ଦୁଇ ହାତୀ ମୃତ୍ୟୁ ଘଟଣା: ଫରେଷ୍ଟର, ଗାର୍ଡ ନିଲମ୍ବିତ

ଟାଟା ପାୱାରକୁ କାରଣଦର୍ଶାଅ ନୋଟିସ୍‌

କେନ୍ଦୁଝର଼ : କେନ୍ଦୁଝର ସହରର ଜୁଡ଼ିଆ କୃଷି ଫାର୍ମରେ ଗତ ୨୫ ତାରିଖ ସକାଳେ ବିଦ୍ୟୁତ୍‌ ଆଘାତରେ ଦୁଇଟି ହାତୀ ପ୍ରାଣ ହରାଇଥିଲେ। ଏହି ଘଟଣାରେ ବନ ବିଭାଗର ଦୁଇଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ, କେନ୍ଦୁଝର ସଦର ରେଞ୍ଜ୍‌ର ଫରେଷ୍ଟର ପ୍ରଦୀପ ବେହେରା ଓ ଫରେଷ୍ଟ ଗାର୍ଡ ମିତ୍ରଭାନୁ ନାଏକ। ଏଥିସହିତ, ବନ ବିଭାଗ ପକ୍ଷରୁ ଏହି ଘଟଣାରେ ବିଦ୍ୟୁତ୍‌ ବିତରଣକାରୀ ସଂସ୍ଥା ଟାଟା ପାୱାରକୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ବିଦ୍ୟୁତ୍‌ ବିଭାଗର କିଛି ଅଧିକାରୀ ମଧ୍ୟ ନିଲମ୍ବିତ ହୋଇପାରନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

କେନ୍ଦୁଝର ଡିଏଫ୍‌ଓ ଏଚ୍‌ଡି ଧନରାଜଙ୍କ ସୂଚନା ଅନୁସାରେ, ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ନିଜ ପକ୍ଷରୁ ତଦନ୍ତ କରିଥିଲା। ତଦନ୍ତ ପରେ ଦାୟିତ୍ବରେ ଅବହେଳା ପାଇଁ ଦୁଇଜଣ କର୍ମଚାରୀଙ୍କୁ ଆର୍‌ସିସିଏଫ୍‌ ନିଲମ୍ବନ କରିଛନ୍ତି। ସେହିପରି, ଟାଟା ପାୱାରକୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଏହାର ଉତ୍ତର ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଧନରାଜ କହିଛନ୍ତି। ଅନ୍ୟପକ୍ଷରେ, ଟାଟା ପାୱାରର ନିଜସ୍ବ ତଦନ୍ତକାରୀ ଦଳ ଦୁଇଦିନ ଧରି ହାତୀ ମୃତ୍ୟୁ ହୋଇଥିବା ସ୍ଥାନରେ ତଦନ୍ତ କରିଛନ୍ତି। ବନ ବିଭାଗ ପକ୍ଷରୁ ଜାରି କରାଯାଇଥିବା କାରଣଦର୍ଶାଅ ନୋଟିସ୍‌ର ଉତ୍ତର ବି ଦିଆଯାଇଛି। ତଦନ୍ତ ରିପୋର୍ଟ ଆଧାରରେ ଯେଉଁମାନଙ୍କର ତ୍ରୁଟି ଥିବା ଜଣାପଡ଼ିବ, ସେମାନଙ୍କୁ ନିଲମ୍ବନ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର