ଆନ୍ଥ୍ରାକ୍ସରେ ଆଉ ଏକ ହାତୀର ମୃତ୍ୟୁ!

ସପ୍ତାହକରେ ୨ ମୃତ, ଲୋକଙ୍କ ମଧ୍ୟରେ ଆତଙ୍କ

କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳରେ ଅଜଣା କାରଣରୁ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। କିଛିଦିନ ପୂର୍ବରୁ କୋଇଡ଼ା ରେଞ୍ଜର ସଗଡଭଙ୍ଗା ମେଢାମାରୁଣୀ ସଂରକ୍ଷିତ ଜଙ୍ଗଲରେ ଏକ ମାଈହାତୀର ମୃତ୍ୟୁ ହୋଇଥିଲା। ଏହି ମୃତ୍ୟୁର ତଦନ୍ତ ରିପୋର୍ଟ ଆସିନାହିଁ। ସେହି ରେଞ୍ଜ ଅନ୍ତର୍ଗତ ଗଣୁଆଁ ବିଟରେ ଥିବା ଅରାଘାଟ ଗାଁର ପାରମସାହିରେ ଆଉ ଏକ ହାତୀର ମୃତଦେହ ମିଳିଛି। ଆନ୍ଥ୍ରାକ୍ସ ସଂକ୍ରମଣ କାରଣରୁ ଏହି ଦନ୍ତାର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଗଣୁଆଁ ବିଟ୍‌ରେ ଥିବା ଅରାଘାଟ ଗାଁର ପାରମସାହି ନିକଟସ୍ଥ ଧାନବିଲକୁ ୧୪ ସଦସ୍ୟ ବିଶିଷ୍ଟ ଏକ ହାତୀପଲ ଫସଲ ଖାଇବା ପାଇଁ ଆସିଥିଲେ। ହାତୀପଲ ଫସଲ ଖାଇସାରି ପଳାଇଥିଲେ, କିନ୍ତୁ ଦଳର ଗୋଟିଏ ହାତୀ ଯାଇ ପାରି ନଥିଲା। ସ୍ଥାନୀୟ ଲୋକେ ବେଶ୍ କିଛି ସମୟ ସେହି ହାତୀର ଯନ୍ତ୍ରଣାକ୍ତ ଆର୍ତ୍ତନାଦ ଶୁଣିବାକୁ ପାଇଥିଲେ। କିଛି ସମୟରେ ସେହି ଆର୍ତ୍ତନାଦ ଧିମେଇ ଧିମେଇ ଆଉ ଶୁଣିବାକୁ ମିଳି ନଥିଲା। ସାହସ କରି ଲୋକେ ଯାଇ ପ୍ରାୟ ୧୨ ବର୍ଷର ଏକ ଦନ୍ତାହାତୀ ପଡ଼ିଥିବାର ଦେଖି ବନବିଭାଗକୁ ଖବର ଦେଇଥିଲେ। ସ୍ଥାନୀୟ ବନବିଭାଗର ଅଧିକାରୀମାନେ ସେହି ରାତିରେ ହିଁ ଘଟଣାସ୍ଥଳକୁ ଯାଇଥିଲେ। ଘଟଣାସ୍ଥଳରେ ବଣାଇଁ ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ସନତ୍ କୁମାରଙ୍କ ସହିତ ଏସିଏଫ୍ ମହେନ୍ଦ୍ର ନାଥ, କୋଇଡା ବନାଞ୍ଚଳ ଭାରପ୍ରାପ୍ତ ଅଧିକାରୀ ନବୀନ ପ୍ରଧାନ ପ୍ରମୁଖ ତଦନ୍ତ ଜାରି ରଖିଥିଲାବେଳେ କୋଇଡା ପ୍ରାଣୀ ଚିକିତ୍ସାଳୟର ଡାକ୍ତର ନୀଳମାଧବ ସାହୁ ମୃତହାତୀର ରକ୍ତ ନମୁନା ନେଇ ପରୀକ୍ଷା ପାଇଁ ପଠାଇଛନ୍ତି ।

ଉଲ୍ଲେଖନୀୟ ଯେ, ଗତ ୧୩ ତାରିଖରେ କୋଇଡ଼ା ରେଞ୍ଜର ସଗଡଭଙ୍ଗା ମେଢାମାରୁଣୀ ସଂରକ୍ଷିତ ଜଙ୍ଗଲରେ ଏକ ମାଈହାତୀର ମୃତ୍ୟଦେହ ଗ୍ରାମବାସୀଙ୍କ ଜରିଆରେ ଠାବ ହୋଇଥିଲା। ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ହାତୀର ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବନବିଭାଗ ତଦନ୍ତ କରୁଥିବା ଦାବି କରୁଥିବାବେଳେ ମାଈହାତୀର ମୃତ୍ୟୁକୁ ଏକ ସପ୍ତାହ ହୋଇ ଯାଇଥିଲେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଲୋକଲୋଚନକୁ ଆସି ପାରିଲା ନାହିଁ। ଆଜି ପୁଣି ଆଉ ଏକ ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ ଅଞ୍ଚଳ ଲୋକଙ୍କ ନିଦ ହଜାଇଛି। ମରିଥିବା ଦନ୍ତାର ବେକ ପାଖରେ ଗଭୀର ଘାଆ ହୋଇ ପୂଜ ବାହରୁଥିବା ଦେଖା ଯାଇଛି। ଅବସ୍ଥା ଦେଖି ଅନୁମାନ କରାଯାଉଛି ଯେ ଆନ୍ଥ୍ରାକ୍ସ ସଂକ୍ରମଣ କାରଣରୁ ଏହାର ମୃତ୍ୟୁ ଘଟିଥାଇ ପାରେ! ଯଦି ଆଶଙ୍କା ସତ୍ୟ ହୁଏ, ତେବେ ଅବିଳମ୍ବେ ଅନ୍ୟ ବନ୍ୟଜନ୍ତୁ ଏହି ସଂକ୍ରମଣର ଶିକାର ହେବାର ସବୁ ଆଶଙ୍କା ରହିଛି। ଆଫ୍ରିକାରେ ଏହି ଆନ୍ଥ୍ରାକ୍ସ ବହୁ ବନ୍ୟଜନ୍ତୁଙ୍କ ସମେତ ମଣିଷଙ୍କ ଜୀବନ ନେଇଥିବା କଥା କିଛି ବୁଦ୍ଧିଜୀବୀ ବି କହୁଛନ୍ତି।

ସମ୍ବନ୍ଧିତ ଖବର