କୁଲଡିହରେ ମାଈହାତୀର ମୃତ୍ୟୁ

ବ୍ୟବଚ୍ଛେଦ ପରେ ପୋଡ଼ି ଦିଆଗଲା ଶବ

ନୀଳଗିରି : କୁଲଡିହା ଅଭୟାରଣ୍ୟର ଦେବଗିରି ପର୍ବତର ମନଭଙ୍ଗା ପାହାଡ଼ରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ୪୦ରୁ ୪୫ ବର୍ଷ ହେବ ବୋଲି ବନ ଅଧିକାରୀମାନେ ଆକଳନ କରିଛନ୍ତି। ଆଜି ହାତୀର ଶବ ପଡ଼ିଥିବା ଖବର ପାଇ ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା, କୁଲଡିହା ରେଞ୍ଜର ଲକ୍ଷ୍ମଣ ପ୍ରଧାନ ପ୍ରମୁଖ ଘଟଣାସ୍ଥଳକୁ ଯାଇଥିଲେ। ସେମାନଙ୍କ ଉପସ୍ଥିତିରେ ଔପଦା ସହକାରୀ ପଶୁ ଚିକିତ୍ସା ଅଧିକାରୀ ଡା. ରୀତାଞ୍ଜଳି ନାୟକ ଶବ ବ୍ୟବଚ୍ଛେଦ କରିଥିଲେ। ପରେ ହାତୀର ମୃତ ଶରୀରକୁ ପୋଡ଼ି ଦିଆଯାଇଛି। ପଥରରେ ଗୋଡ଼ ଖସିଯିବା ଯୋଗୁଁ ପେଟ ଚାପିହୋଇ ମାଈହାତୀଟିର ମୃତ୍ୟୁ ଘଟିଥିବା ଡିଏଫ୍‌ଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।

ହାତୀଟି ପାହାଡ଼ ଉପରକୁ ଚଢ଼ୁଥିବା ବେଳେ ଗୋଡ଼ ଖସିଯିବା ଯୋଗୁଁ ଦୁର୍ଘଟଣାର ଶିକାର ହୋଇଥିଲା। ଓଜନ ଶରୀର ପଥରରେ ମାଡ଼ ହେବାରୁ ପେଟରେ ଗଭୀର ଆଘାତ ଲାଗିଥିଲା। ହାତୀର ପାକସ୍ଥଳୀ, ଗର୍ଭାଶୟ ଓ ଅନ୍ତନାଡ଼ି ପଦାକୁ ବାହାରି ଆସିଥିଲା। ଏଥିଯୋଗୁଁ ହାତୀଟିର ମୃତ୍ୟୁ ହୋଇଥାଇ ପାରେ ବୋଲି ବନବିଭାଗ ଅଧିକାରୀମାନେ ସନ୍ଦେହ କରୁଛି। ସନ୍ତରାଗଡ଼ିଆ ବିଟ୍‌ ହାଉସ ଅଧୀନ ମନଭଙ୍ଗା ପାହାଡ଼ର ମଧ୍ୟଭାଗରେ ସନ୍ତରାଗଡ଼ିଆ ଫରେଷ୍ଟ ଗାର୍ଡ ଜ୍ୟୋତ୍ସ୍ନା ଦତ୍ତ, ସବୁଜ ବାହିନୀର ମହେଶ୍ୱର ବେହେରା, ମହେଶ୍ୱର ସିଂ, ବୁଦ୍ଧିଆ ସିଂ ଆଜି ସକାଳେ ପାଟ୍ରୋଲିଂ କରୁଥିବା ବେଳେ ମାଈହାତୀଟି ମରି ପଡ଼ିଥିବା ଦେଖି ଫରେଷ୍ଟର ବିବେକ ଜେନା ଓ ରେଞ୍ଜର ଲକ୍ଷ୍ମଣ ପ୍ରଧାନଙ୍କୁ ଖବର ଦେଇଥିଲେ।

ଡିଏଫ୍‌ଓ ଶ୍ରୀ ପଣ୍ଡାଙ୍କ ସହ ସଂପୃକ୍ତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ। ଘଟଣା ସଂପର୍କରେ ବାଲେଶ୍ୱର ଜିଲ୍ଲା ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସାହେବ ଚନ୍ଦ୍ର ମର୍ଦ୍ଦରାଜଙ୍କ ମତାମତ ନେବାରୁ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମାଈହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର