ଜଙ୍ଗଲରୁ ମିଳିଲା ଛୁଆ ଓ ମା ହାତୀର ଗଳିତ ମୃତ ଦେହ

ମୃତ୍ୟୁ କାରଣ ଅସ୍ପଷ୍ଟ, ଗୁଳି କିମ୍ବା ବିଷ ଦେଇ ମରାଯାଇଥିବା ସନ୍ଦେହ

ପର୍ଜଙ୍ଗ/କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ରଘୁଆବୋଲ ଗାଁ ନିକଟସ୍ଥ ଜଙ୍ଗଲରୁ ବୁଧବାର ସକାଳେ ଏକ ଛୁଆ ଓ ମାଆ ହାତୀର ଗଳିତ ମୃତଦେହ ବନ ବିଭାଗ ଜବତ କରିଛି। ଏକ ସପ୍ତାହ ପୂର୍ବରୁ ଛୁଆକୁ ଜନ୍ମ ଦେଇ ମାଈହାତୀର ମୃତ୍ୟୁ ଘଟିଥିବା କୁହାଯାଉଥିଲେ ହେଁ ଉଭୟଙ୍କର ମୃତ୍ୟୁ କାରଣ କିଛି ସ୍ପଷ୍ଟ ହୋଇନାହିଁ।

ସୂଚନା ଅନୁଯାୟୀ, ୧୫ ଦିନ ତଳେ ଚାନ୍ଦପୁର ଅଞ୍ଚକଳରେ ହାତୀପଲ ପଶି ପରିବା ଚାଷ ଉଜାଡ଼ିବା ସହ ରବି ଫସଲ ନଷ୍ଟ କରିଥିଲେ। ଫସଲ ଉଜାଡ଼ିବା ପରେ ହାତୀପଲ ଜଙ୍ଗଲକୁ ପଳାଇଥିଲେ। ଆଜି ସକାଳେ ରଘୁଆବୋଲ ଗାଁ ପାଖ ଜଙ୍ଗଲରୁ ଉତ୍କଟ ଦୁର୍ଗନ୍ଧ ଆସିବାରୁ ଗ୍ରାମବାସୀ ସେଠାରେ ପହଞ୍ଚି ଛୁଆ ସହ ମାଆ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଢେଙ୍କନାଳ ଡିଏଫ୍‌ଓ ରିଙ୍କୁ କୁମାରୀ, କାମାକ୍ଷାନଗର ରେଞ୍ଜର ବିଭୁଦାନନ୍ଦ ମିଶ୍ର, ମୁକ୍ତାପଶି ଫରେଷ୍ଟର ରମେଶ ସାହୁ, ଡିହଡୋଳ ଫରେଷ୍ଟର ହରମୋହନ ନାଏକ, ମହାବିରୋଡ଼ ରେଞ୍ଜର ସୁରେଶ ବେହେରା ଓ ପର୍ଜଙ୍ଗ ପ୍ରାଣୀ ଚିକିତ୍ସକ ଡାକ୍ତର ସରୋଜ ମହାନ୍ତି ଘଟଣାସ୍ଥଳରେ ପହଞ୍ଚିଥିଲେ।

ପ୍ରାଥମିକ ତଦନ୍ତ ପରେ ମୃତ ହାତୀ ଦୁଇଟିକୁ ଜଙ୍ଗଲରେ ପୋତି ଦିଆଯାଇଥିଲା। ପ୍ରାଣୀ ଚିକିତ୍ସକ ଡାକ୍ତର ସରୋଜ ମହାନ୍ତିଙ୍କ କହିବାନୁସାରେ, ସପ୍ତାହ ପୂର୍ବରୁ ମା ଛୁଆ ଉଭୟ ମରିଥିବା ସନ୍ଦେହ କରାଯାଉଛି। ମୃତଦେହ ପଚିଯାଇଥିବାରୁ ମୃତ୍ୟୁ କାରଣ ଜଣାପଡିନାହିଁ। ପ୍ରସବଜନିତ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ମା ହାତୀ ଏବଂ ଅପରିପକ୍ୱ ଯୋଗୁ ଛୁଆହାତୀର ମୃତ୍ୟୁ ହୋଇଥାଇପାରେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଷ ଦେଇ କିମ୍ବା ଗୁଳି କରି ଉଭୟଙ୍କୁ ମାରିଦିଆଯାଇଥିବା ସାଧାରଣରେ ଆଲୋଚନା ହେଉଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଛୁଆ ଓ ମା ହାତୀର ମୃତ୍ୟୁ କାରଣ ଜଣାପଡ଼ିବ ବୋଲି ଡିଏଫ୍‌ଓ ରିଙ୍କୁ କୁମାରୀ କହିଛନ୍ତି।

ସମ୍ବନ୍ଧିତ ଖବର