ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲାରେ କିଛିମାସ ତଳେ ବିଦ୍ୟୁତ୍‌ ଆଘାତରେ ୭ଟି ହାତୀ ଜୀବନ ହରାଇବା ଘଟଣା ପାଶୋରି ନହେଉଣୁ ସେହିଭଳି ପୁଣି ଏକ ଦନ୍ତାହାତୀ ମୃତ୍ୟୁମୁଖରେ ପଡ଼ିଛି। ଗତ ରାତିରେ ହିନ୍ଦୋଳ ବନାଞ୍ଚଳ ଦୁଦୁରୁକୋଟ ନିକଟ କଞ୍ଜାମୁଣ୍ଡିଆ ଜଙ୍ଗଲରେ ଏହା ଘଟିଛି। ବନ୍ୟଜୀବ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ଫାଶ ଲାଗି ୩୫ ବର୍ଷର ଏକ ଦନ୍ତାହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ, ଜଙ୍ଗଲରେ ବିଦ୍ୟୁତ୍‌ ଲାଇନ୍‌ ଯାଇଥିବାବେଳେ ବଣ୍ୟଜନ୍ତୁ ଶିକାର କରିବା ପାଇଁ ଦୁର୍ବୃତ୍ତମାନେ ହୁକ ପକାଇ ଫାଶ ବସାଉଛନ୍ତି। କଞ୍ଜାମୁଣ୍ଡିଆ ଜଙ୍ଗଲରେ ଏଭଳି ଏକ ଫାଶରେ ଛନ୍ଦି ହୋଇ ଦନ୍ତାହାତୀ ମରିଥିବା ଖବର ପ୍ରଚାରିତ ହେବା ପରେ ସେଠାକୁ ଲୋକଙ୍କ ସୁଅ ଛୁଟିଥିଲା। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ହାତୀର ଶବ ଜବତ କରି ବ୍ୟବଚ୍ଛେଦ କରାଇଛନ୍ତି । ସେଠାରୁ ବିଦ୍ୟୁତ୍‌ ଫାଶ ଜବତ କରାଯାଇଛି। ବିଦ୍ୟୁତ ଫାଶ ଲାଗି ହାତୀର ମୃତ୍ୟୁ ଘଟିଥିବା ବିଭାଗ ପ୍ରକାଶ କରିଛି।