ଗଜରାଜଙ୍କୁ ଲାଗିଛି ଗ୍ରହଣ, ଗଞ୍ଜାମରେ ୧୨ ମଲେଣି

ଦାନ୍ତ ପାଇଁ ମାରିଦେଲେ, ବ୍ୟବଚ୍ଛେଦରେ ଗୁଳି ଚିହ୍ନ, ୩ଦିନ ପୂର୍ବରୁ ମୃତ୍ୟୁ, ଜାଣିପାରିଲାନି ବନ ବିଭାଗ

ଭଞ୍ଜନଗର : ରାଜ୍ୟରେ ଗଜରାଜଙ୍କ ପାଇଁ କାଳ ସାଜିଛନ୍ତି ଶିକାରୀ। ଶିକାରୀ ଯେମିତି ସାରା ରାଜ୍ୟରୁ ହାତୀବଂଶ ବିନାଶ ପାଇଁ ପଣ କରିଛନ୍ତି। ଗତ କିଛିଦିନ ହେଲା ବାରମ୍ବାର ଏଭଳି ଘଟଣା ନଜରକୁ ଆସୁଛି, ଯାହାକି ସମସ୍ତଙ୍କୁ ବ୍ୟଥିତ କରିଛି। ହାତୀଙ୍କ ପାଇଁ କାଳ ସାଜିଛନ୍ତି ହାତୀଦାନ୍ତ ମାଫିଆ। ଦାନ୍ତ କାଟି ନେବା ପାଇଁ ଶିକାରୀ ଗୋଟିଏ ପରେ ଗୋଟିଏ ହାତୀ ହତ୍ୟା କରି ଚାଲିଛନ୍ତି। ହାତୀ ବଂଶକୁ ଗ୍ରହଣ ଲାଗିଥିବା ଭଳି ମନେ ହେଉଛି। ଗତକାଲି ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼ ବନାଞ୍ଚଳ ମୁଜାଗଡ଼ ସେକ୍ସନ୍‌ ଗୁଣ୍ଡୁରିବାଡ଼ି ବିଟ୍ ଦଦରାଲୁଣ୍ଡା-କାନବିନ୍ଧା ଗ୍ରାମ୍ୟ ରାସ୍ତା ସଂଲଗ୍ନ ଦରପଙ୍ଗିଆ ଜଙ୍ଗଲରୁ ଏକ ଦନ୍ତାର ଗଳିତ ଶବ ଠାବ ହୋଇଥିଲା। ଶୁକ୍ରବାର ଦିନ ହାତୀର ଶବ ବ୍ୟବଚ୍ଛେଦ ପରେ ବନ ବିଭାଗ ପକ୍ଷରୁ ପୋତି ଦିଆଯାଇଛି। ବ୍ୟବଚ୍ଛେଦ ରିପୋର୍ଟରୁ ଦନ୍ତା ଶରୀରରେ ଦୁଇଟି ଗୁଳି ଚିହ୍ନ ମିଳିଥିବା ବେଳେ କଲବଲ କରି ମାରି ଦୁଇ ଦାନ୍ତକୁ ଅତି ବୀଭତ୍ସ ଭାବେ ରକ୍ତ ବୁହାଇ ଶିକାରୀମାନେ କାଟି ନେଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ସ୍ପଷ୍ଟ ହୋଇଛି। ତେବେ ସବୁଠାରୁ ବଡ଼କଥା ହେଉଛି ପ୍ରାୟ ୩ରୁ ୪ଦିନ ପୂର୍ବରୁ ଶିକାରୀମାନେ ହାତୀକୁ ମାରି ତାର ଦାନ୍ତ କାଟି ନେଇ ଯାଇଛନ୍ତି। ଏତେ ଦିନ ପରେ ମଧ୍ୟ ବନ ବିଭାଗ ଏହାର ସୁରାକ୍‌ ନପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ହାତୀ ଶବ ପଚି ଦୁର୍ଗନ୍ଧ ହେବା ପରେ ଘଟଣା ଜଣା ପଡ଼ିଥିଲା। ପ୍ରକାଶ ଥାଉ କି ଗଞ୍ଜାମ ଜିଲ୍ଲାରେ ଗତ ୫ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ୧୧ଟି ହାତୀର ମୃତ୍ୟୁ ଘଟିଥିଲା। ସଦ୍ୟ ଦନ୍ତା ହତ୍ୟା ଘଟଣା ପରେ ହାତୀମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି।

ସୂଚନା ଥାଉକି, ଗୁରୁବାର ଦିନ କିଛି ଗ୍ରାମବାସୀ ଜାଳେଣି କାଠ ଆଣିବାକୁ ଆସିଥିବା ବେଳେ ହାତୀଟି ମରି ପଡ଼ିଥିବା ଦେଖିଥିଲେ। ସୂଚନା ପାଇ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ସହକାରୀ ବନ ସଂରକ୍ଷକ ବିକ୍ରମଦେବ ପଟ୍ଟନାୟକ ଏବଂ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଜି ଦିନ ୧୧ଟା ସମୟରେ ପୁଣି ସମସ୍ତ‌ ଅଧିକାରୀ, ଉପଖଣ୍ଡ ପ୍ରାଣୀ ଅଧିକାରୀ ପ୍ରମୁଖ ଘଟଣାସ୍ଥଳକୁ ଯାଇ ହାତୀଟିର ମୃତଦେହ ବ୍ୟବଚ୍ଛେଦ କରିଛନ୍ତି। ଦାନ୍ତ କଟା ଯାଇଥିବା ସ୍ଥାନ ନିକଟରୁ ଦାନ୍ତର ବଳକା ଅଂଶ ସଂଗ୍ରହ କରିବା ସହ ତାର କପାଳ ଏବଂ ଅଣ୍ଟା ପଛ ପାଖରେ ଦୁଇଟି ଗୁଳିବିଦ୍ଧ କଣା ରହିଥିବା ଦେଖିବାକୁ ମିଳିଛି। ତ‌େବେ ଶବ ବ୍ୟବଚ୍ଛେଦ ପରେ ଗୁଳି ମିଳିଛି ନା ନାହିଁ ସେ ସଂର୍ପକରେ ବନ ବିଭାଗ ସ୍ପଷ୍ଟ କରୁ ନାହିଁ। ହାତୀର ଦାନ୍ତ କାଟି ନିଆଯାଇଥିବା ବନଖଣ୍ଡ ଅଧିକାରୀ ଶ୍ରୀ ବେହେରା ସ୍ବୀକାର କରିଥିବା ‌େବ‌ଳେ ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦ‌େଇଛନ୍ତି।

ଅନ୍ୟପକ୍ଷେ ଅବସରପ୍ରାପ୍ତ ରେଞ୍ଜର୍‌ ଅନୁପମ ବାନାର୍ଜୀଙ୍କ ମତରେ ଶିକାରୀଙ୍କ ଏଭଳି ପାଦୁର୍ଭାବ ଉତ୍ତର ଘୁମୁସର ବନଖଣ୍ଡରେ ପୂର୍ବରୁ ଦେଖିବାକୁ ମଳିନଥିଲା। ଦନ୍ତାକୁ ହତ୍ୟା କରି ବର୍ତ୍ତମାନ ଶିକାରୀମାନେ ସେମାନଙ୍କର ଉପସ୍ଥିତି ଜାହିର କରିଛନ୍ତି। ଯାହାକି ହାତୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର