ପାଳଲହଡ଼ା : ପାଳଲହଡ଼ା ବନାଞ୍ଚଳ କନ୍ତଳା ସେକ୍ସନ ଅନ୍ତର୍ଗତ ମାଲ୍ୟଗିରିକୁ ଲାଗିଥିବା ତପ୍ତଝରଣା ସଂରକ୍ଷିତ ଜଙ୍ଗଲରେ ଆଜି ଅପରାହ୍ଣରେ ଏକ ଦନ୍ତାହାତୀର ମୃତଦେହ ବନ ବିଭାଗ ଠାବ କରିଛି। ହାତୀକୁ ହତ୍ୟା କରି ମାଫିଆମାନେ ଦାନ୍ତ କାଟି ନେଇଥିବା ଅନୁମାନ କରାଯାଉଛି।
ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି, ଜଙ୍ଗଲରେ ହାତୀର ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଦେବଗଡ଼ ଡିଏଫ୍ଓ କ୍ଷମା ଷଡ଼ଙ୍ଗୀ, ପାଳଲହଡ଼ା ରେଞ୍ଜ ଅଧିକାରୀ ଦୁର୍ଯ୍ୟୋଧନ ଗେରାଇ, କନ୍ତଳା ବନପାଳ ଭାରତୀ କପରଦାର, ବନରକ୍ଷୀ ବାବୁଲି ନାୟକ ଅପରାହ୍ଣ ୪ଟାବେଳେ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତ୍ୟୁ ସଂପର୍କରେ ତଦନ୍ତ ଚଳାଇଛନ୍ତି। ହାତୀକୁ ୨/୩ ଦିନ ତଳେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ନିର୍ମମ ଭାବେ ମାଫିଆମାନେ ଏହାକୁ ମାରି ଦାନ୍ତ କାଟିନେଇଛନ୍ତି। ତେବେ ହାତୀକୁ ବିଷ ଦେଇ ନା ଗୁଳିକରି ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇପାରି ନାହିଁ। ଏ ସଂକ୍ରାନ୍ତରେ ବନ ବିଭାଗ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/elephant-f.jpg)