ହାତୀର ମୃତ୍ୟୁକୁ ନେଇ ବିଶେଷଜ୍ଞଙ୍କ ମତ: ସୌରବାଡ଼ରେ ମରିବନି ହାତୀ

ସୌରବାଡ଼କୁ ୨୦ ହଜାର ଭୋଲ୍ଟ ଆସିଲା କେମିତି?

ଅନୁଗୁଳ : ବନ୍ୟଜନ୍ତୁଙ୍କ ଠାରୁ ସୁରକ୍ଷା ଦେବାପାଇଁ ବନ ବିଭାଗ ପକ୍ଷରୁ କରାଯାଇଛି ସୌରବାଡ଼ ବା ସୋଲାର ଫେନ୍‌ସିଂ। ଏକ ହଜାର ଭୋଲଟେଜ୍‌ ମଧ୍ୟରେ ସୀମିତ ଏହି ବାଡ଼ ସଂସ୍ପର୍ଶରେ ଆସିଲେ ବନ୍ୟ ଜନ୍ତୁଙ୍କୁ ବିଦ୍ୟୁତ୍‌ ଝଟକା ଆସିଥାଏ। ଏହା ହାତୀ ଭଳି ଜୀବଙ୍କୁ ଝଟକା ଦେବ, କିନ୍ତୁ ମାରିପାରିବ ନାହିଁ। ଫସଲକୁ ସୁରକ୍ଷା ଦେବାକୁ ଖଞ୍ଜାଯାଉଥିବା ଏହି ପ୍ରତିଷେଧକ ବ୍ୟବସ୍ଥା ଜନ୍ତୁଙ୍କୁ ମାରୁଛି କେମିତି ? ଏହା ସଂସ୍ପର୍ଶରେ ଆସି ବିରାଟକାୟ ହାତୀ କେମିତି ମଲା? ତିନି ଦିନ ତଳେ ଅନୁଗୁଳ ବନଖଣ୍ଡ ଜଗନ୍ନାଥପୁର ଗାଁ ନିକଟରେ ସୌରବାଡ଼ ସଂସ୍ପର୍ଶରେ ଆସି ଏକ ମାଈହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ଅନୁମାନ କରୁଥିବା ବେଳେ ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ଏବେ ପ୍ରଶ୍ନ ଉଠୁଛି, ସୌରବାଡ଼ ହାଇ ଭୋଲ୍‌ଟେଜ୍‌ଯୁକ୍ତ ହେଲା କେମିତି? ବାସ୍ତବରେ ୧୨ ବର୍ଷ ବୟସ୍କ ଏ ହାତୀ ସୌରବାଡ଼ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କଲା ନା ସୌରବାଡ଼ରେ ହାଇ ଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ଚାର୍ଜ କରାଯିବାରୁ ହାତୀର ମୃତ୍ୟୁ ହେଲା? ବନ ବିଭାଗ ନିଜ ଆଡ଼କୁ ଦୋଷ ଆସିବା ଭୟରେ ହାତୀ ମୃତ୍ୟୁ ପାଇଁ ସୌରବାଡ଼କୁ କାରଣ ଦେଖାଉ ନାହିଁ ତ? ସୌରବାଡ଼ ସଂସ୍ପର୍ଶରେ ଆସି ହାତୀଟି ମୃତ୍ୟୁବରଣ କରିଥିଲେ ହେଁ ଏହି ବାଡ଼ଠାରୁ ଶହେରୁ ଦୁଇ ଶହ ମିଟର ଦୂରରେ ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେଭି ବିଦ୍ୟୁତ୍‌ ତାର ଟଣା ହୋଇଥିବାରୁ ଏ ପ୍ରକାର ସନ୍ଦେହ ଉପୁଜିଛି।

ପ୍ରାୟ ୨୦ ହଜାର ଭୋଲ୍‌ଟେଜ୍‌ର ବିଦ୍ୟୁତ୍‌ ପ୍ରବାହିତ ହେଲେ ହାତୀର ପ୍ରାଣ ଯାଇପାରେ ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ତିନି ଦିନ ତଳେ ୧୨ ବର୍ଷ ବୟସ୍କା ଯେଉଁ ହାତୀଟିର ମୃତ୍ୟୁ ହୋଇଛି ତାହା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ଝଟକା ନ ହେଲେ ସମ୍ଭବ ନୁହେଁ। ତେବେ ‌ସୌରବାଡ଼ରେ ଏତେ ହାଇଭୋଲ୍‌ଟ ପ୍ରବାହିତ ହେଲା କେଉଁଠୁ? ସୌରବାଡ଼ରେ ବିଦ୍ୟୁତ୍‌ର ମୂଳ ସ୍ରୋତଟି କେଉଁଠି? ତାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ହାତୀର ମୃତ୍ୟୁ ହୋଇଥିବା ସ୍ଥାନଠାରୁ ମାତ୍ର ଶହେ/ଦୁଇ ଶହ ମିଟର ଦୂରରେ ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେଭି ବିଦ୍ୟୁତ୍‌ ତାର ଟଣା ହୋଇଛି। ସେହିଠାରୁ ବିଦ୍ୟୁତ୍‌ ଆଣି ସୌରବାଡ଼ ଚାର୍ଜ କରାଯାଇ ନାହିଁ ତ? ପରୋକ୍ଷରେ ୧୧ କେଭିର ଝଟକାରେ ହାତୀଟି ମରିଥିଲେ ହେଁ ହାତୀ ସୁରକ୍ଷା ଦିଗରେ ବନ ବିଭାଗର ଅବହେଳାକୁ ଲୁଚାଇବା ପାଇଁ ମୃତ୍ୟୁର କାରଣ ସୌରବାଡ଼ ଦର୍ଶାଯିବାକୁ ଚକ୍ରାନ୍ତ୍ର କରାଯାଉଛି ବୋଲି ଅଭିଯୋଗ ହେଉଛି। ବନ ବିଭାଗ ଆକଳନକୁ ନେଇ ତଥ୍ୟାଭିଜ୍ଞ ମହଲରେ ନାନା ପ୍ରଶ୍ନ ଉଠିଛି।

ଇତିମଧ୍ୟରେ ହାତୀର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ବିଦ୍ୟୁତ୍‌ ଝଟକା ପାଇ ହାତୀକୁ ହୃଦ୍‌ଘାତ ହୋଇଛି। ସେଥିପାଇଁ ହାତୀଟିର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ହାତୀ ଖାଇଥିବା ଏ ବିଦ୍ୟୁତ୍ ଝଟ୍‌କାର ମୂଳ ସ୍ରୋତ କେଉଁଠି ତାହା ହିଁ ପ୍ରଶ୍ନବାଚୀ ହୋଇଛି।

ସମ୍ବନ୍ଧିତ ଖବର