ଗଜ ସମ୍ପଦ ପ୍ରତି ବିପଦ : ଦୁରାରୋଗ୍ୟ ହର‌େପସ୍‌ ଭାଇରସ୍‌ ସଂକ୍ରମଣରେ ହାତୀ ‘ଚନ୍ଦନ’ ମୃତ

ସ୍ଥାନାନ୍ତର ହେବେ ୬ ହାତୀ, ଯାଞ୍ଚ ପାଇଁ ପଠାଗଲା ବାକି ହାତୀଙ୍କ ରକ୍ତ ନମୁନା

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମାସକ ମଧ୍ୟରେ ଦୁଇଟି ହାତୀଙ୍କ ଜୀବନ ନେଇଛି ମାରାତ୍ମକ ହର‌େପସ୍‌ ଭାଇରସ୍‌ ଆକ୍ୟୁଟ୍‌ ହାମରାଇଟିଜ୍‌ ସଂକ୍ରମଣଜନିତ ରୋଗ। ଗତରାତିରେ ପ୍ରାଣ ହରାଇଥିବା ନନ୍ଦନକାନନର ଏକମାତ୍ର ଦନ୍ତା ହାତୀ ‘ଚନ୍ଦନ’(୯)ର ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣାପଡ଼ିଛି। ଗତ ଅଗଷ୍ଟ ୨୬ ତାରିଖରେ ‘ଜୁଲି’ ମଧ୍ୟ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲା। ଏହି ଘଟଣା ପଦାକୁ ଆସିବା ପରେ ଏବେ ନନ୍ଦନକାନନ କର୍ତ୍ତୃପକ୍ଷ ଓ ହାତୀପ୍ରେମୀମାନଙ୍କ ଚିନ୍ତା ବଢ଼ି ଯାଇଛି। କାରଣ ଏହି ମାରାତ୍ମକ ଭାଇରସ୍‌ ସଂକ୍ରମଣ ଦୁରାରୋଗ୍ୟ। ଆଜି ପର୍ଯ୍ୟନ୍ତ ଏହାର ଚିକିତ୍ସା ବାହାରି ନାହିଁ। ଏହା ଗୋଟିଏ ହାତୀରୁ ଅନ୍ୟ ହାତୀମାନଙ୍କୁ ମଧ୍ୟ ଦ୍ରୁତଗତିରେ ବ୍ୟାପିବାର ନଜିର ରହିଛି। ତେଣୁ ନନ୍ଦନକାନନର ବାକି ୬ ହାତୀ ପ୍ରେମା, ବାସନ୍ତୀ, ଗୌରୀ, କମଳା, ହୀରା ଓ ମାମାଙ୍କୁ ଯଥାଶୀଘ୍ର ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଛି। ଏହାସହ ସେମାନେ ଏହି ଭାଇରସ୍‌ରେ ଆକ୍ରାନ୍ତ କି ନାହିଁ, ତାହା ଜାଣିବା ପାଇଁ ଆଜି ସେମାନଙ୍କ ରକ୍ତନମୁନାକୁ ଉତ୍ତରପ୍ରଦେଶର ବରେଲିସ୍ଥିତ ଭାରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନକୁ ପଠାଯାଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ ଦାସ ସୂଚନା ଦେଇଛନ୍ତି।

ବିଶେଷକରି ଏସୀୟ ମହାଦେଶର ହାତୀମାନଙ୍କ ମଧ୍ୟରେ ଦେଖାଦେଉଥିବା ଏହି ମାରାତ୍ମକ ଭାଇରସ୍‌ ସଂକ୍ରମଣରେ କିଛି ଦିନ ତଳେ କେରଳରେ ଏକ ହାତୀ ପ୍ରାଣ ହରାଇଛି। ସେହିପରି ଦୁଇବର୍ଷ ତଳେ ଆସାମରେ ମଧ୍ୟ କିଛି ହାତୀ ଏହି ସଂକ୍ରମଣରେ ପ୍ରାଣ ହରାଇଥିବା ଜଣାଯାଇଛି। ତେଣୁ ଏହି ସଂକ୍ରମଣରୁ ହାତୀମାନଙ୍କୁ କିପରି ରକ୍ଷା କରାଯାଇପାରିବ, ସେଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଆମେରିକାର ଏକ ପ୍ରାଣୀ ଚିକିତ୍ସକ ଦଳ ସହ ଯୋଗାଯୋଗ କରୁଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଦନ୍ତା ଚନ୍ଦନ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା। ତା’ର ଶରୀରର ଉତ୍ତାପ ବୃଦ୍ଧି ପାଇବା ସହ ସେ ମାନ୍ଦାଳିଆ ରହିଥିଲା। ତେଣୁ ନନ୍ଦନକାନନ କର୍ତ୍ତୃପକ୍ଷ ଜ୍ବର ଭଲ ହେବା ପାଇଁ ଟିକା ଓ ସାଲାଇନ୍ ଦେଇ ତା’ର ଚିକିତ୍ସା ଆରମ୍ଭ କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ତା’ର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁର କାରଣ ଜାଣିବା ପାଇଁ ଓଡ଼ିଶା ପ୍ରାଣୀ ବୈଷୟିକ ଗବେଷଣା କେନ୍ଦ୍ର ନିଦାନ ବିଭାଗର ପ୍ରଫେସର୍‌ ଡା. ସୁଶେଣ ପଣ୍ଡା ‘ଚନ୍ଦନ’ର ଶବ ବ୍ୟବଚ୍ଛେଦ କରିଥିଲେ। ହର‌େପସ ଭାଇରସ୍‌ ସଂକ୍ରମଣ ଯୋଗୁଁ ତା’ ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗରେ ଗଭୀର କ୍ଷତ ହୋଇଥିଲା ଓ ଏହା ହିଁ ତା’ ମୃତ୍ୟୁର କାରଣ ବୋଲି ଡା. ପଣ୍ଡା ରିପୋର୍ଟରେ ଦର୍ଶାଇଛନ୍ତି। ଅପରପକ୍ଷେ ବ୍ୟବଚ୍ଛେଦ ପରେ ଚନ୍ଦନର ଶବକୁ ହାତୀଶାଳ ପଛ ବୁଦାମୂଳରେ ପୋତି ଦିଆଯାଇଛି। ସଂକ୍ରମଣ ନ ବ୍ୟା‌ପିବା ପାଇଁ ଲୁଣ ଓ କେମିକାଲ ଦେଇ ପୋତି ଦିଆଯାଇଛି।

ସମ୍ବନ୍ଧିତ ଖବର