ଦୁଇ ହାତୀ ମୃତ୍ୟୁ ଘଟଣାରେ ଅବହେଳା ଜଳଜଳ, ଟଙ୍କା ଜମା ପରେ ବି କେବୁଲ୍‌ ବିଛାଇ ନଥିଲା ବିଦ୍ୟୁତ୍‌ ବିଭାଗ

କେନ୍ଦୁଝର : କେନ୍ଦୁଝର ଜୁଡ଼ିଆ କୃଷି ଫାର୍ମରେ ବିଦ୍ୟୁତ୍‌ ଆଘାତରେ ଦୁଇଟି ହାତୀ ପ୍ରାଣ ହରାଇବା ଘଟଣାରେ ବିଦ୍ୟୁତ୍‌ ବିଭାଗର ଗୋଟିଏ ପରେ ଗୋଟିଏ ଅବହେଳା ପଦାକୁ ଆସିବାରେ ଲାଗିଛି। ଖୋଲା ତାରକୁ ହଟାଇ କେବୁଲ୍‌ ବିଛାଇବା ପାଇଁ ବିଦ୍ୟୁତ୍‌ ବିଭାଗ ପାଖରେ କୃଷି ବିଜ୍ଞାନ କେନ୍ଦ୍ର କର୍ତ୍ତୃପକ୍ଷ ଟଙ୍କା ଜମା କରିଥିଲେ। ତେବେ, କାମ ସଠିକ୍‌ ଢଙ୍ଗରେ ହୋଇ ନଥିବାରୁ ଦୁଇ ଦୁଇଟି ହାତୀଙ୍କ ଜୀବନ ଗଲା ବୋଲି କୁହାଯାଉଛି।

ପ୍ରାପ୍ତ ସୂଚନା ଅନୁସାରେ, କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଯାଇଥିବା ବିଦ୍ୟୁତ୍‌ ତାର ଖୋଲା ଥିଲା। ତାର ଖୁବ୍‌ କମ୍‌ ଉଚ୍ଚତାରେ ଓହଳି ଥିଲା। ଖୋଲା ତାରକୁ ହଟାଇ କେବୁଲ୍‌ ବିଛାଇବା ସହିତ ଅଧିକ ଖୁଣ୍ଟ ଲଗାଇ କେବୁଲକୁ ଉପରକୁ ଉଠାଇବା ପାଇଁ କୃଷି ବିଜ୍ଞାନ କେ‌ନ୍ଦ୍ର ନିଷ୍ପତ୍ତି ନେଇଥିଲା। ଏନେଇ ତତ୍କାଳୀନ ନେସ୍କୋ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ପରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ସୁକାନ୍ତ ସାହୁ କେନ୍ଦୁଝର ଇଲେକ୍ଟ୍ରିକାଲ ଡିଭିଜନର ଚିଠି ନମ୍ବର ୧୨୧/ କେଭିକେ.କେଜେଆର୍‌ ତା ୧୦/୦୭/୨୦୧୯ରେ ନେସ୍କା ନିର୍ବାହୀ ଯନ୍ତ୍ରୀଙ୍କୁ ବିଦ୍ୟୁତ୍ ମରାମତି ଏବଂ ୩-ଫେଜ୍‌ ୬୫୦ ମିଟର ଏବି କେବୁଲିଂ ପାଇଁ ବିଦ୍ୟୁତ୍ ବିଭାଗର ଏଷ୍ଟିମେଟ ଅନୁଯାୟୀ ୧ ଲକ୍ଷ ୮୧ ହଜାର ୮୫୭ ଟଙ୍କା ଜମା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନେକ ସ୍ଥାନରେ ୧୧ କେଭି ଏବଂ ଏଲ୍‌ଟି ଲାଇନ କେବୁଲିଂ ହୋଇ ନଥିବା ବେଳେ ଏବେ ବି କମ୍‌ ଉଚ୍ଚତାରେ ତାର ଝୁଲି ରହିଛି। ତାରଗୁଡ଼ିକୁ ଉପରକୁ ଉଠାଇବା ପାଇଁ ୩ଟି ବିଦ୍ୟୁତ୍ ଖୁଣ୍ଟ ଲଗାଇବାକୁ କୁହାଯାଇଥିଲା। ବ୍ୟୟ ଅଟକଳ ପରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନ୍‌ଇଏଫ୍‌ଟି ମାଧ୍ୟମରେ ଏ ବାବଦକୁ ଅର୍ଥ ଜମା କରାଯାଇଥିଲା। ବିଭାଗୀୟ ଅଧିକାରୀମାନେ ବାରମ୍ବାର ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟକୁ ଯାଇ ଏ ସମ୍ପର୍କରେ ଅବଗତ କରିଥିଲେ ମଧ୍ୟ କାମ ସଠିକ୍‌ ଢଙ୍ଗରେ ହୋଇ ନଥିଲା। ତାରଗୁଡ଼ିକ ଖୋଲାମେଲା ହୋଇରହିଥିବାରୁ ଗତ ୨୫ ତାରିଖରେ ଦୁଇଟି ହାତୀ ଏହାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ।

ବିଦ୍ୟୁତ୍ ବିଭାଗ ନିଜ ଦୋଷ ଲୁଚାଇବା ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଜିଭି ଇଲେକ୍ଟ୍ରିକାଲର ସୁପରଭାଇଜର ଜୟଦେବ ସ୍ୱାଇଁଙ୍କୁ ବହିଷ୍କାର କରିଥିବା ବେଳେ ଏହାର ତଦାରଖ ଦାୟିତ୍ୱରେ ଥିବା ଟିପିଏନ୍‌ଓଡିଏଲ୍‌ର ଯନ୍ତ୍ରୀମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ଏ ସଂପର୍କରେ ଟାଟା ପାୱାରର ଅଧୀକ୍ଷଣ ଯନ୍ତ୍ରୀ ନାରାୟଣ ଦାସ କହିଛନ୍ତି କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ମାତ୍ର ୬ଶହ ମିଟର କେବୁଲ୍‌ ବଦଳାଇବା ପାଇଁ ଅର୍ଥ ଜମା କରାଯାଇଥିଲା। ସେହି କାମ ଆମେ ଶେଷ କରିଦେଇଛୁ। ଏହାସହ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ୩ କିଲୋମିଟର କେବୁଲ ବିଛାଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର