକ ଜଙ୍ଗଲ ଉପରେ ଚାପ ହ୍ରାସ କରେ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଅବସରପ୍ରାପ୍ତ ପିସିସିଏଫ୍(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦଙ୍କ କହିବାନୁଯାୟୀ ହାତୀଙ୍କ ଜନ୍ମ ନିୟନ୍ତ୍ରଣ କରିବାକୁ ପଡ଼ିବ। ବାହାର ରାଜ୍ୟରେ ଯେଉଁଭଳି ସବ୍-ଆଡଲଟ୍ ହାତୀଙ୍କୁ ଜଙ୍ଗଲରୁ ବାହାର କରି କ୍ୟାମ୍ପକୁ ନିଆଯାଉଛି ସେଭଳି ପନ୍ଥା ଆପଣାଇବାକୁ ହେବ। ଏଥିସହ ୧୪ଟି ଯାକ ହାତୀ କରିଡର ଚିହ୍ନଟ ସହ ତାହାର ପୁନରୁଦ୍ଧାର କରିବାର ଆବଶ୍ୟକତା ରହିଛି। ପ୍ରତିବର୍ଷ ହାରାହାରି ୮୦ରୁ ୮୫ଟି ହାତୀଙ୍କ ମୃତ୍ୟୁ ହେଉଥିଲେ ମଧ୍ୟ ତାହାର ପ୍ରଭାବ ହାତୀଙ୍କ ସଂଖ୍ୟା ହ୍ରାସ ଉପରେ କୌଣସି ପ୍ରଭାବ ପକାଇ ପାରି ନାହିଁ। ବରଂ ବର୍ଷକୁ ବର୍ଷ ସଂଖ୍ୟା ବଢ଼ୁଛି। ୨୦୧୭ ହାତୀ ଗଣନା ସମୟରେ ଓଡ଼ିଶାରେ ଥିବା ହାତୀଙ୍କ ତୁଳନାରେ ୨୦୨୪ରେ ପାଖାପାଖି ୧୬୦ଟି ବୃଦ୍ଧି ପାଇଥିଲା। ୭ ବର୍ଷ ମଧ୍ୟରେ ହାତୀଙ୍କ ସଂଖ୍ୟା ଢେର୍ ବଢ଼ିବା ଯେତିକି ଖୁସିର ବିଷୟ ସେତିକି ଚିନ୍ତାଜନକ ମଧ୍ୟ। କାରଣ ଏତେ ସଂଖ୍ୟକ ହାତୀଙ୍କୁ ସୁରକ୍ଷା ଓ ସଂରକ୍ଷଣ ପ୍ରଦାନ ରାଜ୍ୟ ସରକାରଙ୍କ ପାଇଁ ଆହ୍ବାନ ପାଲଟିଛି। ଭୁବନେଶ୍ବରରେ ଅନୁଷ୍ଠିତ ବନ ଅଧିକାରୀଙ୍କ ସମ୍ମିଳନୀରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଲେ, ପ୍ରତିଦିନ ରାଜ୍ୟର କେଉଁଠୁ ନା କେଉଁଠୁ ହାତୀ-ମଣିଷ ଲଢ଼େଇ ଖବର ଆସୁଛି। ଓଡ଼ିଶାରେ ଯେଉଁ ଭିତ୍ତିଭୂମି ରହିଛି ସେଥିରେ ସର୍ବାଧିକ ୧୮୦୦ ହାତୀ ରହିପାରିବେ। ମାତ୍ର ତା’ଠାରୁ ୩୦୦ ଅଧିକ ହାତୀ ଅଛନ୍ତି। ବର୍ଷର ବିଭିନ୍ନ ସମୟରେ ବାହାର ରାଜ୍ୟର ହାତୀ ବି ପ୍ରବେଶ କରୁଥିବାରୁ ସମସ୍ୟା ହେଉଛି। ଏହାକୁ ପରିଚାଳନା କରିବାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରିବାକୁ ପଡ଼ିବ। ଏଆଇ କ୍ୟାମେରା, ଡ୍ରୋନ୍ ବ୍ୟବହାର ସହ ରାସ୍ତା, ରେଳ, ଶିଳ୍ପାନୁଷ୍ଠାନ ନିର୍ମାଣ ସମୟରେ ହାତୀଙ୍କ କଥା ବିଚାରକୁ ନେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।