ଆଠଗଡ଼ରେ ବି ‌ହୋଇଥିଲା ବାରୁଦ ଗୋଳା ଦେଇ ହାତୀ ଶିକାର, ୨ ବର୍ଷ ତଳେ ଘଟିଥିଲା ଘଟଣା

ପରିବର୍ତ୍ତିତ ନିର୍ଦ୍ଦେଶନାମାରେ ହ୍ରାସ ପାଇଛି ଶିକାର

କଟକ : କେରଳରେ ସପୁରୀରେ ବାରୁଦ ଭର୍ତ୍ତି କରି ଗର୍ଭିଣୀ ହାତୀକୁ ମାରିବା ଘଟଣା ସାରାବିଶ୍ବରେ ଉଦ୍‌ବେଗ ସୃଷ୍ଟି କରିଛି। ହେଲେ ଓଡିଶାରେ ବି ଏଭଳି ଢଙ୍ଗରେ ଅର୍ଥାତ୍‌ ଦୁଇବର୍ଷ ତଳେ କଟକ ଜିଲ୍ଲାର ଆଠଗଡ଼ରେ ଶିମ୍ବ ଲଟିରେ ବାରୁଦ ଗୋଳା ଦେଇ ମାଈ ହାତୀକୁ ଶିକାର କରାଯାଇଥିଲା। ତା’ ପୁଣି ଜଣେ ବ୍ୟକ୍ତିଙ୍କ ଘର ପଛପଟ ବାରିରେ। ଏହି ଘଟଣାରେ ସେତେବେଳେ ବନବିଭାଗ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ସୂଚନା ଅନୁସାରେ, ୨୦୧୮, ଡିସେମ୍ବର ୧୨ତାରିଖ ସକାଳେ ହାତୀ ମାରିବାକୁ ଖଳ ବୁଦ୍ଧି ପ୍ରୟୋଗ କରିଥିଲେ ଶିକାରୀ। ଜମିରେ ଥିବା ଶିମ୍ବ ଲଟିରେ ବାରୁଦ ଗୋଳା ପତ୍ର ଆଢୁଆଳରେ ରଖି ଦେଇଥିଲା। ହାତୀ ଆସି ଖାଇବା ମାତ୍ରେ ଫୁଟି ଥିଲା ବାରୁଦ ‌ଗୋଳା। ଘଟଣାସ୍ଥଳରେ ହିଁ ହାତୀର ମୃତ୍ୟୁ ଘଟିଥିଲା। ହାତୀର ଜିଭ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଅତ୍ୟଧିକ ରକ୍ତସ୍ରାବ ମଧ୍ୟ ହୋଇଥିଲା। ଏଭଳି ଘଟଣା ଆଠଗଡ ବନଖଣ୍ଡରେ ପ୍ରଥମଥର ପାଇଁ ଘଟିଥିବାରୁ ବନବିଭାଗ ମଧ୍ୟ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଥିଲା। ବନବିଭାଗ ପ୍ରଥମେ ହାତୀ ଶିକାର ଘଟଣା‌ରେ ଜମି ମାଲିକକୁ ଗିରଫ କରିଥିଲା। ଜଣେ ଶିକାରୀ ହିଁ ଏହି ବାରୁଦ ଗୋଳା ପ୍ରସ୍ତୁତ କରି ଶିମ୍ବ ଲଟିରେ ରଖିଥିଲେ ଓ ଏଥିରେ ସେ ସହଯୋଗ କରିଥିବା ସ୍ବୀକାର କରିଥିଲା। ବନବିଭାଗ ସଂପୃକ୍ତ ଶିକାରୀକୁ ଗିରଫ କରିବା ସହ ଉଭୟଙ୍କୁ ହାତୀ ଶିକାର ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣା ପରେ ଆଠଗଡ଼ ବନବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରି ଯଦି କୌଣସି ଜମିରେ ହାତୀ, କିମ୍ବା କୌଣସି ବନ୍ୟଜନ୍ତୁ ଶିକାର ହୁଏ ତେବେ ଜମିମାଲିକଙ୍କୁ ଗିରଫ କରାଯିବ ଓ ତାଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏ ସଂପର୍କରେ ଆଠଗଡ ବନଖଣ୍ଡ ଅଧିକା‌ରୀ ସସ୍ମିତା ଲେଙ୍କା କହିଛନ୍ତି ଯେ ଆଠଗଡ ବନଖଣ୍ଡରେ ଏଭଳି ବାରୁଦ ଗୋଳାରେ ହାତୀ ଶିକାର କରାଯାଇଥିଲା। ତେବେ ହାତୀଙ୍କ ଖାଦ୍ୟଭାବ ସମସ୍ୟା ଦୂର ପାଇଁ ବନଖଣ୍ଡରେ ଗତବର୍ଷଠାରୁ ବାଉଁଶ ବଣ ସୃଷ୍ଟି କରାଯାଇଛି। ଏବର୍ଷ ମଧ୍ୟ ପୁଣି ଜୁଲାଇରେ ବାଉଁଶ ବଲ୍‌ ଜଙ୍ଗଲରେ ପକାଯିବ। ଯାହାକି ହାତୀ ପାଇଁ ସ୍ବାଭାବିକ ବାସସ୍ଥାନ ସୃଷ୍ଟି କରିବ ବୋଲି ସେ ସୂଚନା ଦେଇଛନ୍ତି। ଗତ ୬ବର୍ଷରେ ଆଠଗଡ ବନଖଣ୍ଡରେ ୬୦ ହାତୀ ଶିକାର ଓ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଥିବା ବେଳେ ଗତ ଦେଢବର୍ଷରେ କିନ୍ତୁ ମାତ୍ର ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଛି। ଏହି ଦୁଇଟି ମୃତ ହାତୀ ମଧ୍ୟରେ ଗୋଟିଏ ଅପରିପକ୍ବ ହାତୀ ଶାବକ ଓ ଗୋଟିଏ ରୋଗଗ୍ରସ୍ତ ହାତୀ ରହିଛି।

ସମ୍ବନ୍ଧିତ ଖବର