ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକରେ ଏକ ହାତୀଛୁଆର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଓଡ଼ାପଡ଼ା ବ୍ଲକର ଗଦାଶିଳା ବନାଞ୍ଚଳରେ ଆଜି ସକାଳେ ଉକ୍ତ ହାତୀଛୁଆର ମୃତ ଶରୀର ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏସଂପର୍କରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ।
ଏହାପରେ ବନ ବିଭାଗର ରେଞ୍ଜର୍ ଧରିତ୍ରୀ ମୁର୍ମୁ, ଫରେଷ୍ଟର୍ ରବି ନାରାୟଣ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଦୁହେଁ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସେମାନଙ୍କ ଅନୁମାନ ଅନୁଯାୟୀ, ହାତୀପଲଙ୍କ ଭିତରେ ଗଣ୍ଡଗୋଳରେ ଏହି ହାତୀଛୁଆର ମୃତ୍ୟୁ ହୋଇଛି । କିନ୍ତୁ ସ୍ଥାନୀୟ ଲୋକେ କହୁଛନ୍ତି ଯେ ରାସ୍ତାପାର କରିବା ବେଳେ ଟ୍ରେନ୍ ଧକ୍କାରେ ହାତୀ ଛୁଆଟି ପ୍ରାଣ ହରାଇଛି, କାରଣ ହାତୀର ଶୁଣ୍ଢଟି ତା’ର ଦେହରୁ ଅଲଗା ହୋଇଯାଇଛି।
ତଦନ୍ତ ପରେ ରେଞ୍ଜର୍ ଘଟଣାସ୍ଥଳକୁ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ପଠାଇଛନ୍ତି। ସେ ହାତୀ ଛୁଆର ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବା ପରେ ମୃତ୍ୟୁର ଅସଲ କାରଣ ଜଣାପଡ଼ିବ ବୋଲି କୁହାଯାଉଛି। ହାତୀଟିର ବୟସ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ପରେ ଉକ୍ତ ହାତୀଛୁଆକୁ ସେହିଠାରେ ପୋତି ଦିଆଯିବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରେଞ୍ଜ୍ ବନାଞ୍ଚଳରେ ଜଣେ ସଜନୀ ନାୟକ ନାମକ ଜଣେ ବୃଦ୍ଧାଙ୍କୁ ହାତୀ ନିଜ ଶୁଣ୍ଢରେ କଚାଡ଼ି ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣହାନି ଘଟିଥିଲା। ଖାଲି ସେତିକି ନୁହେଁ, ଏଥିରେ ବୃଦ୍ଧାଙ୍କ ସ୍ୱାମୀ ବି ଗୁରୁତର ଆହତ ହୋଇଛନ୍ତି।। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ବାବନ୍ଧ ପଞ୍ଚାୟତର ମାଟିଆ ସାହିରେ ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Baby-Elephant-Dies_Thumbnail_2.jpg)