ହାତୀ ମୃତ୍ୟୁ ଘଟଣା: ସରକାରଙ୍କ ସତ୍ୟପାଠରେ ହାଇକୋର୍ଟ ଅସନ୍ତୁଷ୍ଟ

ସାନି ସତ୍ୟପାଠ ଦାଖଲ , ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ

କଟକ : ହାତୀ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କ ତରଫରୁ ଦାଖଲ ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସତ୍ୟପାଠରେ ହାତୀ ମୃତ୍ୟୁ ପ୍ରସଙ୍ଗରେ ଦିଆଯାଇଥିବା ତଥ୍ୟ ଅସ୍ପଷ୍ଟ ବୋଲି କହିଛନ୍ତି। ଏଥିସହିତ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍, ୱାଇଲ୍ଡ ଲାଇଫ)ଙ୍କୁ ହାତୀ ମୃତ୍ୟୁ ପ୍ରସଙ୍ଗରେ ସାନି ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ୫ବର୍ଷରେ ପ୍ରତ୍ୟେକ ହାତୀ ଶିକାର ଘଟଣାର ବିସ୍ତୃତ ବିବରଣୀ ସତ୍ୟପାଠରେ ଦେବାପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌.ମୁରଲୀଧର ଓ ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ହସ୍ତଗତ ସୂଚନା ଅନୁସାରେ, ହାତୀ ଶିକାର ଘଟଣାର ସ୍ଥାନ/ଅଞ୍ଚଳ, ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥା ଏତଲା ପଞ୍ଜୀକରଣ, ସନ୍ଦିଗ୍ଧଙ୍କ ତାଲିକା, ଗିରଫ ଅଭିଯୁକ୍ତଙ୍କ ବିବରଣୀ, ଦାଖଲ କରାଯାଇଥିବା ଚାର୍ଜସିଟ୍‌, କେଉଁ ଅଦାଲତରେ ମାମଲା ବିଚାରାଧୀନ ରହିଛି, ଟ୍ରାଏଲ୍‌ର ଷ୍ଟାଟସ୍ ସଂକ୍ରାନ୍ତରେ ସତ୍ୟପାଠରେ ସବିଶେଷ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି। ହାତୀ ଶିକାର ଘଟଣାରେ କେହି ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କି ନାହିଁ, ଯଦି ହୋଇଛନ୍ତି ସେ ନେଇ ତଥ୍ୟ ଦାଖଲ ପାଇଁ ମଧ୍ୟ ପିସିସିଏଫ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହାତୀ ଶିକାର ଭଳି ଘଟଣାର ତଦନ୍ତ ପାଇଁ ସରକାରଙ୍କ ତରଫରୁ ସିଆଇଡି (ସିବି)ରେ ୱାଇଲ୍ଡ ଲାଇଫ୍‌ କ୍ରାଇମ୍‌ ସେଲ୍ ଗଠନ କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିବାବେଳେ ଏହି ସେଲ୍‌ ସଂକ୍ରାନ୍ତରେ ସବିଶେଷ ବିବରଣୀ ଦେବାପାଇଁ ହାଇକୋର୍ଟ କହିଛନ୍ତି। କେଉଁ ଅଧିକାରୀଙ୍କୁ ନେଇ ଏହି ସେଲ୍‌ ଗଠନ ହୋଇଛି, ଗଠନ ଦିନଠାରୁ ଏହି ସେଲ୍‌ କେଉଁ ସବୁ ମାମଲା ତଦନ୍ତ କରିଛି, କେଉଁ ମାମଲାର ଟ୍ରାଏଲ ହୋଇଛି ଓ କେଉଁ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି; ସେ ନେଇ ତଥ୍ୟ ସତ୍ୟପାଠରେ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ଭିତରେ ପିସିସିଏଫ ସତ୍ୟପାଠ ଦାଖଲ କରିବେ ଏବଂ ପରବର୍ତ୍ତୀ ଶୁଣାଣି ସମୟରେ ପିସିସିଏଫ୍‌ ମଧ୍ୟ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ୮କୁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଗୀତା ରାଉତଙ୍କ ତରଫରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର