ଆଠଗଡ଼ ବନଖଣ୍ଡରେ ହାତୀ ମୃତ୍ୟୁ ଘଟଣା: ଓୟୁଏଟିରେ ହେବ ଗଳିତ ଶବର କେମିକାଲ ଟେଷ୍ଟ

ଭୁବନେଶ୍ବର : କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡରେ ହାତୀ ମୃତ୍ୟୁ ଘଟଣାକୁ ନେଇ ତନାଘନା ଜାରି ରହିଛି। ଲଗାତାର ଭାବେ ମାଟି ତଳୁ ହାତୀଙ୍କ କଙ୍କାଳ ମିଳିବା ଘଟଣାକୁ ରାଜ୍ୟ ସରକାର ଗୁରୁତ୍ବର ସହ ନେଇ ହାତୀମାନଙ୍କ ଗଳିତ ଶବର କେମିକାଲ ଟେଷ୍ଟ ଲାଗି ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ(ଓୟୁଏଟି)କୁ ନମୁନା ଅଣାଯାଇଛି। ବନ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ ବନଖଣ୍ଡରୁ ୩ଟି ହାତୀଙ୍କ ହାଡ଼, ମାଂସ, ଚମଡା ଆଦି ପରୀକ୍ଷା ଲାଗି ଓୟୁଏଟିକୁ ଅଣାଯାଇଛି। ଏହି ପରୀକ୍ଷା ଦ୍ବାରା ହାତୀମାନଙ୍କ ବୟସ, ଲିଙ୍ଗ, ସେମାନଙ୍କ ମୃତ୍ୟୁ କେବେ ହୋଇଛି ଓ ମୃତ୍ୟୁ ପଛରେ ପ୍ରକୃତ କାରଣ କ’ଣ ରହିଛି ଆଦି ବିଷୟରେ ତଥ୍ୟ ହାସଲ କରାଯାଇପାରିବ।
ଓୟୁଏଟି ଅଧିକାରୀ କହିଛନ୍ତି ଯେ ରବିବାର ଆମ ନିକଟକୁ ହାତୀମାନଙ୍କ ନମୁନା ଆସିଛି। ସେଗୁଡ଼ିକର କେମିକାଲ ଟେଷ୍ଟ ଲାଗି ଏକ ସ୍ବତନ୍ତ୍ର ଟିମ ଗଠନ ହୋଇଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ହାତୀ ମୃତ୍ୟୁର ସବିଶେଷ ରିପୋର୍ଟ ପ୍ରସ୍ତୁତ କରାଯାଇ ପିସିସିଏଫଙ୍କୁ ପ୍ରଦାନ କରାଯିବ।

ଆଠଗଡ଼ ବନଖଣ୍ଡ ବ୍ୟତୀତ ରାଜ୍ୟର ଅନ୍ୟ କିଛି ସ୍ଥାନରେ ମଧ୍ୟ ହାତୀଙ୍କ ଗଳିତ ଶବ ଉଦ୍ଧାର କରାଯିବା ନେଇ ପିସିସିଏଫ(ବନ୍ୟପ୍ରାଣୀ) ଶଶୀ ପଲ ଗଣମାଧ୍ୟମକୁ କହିଛନ୍ତି ଯେ ହାତୀ ମୃତ୍ୟୁ ମାମଲାରେ ଆମେ ବନ ବିଭାଗର କୌଣସି ବି ଅଧିକାରୀଙ୍କୁ କ୍ଲିନ୍‌ଚିଟ୍‌ ଦେଇନାହୁଁ। ତଦନ୍ତକାରୀ ଦଳ ଗଠନ କରାଯାଇ ନରସିଂହପୁର ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ନରସିଂହପୁର ଘଟଣାକୁ ଗୁରୁତ୍ବର ସହ ନିଆଯାଇ ତଦନ୍ତ ଚାଲିଛି। ପରେ ରାଜ୍ୟର ଅନ୍ୟ ସ୍ଥାନରେ ହୋଇଥିବା ଘଟଣାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ସମ୍ବନ୍ଧିତ ଖବର