ପୁଣି ଏକ ହାତୀ ମୃତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟଣାର ୨୪ ଘଣ୍ଟା ନପୂରୁଣୁ ଆଉ ଏକ ହାତୀର ମୃତ୍ୟୁ ଘଟିଛି। ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳରେ ଆଜି ଏକ ଦନ୍ତା ହାତୀର ଶବ ମିଳିଛି। ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବନ ବିଭାଗ ଏହାକୁ ଖଣ୍ଡନ କରିଛି।

ମିଳିଥିବା ସୂଚନା ଅନୁସାରେ, ଉତ୍ତର ଘୁମସର ବନଖଣ୍ଡର ଜଗନ୍ନାଥ ପ୍ରସାଦ, ତାରସିଂ ଓ ମୁଜାଗଡ ଆଦି ଅଞ୍ଚଳରେ ଦୀର୍ଘଦିନ ହେଲା ଏକ ୧୮ଟିକିଆ ହାତୀପଲଙ୍କ ଗତିବିଧି ଜାରି ରହିଛି। ସେମାନେ ଦଳବଦ୍ଧ ଭାବେ ଚଳପ୍ରଚଳ କରୁଥିବାବେଳେ ଏହି ଦନ୍ତାହାତୀଟି ସେମାନଙ୍କ ଠାରୁ ଅଲଗା ହୋଇ ଏକୁଟିଆ ବୁଲୁଥିଲା। ଗତକାଲି ରାତିରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଇଥିଲା। ଆଜି ସକାଳେ ହାତୀଟିର ଶବ ବାରିଦଣ୍ଡା ଗ୍ରାମ ନିକଟସ୍ଥ ନଦୀ ତଟରେ ଥିବା ଜମିରୁ ମିଳିଥିଲା। ଏହି ଖବର ପ୍ରଚାର ହେବା କ୍ଷଣି ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଯାଇଥିବା ବେଳେ ବନ ବିଭାଗର କର୍ମଚାରୀ, ପ୍ରାଣୀ ଚିକିତ୍ସକ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହାପରେ ମୃତ ହାତୀର ଦୁଇଟି ଦାନ୍ତ ବାହାର କରିବା ପରେ ସେଠାରେ ବ୍ୟବଚ୍ଛେଦ କରାଯାଇଥିଲା। ମୃତ ହାତୀଟିର ବୟସ ୪୦ରୁ ଅଧିକ ହେବ।

ସମ୍ବନ୍ଧିତ ଖବର