ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ଏକ ଦନ୍ତା ମୃତ; ଉଭୟ ଦାନ୍ତ ସୁରକ୍ଷିତ, ଯୁଗ୍ମ ଟାସ୍କ୍‌ଫୋର୍ସର ତଦନ୍ତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳରେ ଆଜି ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବନାଞ୍ଚଳର ମାଣପୁର ‌ବିଟ୍‌ ବ୍ରାହ୍ମଣସାହି ସଂରକ୍ଷିତ ଜଙ୍ଗଲରେ ଥିବା ଏକ ପରିବା କ୍ଷେତରୁ ଦନ୍ତାହାତୀର ଶବ ଠାବ ହୋଇଛି। ହାତୀଟିର ବୟସ ଆନୁମାନିକ ୩୫ରୁ ୪୦ ବର୍ଷ ହୋଇଥିବା ଉଭୟ ଦାନ୍ତ ସୁରକ୍ଷିତ ରହିଛି। ଅସୁସ୍ଥତାରୁ ତା’ର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏ‌ହାସହ ପେଟ ନିକଟରେ ୩ଟି ଗୋଲେଇ କଣା ହୋଇଥିବା ସହ ତାହା କଳା ପଡ଼ିଯାଇଛି। ଫଳରେ ଅନ୍ୟ କୌଣସି ଦନ୍ତା ସହ ତା’ର ଲଢ଼େଇ ହୋଇଥାଇପାରେ ବୋଲି ମଧ୍ୟ ସନ୍ଦେହ ହେଉଛି। କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି।

ସୂଚନାନୁସାରେ, ତାରସିଂ ବନାଞ୍ଚଳ ଗାୟାଗଣ୍ଡା ସେକ୍ସନ୍‌ରେ ୮ ଟିକିଆ ହାତୀପଲ କିଛିଦିନ ହେଲା ଗତିବିଧି ଜାରି ରଖିଥିଲେ। ସେଥିରୁ ଉକ୍ତ ଦନ୍ତାହାତୀଟି ଅଲଗା ହୋଇ ମାଣପୁର ଆଡ଼କୁ ଚାଲି ଆସିଥିଲା। ଆଜି ଏକ ପୋଟଳ ବଗିଚା ଭିତରୁ ତା’ର ଶବ ଠାବ ହେବା ପରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଶରୀରର କୌଣସି ପାର୍ଶ୍ବରେ କ୍ଷତ ଚିହ୍ନ ନଥିଲା। ଫଳରେ ଭୁବନେଶ୍ବରରୁ ଜଏଣ୍ଟ୍ ଟାସ୍କ୍ ଫୋର୍ସ ପୁଲିସ ଇନ୍ସପେକ୍ଟର୍ ରେଣୁବାଳା ସାହୁଙ୍କ ନେତୃତ୍ବରେ ରେଞ୍ଜ୍ ଅଫିସର୍ ଜୟନ୍ତ କୁମାର ଦାସ ଓ ସବଇନ୍ସ୍‌ପେକ୍ଟର ବଳରାମ ପ୍ରସାଦ ଦାସ ପ୍ରମୁଖ ପହଞ୍ଚି ଅନୁଧ୍ୟାନ କରିଥିଲେ।

ଜଗନ୍ନାଥପ୍ରସାଦ ଓ ତାରସିଂ ପ୍ରାଣୀଧନ ନିରୀକ୍ଷକଙ୍କ ଉପସ୍ଥିତିରେ ଦନ୍ତାର ଶବକୁ ବ୍ୟବଚ୍ଛେଦ କରାଯାଇଥିବା ବେଳେ ତା’ର ଶରୀରର କିଛି ଅଂଶକୁ ପରୀକ୍ଷା ପାଇଁ ସଂଗ୍ରହ କରାଯିବା ସହ ଉଭୟ ଦାନ୍ତକୁ ବାହାର କରାଯାଇଥିଲା। ପରେ ଶବକୁ ପୋତି ଦିଆଯାଇଥିଲା। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଶ୍ରୀ ବେହେରା କହିଛନ୍ତି। ଘଟଣାସ୍ଥଳରେ ଏସିଏଫ୍‌ ବିକ୍ରମଦେବ ପଟ୍ଟନାୟକ, ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବବଧାରକ ଶୂଳପାଣି ଶତପଥୀ,ଜଗନ୍ନାଥପ୍ରସାଦ ରେଞ୍ଜର୍ ଉମାକାନ୍ତ ଦାଶ, ତାରସିଂ ରେଞ୍ଜର୍ କୃତ୍ତିବାସ କୁମାର, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ଓ ତାରସିଂ ବନପାଳ କଳାବଦନ ଦାସଙ୍କ ସମେତ ବନପାଳ ଓ ବନରକ୍ଷୀ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର