କୋଇଡ଼ା ବନାଞ୍ଚଳରେ ଦନ୍ତା ହାତୀ ମୃତ୍ୟୁ ଘଟଣା : ଆନ୍ଥ୍ରାକ୍ସ ଆଶଙ୍କା‌ରେ ଲୋକେ ଘର ଛାଡ଼ିଲେ

କୋଇଡ଼ା : କୋଇଡ଼ା ବନାଞ୍ଚଳରେ ଏକ ମାଈହାତୀର ମୃତ୍ୟୁକୁ ସପ୍ତାହେ ଯାଇଥିବାବେଳେ ପୁଣି ଏକ ଦନ୍ତାର ମୃତ୍ୟୁ ଘଟଣା ସମଗ୍ର ଇଲାକାରେ ଭୟର ବାତାବରଣ ସୃଷ୍ଟି କରିଛି। ଆନ୍ଥ୍ରାକ୍ସ ସଂକ୍ରମିତ ହୋଇ ଦନ୍ତାର ମୃତ୍ୟୁ ଘଟିଥିବା ଆଶଙ୍କା‌ରେ ବନବିଭାଗ ପକ୍ଷରୁ ମୃତ ହାତୀକୁ କେବଳ ପୋତିବା ବଦଳରେ ପୋଡ଼ିଦେଇ ପାଉଁଶକୁ ମାଟିତଳେ ପୋତି ଦିଆଯାଇଛି ଏବଂ ଏହି ଇଲାକାକୁ ନିଷିଦ୍ଧାଞ୍ଚଳ ଘୋଷଣା ମଧ୍ୟ କରା ଯାଇଛି। ଅପରପକ୍ଷେ ଆନ୍ଥ୍ରାକ୍ସ ଭୟରେ ଦନ୍ତା ମରିଥିବା ଅଞ୍ଚଳରେ ଥିବା ପଡ଼ାଗୁଡ଼ିକର ଲୋକେ ଭୟରେ ଘର ଛାଡ଼ି ଅନ୍ୟ ସ୍ଥାନକୁ ପଳାଇ ଯାଇଛନ୍ତି।

ଚଳିତ ମାସ ୧୩ ତାରିଖରେ ମେଢାମାରୁଣି ସଂରକ୍ଷିତ ଜଙ୍ଗଲରେ ଏକ ମାଈହାତୀର ସନ୍ଦେହଜନକ ମୃତ୍ୟୁ ପରେ ବନବିଭାଗ ଶବ ବ୍ୟବଚ୍ଛେଦ କରି ରକ୍ତ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବର ପଠାଇଥିଲା। ଆଉ ଶବକୁ ସେହି ସ୍ଥାନରେ ପୋତି ଦେଇଥିଲା। ଏଯାଏ ରିପୋର୍ଟ ଆସିନାହିଁ। ତା’ର ଏକ ସପ୍ତାହ ପରେ ପୁଣି ନିକଟସ୍ଥ ଓରାଘାଟ ପାରମସାହିରେ ଏକ ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ ବିଭାଗକୁ ଚିନ୍ତା‌‌ରେ ପକାଇ ଦେଇଛି। ପଶୁ ବିଶେଷଜ୍ଞଙ୍କ କହିବା ଅନୁସାରେ, ମୃତ ଦନ୍ତାହାତୀ ଠାରେ ଆନ୍ଥ୍ରାକ୍ସ ଲକ୍ଷଣ ଦେଖିବାକୁ ମିଳିଥିଲା। ତେଣୁ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ହାତୀର ବ୍ୟବଚ୍ଛେଦ କରା ନ ଯାଇ କେବଳ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ହାତୀର ଶବକୁ ପୋଡ଼ି ପାଉଁଶକୁ ମଧ୍ୟ ପୋତିଦେଇ ଉକ୍ତ ସ୍ଥାନକୁ ଘେରାଯାଇ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି।

ଆନ୍ଥ୍ରାକ୍ସ ଏକ ଜୀବାଣୁ ଜନିତ ସଂକ୍ରାମକ ରୋଗ। ତେଣୁ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକେ ନିଜ ଘରଦ୍ବାର ଛାଡ଼ି ଅନ୍ୟ ସ୍ଥାନକୁ ପଳାଇବାକୁ ବାଧ୍ୟ ହୋଇଛନ୍ତି। ପ୍ରଥମରୁ କରୋନା ସଂକ୍ରମଣ ପ୍ରସଙ୍ଗରେ ଆତଙ୍କିତ ଥିବା ଲୋକେ ଏହାକୁ ନେଇ ଆହୁରି ଭୟଭୀତ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର