ଚିକିତ୍ସାଧୀନ ହାତୀ ଶାବକର ମୃତ୍ୟୁ, ଜୀବନ ନେଲା ହର୍‌ପିସ୍‌ ଭୂତାଣୁ!

ଭୁବନେଶ୍ବର/ର‌ାସୋଳ: ଢେଙ୍କାନାଳ ହି‌ନ୍ଦୋଳ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୬ ମାସର ଏକ ରୁଗ୍‌ଣ ହାତୀ ଶାବକ ମଙ୍ଗଳବାର ଓୟୁଏଟି ପ୍ର‌ାଣୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି। ୪ ଦିନ ଧରି ବିଶେଷଜ୍ଞମା‌ନେ ବହୁ ପରିଶ୍ରମ କରିଥିଲେ ବି ତାକୁ ବଞ୍ଚାଇବା ସମ୍ଭବ ହୋଇ ପାରିନାହିଁ। ହାତୀ ଶାବକଟି ହର୍‌ପିସ୍‌ ଭୂତାଣୁ ଜନିତ ସଂକ୍ରାମକ ରୋଗରେ ପୀଡ଼ିତ ଥିବା ଆଶଙ୍କା କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇଯିବ ବୋଲି ଓୟୁଏଟି ପ୍ରାଣୀ ଚିକିତ୍ସା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସୂଚନାନୁସାରେ, ଗତ ୨୩ ତାରିଖ ସକାଳେ ହିନ୍ଦୋଳ ଥାନା ଖଲିବୋରେଇ ପଞ୍ଚାୟତର ହିତିଣ୍ଡା ଜଙ୍ଗଲରେ ଏହି ଅଣ୍ଡିରା ହାତୀ ଛୁଆଟି ରୁଗ୍‌ଣ ଅବସ୍ଥାରେ ପଡ଼ି ରହିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ତା’ ତଣ୍ଟି ପାଖରେ ଏକ ଘା’ ହୋଇଯାଇଥିଲା ଓ ସେ ଚାଲି ପାରିବା ଅବସ୍ଥାରେ ନଥିଲା। ତେଣୁ ହାତୀପଲ ତାକୁ ଛାଡ଼ି ପଳାଇଥିବା ଅନୁମାନ କରାଯାଇଥିଲା। ରେଞ୍ଜର୍‌ ମଧୁସୂଦନ ପାତ୍ର ତୁରନ୍ତ ତାକୁ ଉଦ୍ଧାର କରି ଭୁବନେଶ୍ବର ଓୟୁଏଟିକୁ ପଠାଇଥିଲେ। ଡ. ନିରଂଜନ ସାହୁ ଓ ତାଙ୍କ ଟିମ୍‌ ହାତୀ ଛୁଆଟିକୁ ବଞ୍ଚାଇବାକୁ ବହୁ ଚେଷ୍ଟା କରିଥିଲେ ବି ତା’ର ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିଲା। ମୃତଦେହ ବ୍ୟବଚ୍ଛେଦ କରାଇଥିବା ପ୍ରଫେସର ସୁଷେଣ ପଣ୍ଡାଙ୍କ ସୂଚନାନୁସାରେ ହାତୀ ଶାବକଟି ହର୍‌ପିସ୍‌ ଭୂତାଣୁ ଜନିତ ସଂକ୍ରାମକ ରୋଗରେ ପୀଡ଼ିତ ଥିବା ସନ୍ଦେହ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସ୍ପଷ୍ଟ ହୋଇଯିବ, କିନ୍ତୁ ଲକ୍ଷଣରୁ ଏହା ଆପାତତଃ ସ୍ପଷ୍ଟ। ଏବେ ଆଫ୍ରିକା ଓ ଏସିଆ ହାତୀମାନେ ହର୍‌ପିସ୍‌ ଭୂତାଣୁଜନିତ ସଂକ୍ରାମକ ରୋଗରେ ପୀଡ଼ିତ ହେଉଛନ୍ତି। ବିଶେଷକରି ଭାରତରେ ଶୀତ ଋତୁରେ ହାତୀମାନେ ଏହି ରୋଗର ଶିକାର ହୁଅନ୍ତି ଓ ହାତୀ ଶାବକମାନେ ଏହାଦ୍ବାରା ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାନ୍ତି। ଏହି ରୋଗ ପାଇଁ ହାତୀର ପ୍ରାୟ ସମସ୍ତ ଅଙ୍ଗ କ୍ରମଶଃ ଅଚଳ ହୋଇପଡ଼େ ଓ ଶରୀର‌ରେ ଠାଏ ଠାଏ କ୍ଷତ ସୃଷ୍ଟି ହୁଏ। ଚିକିତ୍ସାରେ ବିଳମ୍ବ ହେଲେ ଏହି ରୋଗ ଭଲ ହୁଏ ନୁହେଁ। ଉକ୍ତ ହାତୀ ଶାବକଟି ବହୁ ବିଳମ୍ବରେ ଉଦ୍ଧାର ହୋଇଥିବାରୁ ତା’ର ସମଗ୍ର ଶରୀର ସଂକ୍ରମିତ ହୋଇସାରିଥିଲା।

ସମ୍ବନ୍ଧିତ ଖବର