ହାତୀ ମୃତ୍ୟୁ ଘଟଣା: ରେଞ୍ଜ୍‌ ସୀମାକୁ ନେଇ ବନବିଭାଗ ବାଉଳା

ମୃତଦେହ ବାହାରିବାର ୪ଘଣ୍ଟା ପର୍ଯ୍ୟନ୍ତ ଟଣାଓଟରା
ମାଟି ତଳୁ ଆଉ ଏକ ମୃତଦେହ ଉଦ୍ଧାର

କଟକ : ଦୁଇ ଦିନରେ ଦୁଇ ଦୁଇଟି ହାତୀଙ୍କ ଗଳିତ ମୃତଦେହ ବାହାରିଲା ମାଟି ତଳୁ। କଟକର ବଡ଼ମ୍ବାରେ ଦୁଇଦିନ ଧରି ଏସ୍‌ଟିଏଫ୍‌ ଚଢ଼ଉ ଜାରି ରଖିଥିବାବେଳେ କେମିତି ଓ କିଏ ହାତୀଙ୍କୁ ଏଭଳି ମାରି ମାଟି ତଳେ ପୋତି ଦେଇଥିଲା ତାହା ଜାଣିବା ପାଇଁ ଏସ୍‌ଟିଏଫ୍ ତନାଘନା ଚଳାଇଛି। ତେବେ, ମାସକ ତଳୁ ଦୁଇଟି ଘଟଣା ଘଟିଥିବାବେଳେ ବନବିଭାଗ କିପରି ଏହା ଜାଣି ପାରି ନଥିଲା, ନା ଏହାପଛରେ ବନବିଭାଗର ହାତ ରହିଛି, ତାକୁ ନେଇ ସବୁଠି ଚର୍ଚ୍ଚା। ସବୁଠାରୁ ଉଦ୍‌ବେଗଜନକ ଘଟଣା ହେଉଛି, ହାତୀର ଖଣ୍ଡବିଖଣ୍ଡିତ ଗଳିତ ମୃତଦେହ ବାହାରିବାପରେ ବନବିଭାଗ ରେଞ୍ଜ୍‌ର ସୀମାକୁ ନେଇ ବିବାଦ ଦେଖାଦେଇଛି।

ଯେଉଁ ସ୍ଥାନରୁ ଆଜି ହାତୀର ମୃତଦେହ ମିଳିଲା ସେହି ସ୍ଥାନଟି କାହାର? ଅଞ୍ଚଳଟି ବଡ଼ମ୍ବା ନା ନରସିଂହପୁର ରେଞ୍ଜରେ ଯାଉଛି? ଏହାକୁ ନେଇ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମସ୍ତଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା । ହାତୀ ମୃତଦେହ ବାହାରିଥିବା ସ୍ଥାନ ବଡ଼ମ୍ବା ରେଞ୍ଜରେ ଯାଉଛି ବୋଲି ରାଜସ୍ବ ବିଭାଗ ସ୍ପଷ୍ଟ କରିବାସତ୍ତ୍ବେ ବନବିଭାଗ ଏହାକୁ ମାନିବାକୁ ନାରାଜ ଥିଲା। ଶେଷରେ ଅପରାହ୍ନ ୪ଟାରେ ଆଠଗଡ଼ ଡିଏଫ୍‌ଓ ଆସି ସ୍ପଷ୍ଟ କରିବାପରେ ହାତୀର ମୃତଦେହ ମିଳିଥିବା ସ୍ଥାନ ନିରୂପଣକୁ ନେଇ ଉପୁଜିଥିବା ବିବାଦର ସମାଧାନ ହୋଇଥିଲା।

ଗତକାଲି ଗୋଟିଏ ମୃତଦେହ ମାଟିତଳୁ ମିଳିବାପରେ ଆଜି ସକାଳୁ ପୁଣି ଏକ ହାତୀର ମୃତଦେହ ପୋତାଯାଇଥିବା ସ୍ଥାନ ଖୋଳାଯିବ ବୋଲି ଗତକାଲିଠାରୁ ଯୋଜନା ହୋଇଥିଲା। ଯୋଜନା ମୁତାବକ, ଚନ୍ଦ୍ରଗିରି ପାହାଡ଼ ନିକଟସ୍ଥ ଜେନାପାଳ ଗ୍ରାମର ଏକ ବିଲକୁ ଆଜି ଖୋଳାଗଲା। ଏସ୍‌ଟିଏଫ୍‌ ଟିମ୍‌, ସ୍ଥାନୀୟ ଭିଏସ୍‌, ଡିଏଫ୍‌ଓ ଓ ବନକର୍ମଚାରୀ, ତହସିଲ କର୍ମଚାରୀଙ୍କ ଉପସ୍ଥିତିରେ ଜେନାପାଳ ନିକଟ ଘରୋଇ ବିଲକୁ ଖୋଳାଯାଇଥିଲା। ଉକ୍ତ ବିଲରୁ ମାଈହାତୀର ଖଣ୍ଡବିଖଣ୍ଡିତ ଗଳିତ ମୃତଦେହ ମିଳିଥିଲା। ମିଳିଥିବା ମୃତଦେହର ଆନୁମାନିକ ବୟସ ୮ରୁ ୧୦ ବର୍ଷ ଭିତରେ ହେବ ଓ ଏହା ଏକ ମାଈହାତୀ ବୋଲି ଜଣାପଡ଼ିଛି।

ମାସକ ତଳୁ ତାଳପତ୍ର ଓ କିଛି ରାସାୟନିକ ଦ୍ରବ୍ୟ ଦେଇ ହାତୀକୁ ପୋତାଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। ଏସ୍‌ଟିଏଫ୍‌ ଏହି ଦୁଇଟି ଘଟଣାରେ ଦୁଇଟି ପୃଥକ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ବଡ଼ମ୍ବାର ଜଣେ ବନକର୍ମଚାରୀଙ୍କ ଗତିବିଧିକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଉକ୍ତ କର୍ମଚାରୀ ଢେଙ୍କାନାଳ ରେଞ୍ଜରେ ଥିବା ସମୟରେ ହାତୀ ମୃତ୍ୟୁ ଘଟଣାରେ ଜେଲ୍‌ ଯାଇଥିଲେ ବୋଲି ମଧ୍ୟ ଶୁଣାଯାଉଛି। ସେପଟେ, ହାତୀ ମାରି ପୋତିଦେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି। ଆଜି ‌ଘଟଣାସ୍ଥଳରେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ, ପଶୁପ୍ରେମୀ ପୂରବୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର