ଘଣ୍ଟାପଡ଼ା : ଗତକାଲି ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଞ୍ଚଳରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବାବେଳେ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳ ବରଗାଁ ସେକ୍ସନ ଘୁଚାଙ୍ଗି ଜଙ୍ଗଲରୁ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ୧୧ କେଭି ବିଦ୍ୟୁତ୍ ତାର ଲାଗି ହାତୀର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ଗତକାଲି ରାତିରେ ଦନ୍ତାହାତୀଟି ଜଙ୍ଗଲରେ ବୁଲୁଥିବା ବେଳେ କମ୍ ଉଚ୍ଚତାରେ ଯାଇଥିବା ବିଦ୍ୟୁତ୍ ତାରରେ ତା’ର ଶୁଣ୍ଢଟି ଲାଗି ଯାଇଥିଲା। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତା’ର ମୃତ୍ୟୁ ହୋଇଯାଇଥିଲା। ବୁଧବାର ସକାଳେ ଘୁଚାଙ୍ଗି ଗ୍ରାମବାସୀ ମୃତ ଦନ୍ତାହାତୀଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବୌଦ୍ଧ ଡିଏଫ୍ଓ ମଧ୍ୟ ତଦନ୍ତ କରି ଫେରିଯାଇଛନ୍ତି। ମୃତ ଦନ୍ତାହାତୀର ବ୍ୟବଚ୍ଛେଦ କରିବାପାଇଁ ଭୁବନେଶ୍ବରରୁ ଏକ ଡାକ୍ତରୀଦଳ ଆସୁଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ସମ୍ପୃକ୍ତ ଅଞ୍ଚଳରେ ହାତୀପଲ ରହୁଥିବା ଏବଂ ବିଦ୍ୟୁତ୍ ତାର ନିମ୍ନ ଉଚ୍ଚତାରେ ଯାଇଥିବା ସମ୍ପର୍କରେ ଜାଣିସୁଦ୍ଧା ବନବିଭାଗର ଦୃଷ୍ଟି ନ ପଡ଼ିବା ଦୁର୍ଭାଗ୍ୟଜନକ ବୋଲି ଆଲୋଚନା ହେଉଛି। ବନବିଭାଗ କର୍ମଚାରୀ ଜଙ୍ଗଲରେ ବୁଲିବା ସମୟରେ ଉକ୍ତ ବିଦ୍ୟୁତ୍ ତାରକୁ କେମିତି ଦେଖି ନ ଥିଲେ, ତାକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/elephant-anu33.jpg)