ଅନୁଗୁଳ : ଆଠମଲ୍ଲିକ ବନଖଣ୍ଡ ମାଧପୁର ଏବଂ ବାମୁର ରେଞ୍ଜ୍‌ ସୀମାନ୍ତ ଶାନ୍ତିପୁର ଗାଁ ସଂରକ୍ଷିତ ଜଙ୍ଗଲରୁ ଗତକାଲି ଉଦ୍ଧାର ହୋଇଥିବା ହାତୀ ମୃତ୍ୟୁର ରହସ୍ୟ ଖୋଲିଛି। ପାହାଡ଼ ଉପରୁ ପଡ଼ି ହାତୀର ମୃତ୍ୟୁ ହୋଇଥିବା ଦର୍ଶାଇ ଘଟଣାକୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ ଚାଲିଥିଲା। ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ପାହାଡ଼ ଉପରୁ ପଡ଼ି ନୁହେଁ, ବରଂ ବିଦ୍ୟୁତ୍‌ ଫାଶରେ ପଡ଼ି ହାତୀର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ସାତକୋଶିଆରେ ଦୁଇ ବାଘଙ୍କ ମୃତ୍ୟୁ ଘଟଣାର କେଇ ଘଣ୍ଟା ପରେ ଆଠମଲ୍ଲିକରେ ହାତୀକୁ ମୃତ୍ୟୁ ମୁହଁକୁ ଠେଲି ଦିଆଯିବା ଘଟଣା ପରିବେଶ୍‌ବିତ୍‌ଙ୍କୁ ଚକିତ କରିଛି। ଏହି ମହଲ କହିଲେଣି ଯେ ଅନୁଗୁଳ ଜିଲ୍ଲାରେ ହାତୀ କିମ୍ବା ବାଘ କେହି ବି ସୁରକ୍ଷିତ ନୁହନ୍ତି।

Advertisment

ବ୍ୟବଚ୍ଛେଦ ପରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ବିଦ୍ୟୁତ୍‌ ଝଟ୍‌କାରେ ହାତୀର ଆଣ୍ଠୁ ପୋଡ଼ିଛି
ନାକ, ପାଟି ଏବଂ ଆଖିରୁ ବାହାରିଛି ରକ୍ତ

ବିଶ୍ବସ୍ତ ସୂତ୍ର ମିଳିଥିବା ସୂଚନା ମୁତାବକ, ମାଧପୁର ରେଞ୍ଜ୍‌ରେ ମରିଥିବା ହାତୀର ମୃତ୍ୟୁ ୫ଦିନ ତଳୁ ହୋଇଥିବା ଅନୁମାନ କରାଯାଇଛି। ହାତୀଟି ପ୍ରସୂତି ଥିଲା। ଛୁଆକୁ କ୍ଷୀର ଖୁଆଉଥିଲା। ପାହାଡ଼ ଉପରୁ ପଡ଼ି ଯାଇ ତାର ମୃତ୍ୟୁ ହୋଇଛି ବୋଲି ବନ ବିଭାଗ କହୁଥିଲା। କିନ୍ତୁ ଶବ ବ୍ୟ‌ବଚ୍ଛେଦ ସମୟରେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ବିଦ୍ୟୁତ୍‌ ଝଟ୍‌କା ଜନିତ ମୃତ୍ୟୁ ବୋଲି ଜଣାପଡ଼ିଛି। କୌଣସି ଜନ୍ତୁଙ୍କୁ ବିଦ୍ୟୁତ୍‌ ଝଟ୍‌କା ଲାଗିଲେ ଯାହା ସବୁ ଲକ୍ଷଣ ଥାଏ, ସବୁ ମୃତ ହାତୀ ଦେହରେ ରହିଛି। ତାର ପଛ ବାମ ଗୋଡ଼ ଆଣ୍ଠୁରେ ପୋଡ଼ା ଦାଗ ରହିଥିବା ବେଳେ ମଳଦ୍ବାର ଏବଂ ପରିସ୍ରାଦ୍ବାର ବାହାରକୁ ବାହାରି ଆସିଛି। ହାତୀର ଆଖି, ପାଟି ଏବଂ ନାକରୁ ରକ୍ତ ବାହାରିଛି। ତେଣୁ ଏହା ବିଦ୍ୟୁତ୍‌ ଆଘାତ ଜନିତ ମୃତ୍ୟୁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।

ଏ ସମ୍ପର୍କରେ ଆଠମଲ୍ଲିକ ବନଖଣ୍ଡର ଭାରପ୍ରାପ୍ତ ଡିଏଫ୍‌ଓ ବିବେକ କୁମାର କହିଛନ୍ତି, ଶବ ବ୍ୟବଚ୍ଛେଦରୁ ଏହା ବିଦ୍ୟୁତ୍‌ ଝଟ୍‌କା ଜନିତ ମୃତ୍ୟୁ ବୋଲି କୁହାଯାଉଛି, କିନ୍ତୁ ଯେଉଁଠାରେ ହାତୀର ମୃତ୍ୟୁ ହୋଇଛି ସେଠାରେ ବିଦ୍ୟୁତ୍‌ ସଂଯୋଗର କୌଣସି ସୁବିଧା ନାହିଁ। ତେଣୁ ଜଙ୍ଗଲକୁ କେଉଁଠାରୁ ବିଦ୍ୟୁତ୍ ଆସିଲା ତାର ତଦନ୍ତ ଚାଲିଛି। ତଦନ୍ତ ପରେ ହିଁ ଯାହା କିଛି ଜଣାପଡ଼ିବ ବୋଲି ଶ୍ରୀ କୁମାର କହିଛନ୍ତି।