ବିଦ୍ୟୁତ୍‌ ଆଘାତରେ ହାତୀ ମୃତ!, ଦୁଇ ଦିନରେ ଦୁଇ

ବନ୍ତଳା : ଅନୁଗୁଳ ବ୍ଲକ୍‌ ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା ରେଞ୍ଜ ବେହେରା ସାହି ନିକଟରେ ଗତକାଲି ଏକ ହାତୀର ମୃତ୍ୟୁ ଘଟିଥିବା ବେଳେ ଆଜି ସନ୍ଧ୍ୟାରେ ବନ୍ତଳା ବନାଞ୍ଚଳର ପୋକତୁଙ୍ଗା ଗ୍ରାମ ନିକଟ ତେଲିତୈଳାରୁ ବନ ବିଭାଗ ଏକ ଦନ୍ତାର ମୃତଦେହ ଉଦ୍ଧାର କରିଛି। ତେଲିତୈଳାଠାରେ ଗତକାଲି ହାତୀପଲ ଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଏକ ଦନ୍ତାର ମୃତ୍ୟୁ ଘଟିଥିବା ସଂପର୍କରେ ଖବର ପାଇ ଆଜି ବନ ବିଭାଗ ଏସିଏଫ୍‌ ଶ୍ରୀକାନ୍ତ ବେହେରା, ଡିଏଫ୍‌ଓ ଭି.କାର୍ତିକ ବନ କର୍ମଚାରୀମାନଙ୍କ ସହ ସେଠାରେ ପହଞ୍ଚି ତଦନ୍ତ କରିଥିଲେ। ମୃତ ଦନ୍ତାର ବୟସ ୪୦ ବର୍ଷ ହୋଇଥିବା ବେଳେ ଏହାର ଦୁଇଟି ଦାନ୍ତ ବନ ବିଭାଗ ଜବତ କରିଛି। ଜଣେ ଚାଷୀ ନିଜ ବଗିଚାକୁ ନେଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଉକ୍ତ ଦନ୍ତା ମୃତ୍ୟୁବରଣ କରିଥିବା ବନ ବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି। ଏ ନେଇ ପୋକତୁଙ୍ଗାର ଚାଷୀ ଅମୂଲ୍ୟ ପ୍ରଧାନଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ତେବେ କିଛି ଦିନ ମଧ୍ୟରେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର