ବଣାଇଁଗଡ଼ : ରାଉରକେଲା ବନଖଣ୍ଡର ବାଙ୍କି ରେଞ୍ଜ ଅନ୍ତର୍ଗତ କେ.ବଲାଙ୍ଗ ସେକ୍ସନର ସାରସପୋଷ ଗ୍ରାମ ନିକଟରୁ ଆଜି ଏକ ୬/୭ ବର୍ଷର ମାଈହାତୀର ଶବକୁ ବନ ବିଭାଗ ଉଦ୍ଧାର କରିଛି। ତୀର ମାଡ଼ରେ ହାତୀର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସନ୍ଦିଗ୍ଧ ଶିକାରୀମାନଙ୍କୁ ସହ ୨୪ଘଣ୍ଟା ମଧ୍ୟରେ ଗିରଫ କରାଯିବ ବୋଲି ଡିଏଫ୍ଓ ସଞ୍ଜୟ କୁମାର ସ୍ୱାଇଁ କହିଛନ୍ତି।
ଝଡ଼ଖଣ୍ଡରୁ ଆସିଥିବା ହାତୀପଲ କେ.ବଲାଙ୍ଗ ସେକ୍ସନର ବିଭିନ୍ନ ଅଞ୍ଚଳରେ ଅମଳକ୍ଷମ ଧାନ ଫସଲକୁ ଖାଇବା ସହ ଦଳି ନଷ୍ଟ କରିଦେଉଥିବାରୁ ସ୍ଥାନୀୟ ଚାଷୀମାନେ ହତାଶ ହୋଇ ପଡ଼ିଛନ୍ତି। ହାତୀପଲକୁ ଘଉଡାଇବା ପାଇଁ ସେମାନେ ଜଙ୍ଗଲ ବିଭାଗକୁ ଜଣାଇଥିଲେ ମଧ୍ୟ ବନ କର୍ମଚାରୀମାନେ କେବଳ ବାଣ ଫୁଟାଇ ଦାୟିତ୍ୱ ଶେଷ କରୁଛନ୍ତି। ଫଳରେ ହାତୀପଲ ହଟିବା ବଦଳରେ ସାରସପୋଷ ଅଞ୍ଚଳରେ ଫସଲ ନଷ୍ଟ କରୁଛନ୍ତି। ହାତୀପଲଙ୍କ ଦାଉରୁ ଧାନ ଫସଲକୁ ରକ୍ଷା କରିବା ପାଇଁ ଗ୍ରାମର ଚାଷୀମାନେ ଏହା ପୂର୍ବରୁ ବିଦ୍ୟୁତ ତାର ବିଛାଇ ଜଗୁଥିଲେ। କେ.ବଲାଙ୍ଗ ପୁଲିସ ଏହି ଖବର ପାଇ ବିଭିନ୍ନ ସ୍ଥାନରୁ ବିଦ୍ୟୁତ ତାର ଜବତ କରି ନେଇଯାଇଥିଲେ। କାଲି ରାତି ହାତୀପଲ ପୁଣି ଗ୍ରାମର ଚାଷ ଜମି ଆଡକୁ ମାଡ଼ିଆସି ଫସଲ ନଷ୍ଟ କରିବାରୁ କେହି ହାତୀପଲଙ୍କୁ ଲକ୍ଷ୍ୟ କରି ତୀର ମାଡ଼ କରିଥିବା ସନ୍ଦେହ କରାଯାଉଛି। ଆଜି ସକାଳେ ଚାଷ ଜମିରେ ମାଈ ହାତୀର ଶବ ପଡିଥିବାବେଳେ ହାତୀର ଶୁଣ୍ଢ, ବେକ ଓ ପେଟ ଆଦି ୫ଟି ସ୍ଥାନରେ ତୀର ମାଡ଼ କ୍ଷତ ଚିହ୍ନ ଥିବା ଦେଖାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/rkl-Bonai-Elephant-1-2.jpg)