ଭୁବନେଶ୍ୱର : ଓଡ଼ିଶାରେ ହାତୀ ଓ ବନ୍ୟାପ୍ରାଣୀଙ୍କ ମୃତ୍ୟୁକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିନ୍ତାପ୍ରକଟ କରିଛନ୍ତି। ସେମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ଅଲଗା ଅଲଗା ପତ୍ର ଲେଖି ସେ ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ ବଢ଼ି ଚାଲିଥିବା ହାତୀ ମୃତ୍ୟୁ ତଥା ହାତୀ-ମଣିଷ ସଂଘର୍ଷ ଆଜି ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନ ପାଲଟିଛି। ଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ୭୮୪ଟି ହାତୀ ପ୍ରାଣ ହରାଇବା ଦୁର୍ଭାଗ୍ୟର ବିଷୟ। ସେଥିମଧ୍ୟରୁ ଗତ ତିନି ବର୍ଷରେ କେବଳ ୨୪୫ଟି ହାତୀଙ୍କର ଜୀବନ ଯାଇଛି। ପ୍ରତିବର୍ଷ ହାରାହାରି ୮୦ଟି ହାତୀ ମୃତ୍ୟୁବରଣ କରୁଛନ୍ତି। ମାର୍ଚ୍ଚ ମାସରେ କେବଳ ୭ଟି ହାତୀ ମୃତ୍ୟୁ ମୁଖରେ ପଡ଼ିଛନ୍ତି, ଯାହା ଗତ ତିନି ବର୍ଷ ମଧ୍ୟରେ ସର୍ବାଧିକ। ଅଧିକାଂଶ ହାତୀ ବିଦ୍ୟୁତ୍ ଆଘାତ, ରୋଗ ଅଥବା ଟ୍ରେନ ଓ ସଡ଼କ ଦୁର୍ଘଟଣାର ଶିକାର ହେବା ପରିତାପର ବିଷୟ।

Advertisment

କେବଳ ହାତୀ ନୁହଁନ୍ତି। ହଜାର ହଜାର ବନ୍ୟପ୍ରାଣୀଙ୍କର ମଧ୍ୟ ଏଭଳି ଅଭାବନୀୟ ମୃତ୍ୟୁ ଘଟୁଛି। ୨୦୧୭ -୧୮ରୁ ୨୦୨୧-୨୨ ମଧ୍ୟରେ ଓଡ଼ିଶାରେ ୪୧୬ଟି ହାତୀଙ୍କୁ ମିଶାଇ ସମୁଦାୟ ୨,୭୭୬ଟି ବନ୍ୟଜନ୍ତୁଙ୍କର ଜୀବନ ଯାଇଛି। ହାତୀ-ମଣିଷ ସଂଘର୍ଷ ଉତ୍କଟ ହେବାରେ ଲାଗିଛି। ଆମ ରାଜ୍ୟରେ ହାତୀ ଆକ୍ରମଣରେ ୬୬୯ ଜଣ ଲୋକ ଓ ୭୪୧ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୯,୧୫୧ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ହାତୀ ଆମ ପରିବେଶ ସନ୍ତୁଳନ, ସାଂସ୍କୃତିକ, ଐତିହ୍ୟ ଓ ଓଡ଼ିଶାରର ସାମଗ୍ରିକ ପରିଚୟର ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ସେମାନଙ୍କର ସୁରକ୍ଷା ଓ ସଂରକ୍ଷଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ହାତୀମାନଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷିତ ଅଞ୍ଚଳ ନେଟୱର୍କର ସମ୍ପ୍ରସାରଣ, ‘ପ୍ରୋଜେକ୍ଟ ଏଲିଫେଣ୍ଟ’ ଆରମ୍ଭ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପ୍ରୟାସ ହିଁ ଗଜରାଜଙ୍କ ସୁରକ୍ଷାର ଏକ ଶକ୍ତ ମୂଳଦୁଆ ପକାଇଛି। ତେଣୁ କେନ୍ଦ୍ର ସରକାରଙ୍କ ପରି ଓଡ଼ିଶାରେ ହାତୀର ସୁରକ୍ଷିତ ତଥା ଅବାଧ ବିଚରଣକୁ ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ସମୟୋଚିତ ହସ୍ତକ୍ଷେପ ଅତି ଜରୁରୀ। ହାତୀଙ୍କ ସୁରକ୍ଷା ତଥା ସଂରକ୍ଷଣ ଦିଗରେ ଯଥାଶୀଘ୍ର ଦୃଢ଼ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।