କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବସନ୍ତପୁରଠାରେ ରବିବାର ଭୋରରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବିଦ୍ୟୁତ୍ ଖୁଣ୍ଟରେ ଲାଗିଥିବା ଷ୍ଟେ ତାରରେ ବିଦ୍ୟୁତ୍ ଚାର୍ଜ ହୋଇଥଲା।
ହାତୀଟି ଏହାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ଜଣାପଡ଼ିଛି। ସବୁଥର ପରି ଏଥର ମଧ୍ୟ ହାତୀ ମୃତ୍ୟୁକୁ ନେଇ ଉଭୟ ବନ ବିଭାଗ ଓ ବିଦ୍ୟୁତ୍ ବିଭାଗ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି। ଗତକାଲି ବସନ୍ତପୁର ଅଞ୍ଚଳରେ ଏକ ଦନ୍ତାହାତୀ ବୁଲୁଥିଲା। ଭୋର୍ ସମୟରେ ୧୧ କେଭି ବିଦ୍ୟୁତ୍ ଖୁଣ୍ଟର ଷ୍ଟେ ତାରରେ ହାତୀର ଗୋଡ଼ ବାଜିଥିଲା। ସେଥିରେ ବିଦ୍ୟୁତ୍ ଚାର୍ଜ ହୋଇଥିବାରୁ ହାତୀଟି ସେଠାରେ ଟଳି ପଡ଼ିଥିଲା। ସକାଳେ ସ୍ଥାନୀୟ ଲୋକେ ହାତୀ ମରିପଡ଼ିଥିବା ଦେଖି ବନ ବିଭାଗ ଓ ବିଦ୍ୟୁତ୍ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ତତ୍କାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବିଦ୍ୟୁତ୍ ବିଭାଗ ଅଧିକାରୀମାନେ ପୂର୍ବାହ୍ନ ୧୧ଟା ପରେ ପହଞ୍ଚିଥିଲେ। ପରେ ପ୍ରାଣୀ ଚିକିତ୍ସା ବିଭାଗର ଏକ ଡାକ୍ତରୀ ଦଳ ପହଞ୍ଚି ହାତୀର ଶବ ବ୍ୟବଚ୍ଛେଦ କରିଛନ୍ତି।
କୌଣସି ସ୍ଥାନରେ ହାତୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଲେ ତତ୍କ୍ଷଣାତ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବା କଥା। ମାତ୍ର, ଏଠାରେ ଭୋର ସାଢ଼େ ୪ଟାବେଳେ ହାତୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ବେଳେ ସକାଳ ୭ଟା ପର୍ଯ୍ୟନ୍ତ ମୃତଦେହରେ ବିଦ୍ୟୁତ୍ ପ୍ରବାହିତ ହେଉଥିଲା। ସେହିପରି ଷ୍ଟେ ତାରରେ ଇନ୍ସୁଲେଟର ନଥିଲା। ଯେଉଁଥିପାଇଁ ସେଥିରେ ବିଦ୍ୟୁତ୍ ଚାର୍ଜ ହୋଇଥିବା ଜଣାପଡ଼ିଛି। ବିଦ୍ୟୁତ୍ ବିଭାଗର ତ୍ରୁଟି ଯୋଗୁ ଦନ୍ତାହାତୀର ଜୀବନ ଯାଇଥିବା ଡିଏଫ୍ଓ ଏଚ୍ଡି ଧନରାଜ କହିଛନ୍ତି।
ଅନ୍ୟପକ୍ଷରେ, ବନ ବିଭାଗର ଏପରି ଅଭିଯୋଗକୁ ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟା ପାୱାରର ଅଧୀକ୍ଷଣ ଯନ୍ତ୍ରୀ ନାରାୟଣ ଦାଶ ଖଣ୍ଡନ କରିଛନ୍ତି। ଗତକାଲି ବସନ୍ତପୁର ଅଞ୍ଚଳରେ ହାତୀ ଥିବାନେଇ ବନ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା ବୋଲି ସେ କହିଛନ୍ତି।