ବାକରତୁଲା ଜଙ୍ଗଲରେ ଗର୍ଭବତୀ ହାତୀର ରହସ୍ୟଜନକ ମୃତ୍ୟୁ

ରାଉରକେଲା/ବଣାଇଁ : ରାଉରକେଲା ବନଖଣ୍ଡ ଅନ୍ତର୍ଗତ ବାଙ୍କି ରେଞ୍ଜ ଅଧିନସ୍ଥ କେ.ବଲାଙ୍ଗ ସେକ୍ସନର ବାକରତୁଲା ଜଙ୍ଗଲରେ ଏକ ଗର୍ଭବତୀ ମାଈ ହାତୀର ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ, କିନ୍ତୁ ବହୁ ପରିମାଣରେ ଖାଦ୍ୟ ଖାଇ ହଜମ କରିନପାରିବାରୁ ତା’ର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଇଛି। ବନ କର୍ତୃପକ୍ଷ ଓ ପ୍ରାଣୀଚିକିତ୍ସିକଙ୍କ ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି।

ବାକରତୁଲା ସଂରକ୍ଷିତ ଜଙ୍ଗଲ ଓ ଆଖପାଖ ଅଞ୍ଚଳରେ ୪ଟି ହାତୀ ବିଶିଷ୍ଟ ଏକ ହାତୀପଲ ଗତ କିଛି ମାସ ହେଲା ଉପଦ୍ରବ କରୁଛନ୍ତି। ଏହି ହାତୀପଲରେ ଗୋଟିଏ ପୁରୁଷ ହାତୀ ଥିବାବେଳେ ୩ଟି ମାଈ ହାତୀ ଅଛନ୍ତି। ତେବେ ଗତ କିଛିଦିନ ହେଲା ଏକ ମାଈ ହାତୀ ଗୋଷ୍ଠୀଛଡ଼ା ହୋଇ ଏକୁଟିଆ ବିଚରଣ କରୁଛି। ଗୋଷ୍ଠୀରୁ ଅଲଗା ହୋଇଯାଇଥିବା ଏହି ମାଈ ହାତୀଟି ବେଶ୍‌ ଉଗ୍ର ଆଚରଣ କରୁଥିଲା। ସନ୍ଧ୍ୟା ହେଲେ ଗାଁ ଭିତରକୁ ପଶି ଫସଲ ନଷ୍ଟ କରିବାପରେ ସକାଳ ହେଲେ ପୁଣି ଜଙ୍ଗଲକୁ ପଲାଉଥିଲା। ଏହି ମାଈ ହାତୀଟି ବାକରତୁଲା ଜଙ୍ଗଲରେ ମରିପଡ଼ିଥିବା ଆଜି ସକାଳେ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏ ବିଷୟରେ ବନ କର୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ବନବିଭାଗ ଅଧିକାରୀ ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଥମେ ବିଦ୍ୟୁତ ସଂସ୍ପର୍ଶରେ ଆସି କିମ୍ବା ବିଷକ୍ରିୟାରୁ ହାତୀର ମୃତ୍ୟୁ ହୋଇଥିବା ଚର୍ଚ୍ଚା ଜୋର ଧରିଥିଲା।

ତେବେ ଏହି ଅଭିଜ୍ଞ ଦଳ ବିସ୍ତୃତ ଯାଞ୍ଚ କରିବାପରେ ବିଦ୍ୟୁତ ସଂସ୍ପର୍ଶରେ କିମ୍ବା ବିଷକ୍ରିୟାରୁ ମୃତ୍ୟୁ ହୋଇନଥିବା ଜାଣିବାକୁ ପାଇଥିଲେ। ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ହାତୀର ଦେହର କିଛି ଅଂଶବିଶେଷ ସଂଗ୍ରହ କରାଯାଇଛି। ଆସନ୍ତାକାଲି ଏହାକୁ ପରୀକ୍ଷା କରିବାକୁ ଓୟୁଏଟିକୁ ପଠାଯିବ।

ଅପରପକ୍ଷରେ ଆଜି ମାଈହାତୀର ଶବ ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ବେଳେ ମାଈ ହାତୀ ଗର୍ଭବତୀ ଥିବା ଜଣାପଡ଼ିଛି। ଅଗାମୀ ୨/୩ ଦିନ ଭିତରେ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ଏକପ୍ରକାର ସ୍ପଷ୍ଟ ହେବ। ବ୍ୟବଚ୍ଛେଦପରେ ମାଈ ହାତୀକୁ ବାକରତୁଲା ସରଂକ୍ଷିତ ଜଙ୍ଗଲରେ ପୋତି ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର