କେନ୍ଦୁଝର଼ : କେନ୍ଦୁଝର ସହରର ଜୁଡିଆ କୃଷିଫାର୍ମରେ ଗତକାଲି ସକାଳେ ବିଦ୍ୟୁତ ଆଘାତରେ ଦୁଇଟି ହାତୀ ମୃତ୍ୟୁବରଣ କରିବା ଘଟଣାରେ ଶୁକ୍ରବାର ଦିନ ବନ ବିଭାଗ ଏବଂ ବିଦ୍ୟୁତ ବିଭାଗ ପକ୍ଷରୁ ମିଳିତ ତଦନ୍ତ ହୋଇଛି। ବନ ବିଭାଗ ପକ୍ଷରୁ ଏସିଏଫ୍ ଘନଶ୍ୟାମ ମହାନ୍ତ ଏବଂ ବିଦ୍ୟୁତ ବିଭାଗ ତରଫରୁ ନିର୍ବାହିଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ ମିଳିତ ଭାବେ ତଦନ୍ତ କରିଛନ୍ତି। ଡିଏଫ୍ଓ ଏଚ୍ଡି ଧନରାଜ ଛୁଟିରେ ଥିବାରୁ ସେ କେନ୍ଦୁଝର ଆସି ପାରି ନଥିଲେ ମଧ୍ୟ ଶୁକ୍ରବାର ଦିନ ରାଉରକେଲାରେ ଆରସିସିଏଫ୍ଙ୍କୁ ଭେଟି ଆଲୋଚନା କରିଥିବା ସୂଚନା ମିଳିଛି।
ଏହି ହାତୀମୃତ୍ୟୁ ଘଟଣାରେ ଏବେ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ପ୍ରଥମତଃ ବନ ବିଭାଗ ପକ୍ଷରୁ ବିଦ୍ୟୁତ ବିଭାଗକୁ ହାତୀ ଚଳପ୍ରଚଳ ନେଇ ସୂଚନା ଦିଆଯାଇ ନଥିଲା। ଅପରପକ୍ଷରେ ଉକ୍ତ କୃଷି ଫାର୍ମକୁ ନିୟମିତ ବ୍ୟବଧାନରେ ହାତୀ ପଲ ଆସୁଥିବା ଜଣାପଡିଛି। କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗତ ମେ ୩ ତାରିଖରେ ସ୍ଥାନୀୟ ଡିଏଫ୍ଓଙ୍କୁ ଏ ବାବଦରେ ଏକ ଚିଠି କରାଯାଇଥିଲା। ଏହି ଚିଠି ଅନୁସାରେ, କୃଷି ଫାର୍ମକୁ ହାତୀପଲ ଆସି ତରଭୁଜ ଏବଂ ମକାଚାଷକୁ ସଂପୂର୍ଣ୍ଣ ନଷ୍ଟ କରିଥିବା ଦର୍ଶାଯାଇଥିଲା। ତୁରନ୍ତ ଏହାର କ୍ଷୟକ୍ଷତି ଆକଳନ କରିବାକୁ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡିଏଫ୍ଓଙ୍କୁ ଜଣାଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହି କୃଷି ବିଜ୍ଞାନ କେନ୍ଦ୍ରକୁ ନିୟମିତ ଭାବେ ହାତୀ ଚଳପ୍ରଚଳ କରିଥାନ୍ତି। ହାତୀଙ୍କ ଚଳପ୍ରଚଳ ସଂପର୍କରେ ସୂଚନା ଦିଆନଯିବା ଏବଂ ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟର ଅଭାବରୁ ୨ ହାତୀଙ୍କ ଜୀବନ ଗଲା ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/elephant-cccc.jpg)