ଛେମଣ୍ତିଆ ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଲାଣ୍ତିମାଳ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ସାହେବୀ ନିକଟ ଛେମଣ୍ଡିଆ ଜଙ୍ଗଲରେ ରବିବାର ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ସୂଚନାନୁସାରେ, ଦନ୍ତା ହାତୀଟି ଶନିବାର ବଡ଼ମାଳ ପଟୁ ଲାଣ୍ତିମାଳ, ଘୋଷରାମାଳ ଜଙ୍ଗଲ ଦେଇ ଆସି ଛେମୁଣ୍ତିଆ ଜଙ୍ଗଲରେ ପହଞ୍ଚିଥିଲା। ରବିବାର ସକାଳୁ ଛେମୁଣ୍ତିଆ ମାନକୁଣ୍ତା ଜଙ୍ଗଲ ନିକଟ ଏକ ଜମିରେ ସେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଖବର ପାଇ ରେଢ଼ାଖୋଲ ଏସିଏଫ୍‌ ଦେବୀ ପ୍ରସାଦ ରାଉତ, ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ବିନୀ ବେହେରା, ଫରେଷ୍ଟର ସଞ୍ଜୟ ସାହୁ, ପ୍ରାଣୀ ଚିକତ୍ସକ ଶ୍ରବଣ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ହାତୀଟିକୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ହାତୀଟି ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ହାତୀର ଶବକୁ ବ୍ୟବଚ୍ଛେଦ ପରେ ଗାତ ଖୋଳି ପୋତି ଦିଆଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କହାଯାଇଛି।

ସୂଚନା ଥାଉକି ଗତ ଅକ୍ଟୋବର ୨୭ ତାରିଖରେ ନାକଟିଦେଉଳ ବ୍ଲକ୍‌ ଖଳାଶୁଣୀ ସଂରକ୍ଷିତ ଜଙ୍ଗଲର କୁଲାଡେରାରେ ଏକ ଅସୁସ୍ଥ ମାଈ ହାତୀର ମୃତ୍ୟୁ ଘଟିଥିଲା। ବନ ବିଭାଗ କର୍ମଚାରୀମାନେ ବହୁ ଚେଷ୍ଟା ପରେ ବି ତାକୁ ବଞ୍ଚାଇ ପାରିନଥିଲେ। ବନ ବିଭାଗ ପକ୍ଷରୁ ହାତୀମାନଙ୍କ ଗତିବିଧି ପ୍ରତି ଦୃଷ୍ଟି ଦେବାକୁ କର୍ମଚାରୀ ନିଯୁକ୍ତ ଥିଲେ ହେଁ ସେମାନଙ୍କ ଅବହେଳା ଯୋଗୁଁ ହାତୀର ମୃତ୍ୟୁ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର