କୋଇଡ଼ା : ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ମେଣ୍ଢାମାରୁଣି ସଂରକ୍ଷିତ ଜଙ୍ଗଲରୁ ଆଜି ଏକ ମାଈହାତୀର ଶବକୁ ବନ ବିଭାଗ ଉଦ୍ଧାର କରିଛି। ଗତରାତିରେ ଏକ ୧୫ ସଦସ୍ୟ ବିଶିଷ୍ଟ ହାତୀପଲ ନିକଟସ୍ଥ ଶଗଡ଼ଭଙ୍ଗା ଗ୍ରାମକୁ ପଶି ଆସିଥିଲେ। ଖବର ପାଇ ସ୍ଥାନୀୟ ବନ ବିଭାଗ କର୍ମଚାରୀମାନେ ନିକଟସ୍ଥ ମେଣ୍ଢାମାରୁଣି ସଂରକ୍ଷିତ ଜଙ୍ଗଲମଧ୍ୟକୁ ହାତୀପଲକୁ ଘଉଡ଼ାଇ ଦେଇଥିଲେ। ତେବେ କୌଣସି କାରଣରୁ ଉକ୍ତ ହାତୀପଲରେ ଥିବା ପ୍ରାୟ ୩୦ ବର୍ଷ ବୟସ୍କା ଏକ ମାଈହାତୀର ମୃତ୍ୟୁ ହୋଇଥିଲା। ଆଜି ସକାଳେ ବନବିଭାଗ କର୍ମଚାରୀମାନେ ମେଣ୍ଢାମାରୁଣି ଜଙ୍ଗଲକୁ ଯାଇ ହାତୀପଲଙ୍କ ଗତିବିଧି ଯାଞ୍ଚ କରୁଥିଲାବେଳେ ମାଈହାତୀଟି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ବଣାଇଁ ବନଖଣ୍ଡ ଅଧିକାରୀ ସନତ କୁମାର ଏନ୍, ଏସିଏଫ୍ ମହେନ୍ଦ୍ର ନାଥ ଓ ବନାଞ୍ଚଳ ଅଧିକାରୀ ନବୀନ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର ଯାଞ୍ଚ କରିଥିଲେ। ପରେ କୋଇଡ଼ା ପ୍ରାଣୀ ଚିକିତ୍ସାଳୟର ଦୁଇ ଜଣିଆ ଟିମ୍ ଡାକ୍ତର ନୀଳମାଧବ ସାହୁ ଏବଂ ପ୍ରାଣୀଧନ ନିରୀକ୍ଷକ ରାକେଶ ପ୍ରଧାନ ଘଟଣାସ୍ଥଳକୁ ଯାଇ ଶବ ବ୍ୟବଚ୍ଛେଦ କରି ନମୁନା ସଂଗ୍ରହ କରିଥିଲେ। ନମୁନା ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଅନ୍ୟ ପକ୍ଷରେ ଅଧିକ ବୟସ ହୋଇ ଯାଇଥିବାରୁ ତଥା ହାତୀର ପାଟିରେ ଘା' ହୋଇଥିବାରୁ ତା'ର ମୃତ୍ୟୁ ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି।
ଜଙ୍ଗଲରୁ ମାଈହାତୀର ଶବ ଉଦ୍ଧାର
/sambad/media/post_attachments/wp-content/uploads/2019/10/elephant-attack-1.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)