ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା: ହାତୀ ମୃତ୍ୟୁ ଏଡ଼ାଇବାକୁ ଗୁରୁତ୍ବ

ଧନଜୀବନ ନଷ୍ଟ ସଂପର୍କିତ କ୍ଷତିପୂରଣ, ପ୍ରଦାନ ନିୟମ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ

କଟକ: ହାତୀ ସୁରକ୍ଷା ମାମଲାର ଶୁଣାଣି କରି ବିଦ୍ୟୁତ୍‌ ଆଘାତ, ଶିକାର ଭଳି ସମସ୍ୟାର ମୁକାବିଲା ପାଇଁ ଉପଯୁକ୍ତ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ଉପରେ ଗୁରୁତ୍ବାରୋପ କରିଛନ୍ତି ହାଇକୋର୍ଟ। ଏହାସହିତ ମଣିଷ-ହାତୀ ଲଢ଼େଇରୁ ହେଉଥିବା ଧନଜୀବନ ଓ ଫସଲ ହାନି ପାଇଁ ଉପଯୁକ୍ତ କ୍ଷତିପୂରଣ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ପ୍ରଦାନ ପ୍ରସଙ୍ଗରେ ଜବାବ ତଲବ କରିଛନ୍ତି। ଆଜି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହାତୀ ସୁରକ୍ଷା ସଂପର୍କିତ ଜନସ୍ବାର୍ଥ ମାମଲାଗୁଡିକର ଏକତ୍ର ଶୁଣାଣି ହୋଇଥିଲା। ପୂର୍ବ ନିର୍ଦ୍ଦେଶ ଅନୁସାରେ ଭର୍ଚୁଆଲ ମୋଡ୍‌ରେ ଯୁଗ୍ମ ଟାସ୍କଫୋର୍ସ (ଜେଟିଏଫ)ର ଅଧ୍ୟକ୍ଷ, ସଦସ୍ୟ, ହାତୀ ପ୍ରସଙ୍ଗର ବିଶେଷଜ୍ଞ ଡକ୍ଟର ରମଣ ସୁକୁମାର ଉପସ୍ଥିତ ରହି ପକ୍ଷ ରଖିଥିଲେ। ମାମଲାର ଶୁଣାଣି ସମୟରେ ଜେଟିଏଫ୍ ଅଧ୍ୟକ୍ଷ ତଥା ଆବାହକଙ୍କ ତରଫରୁ ମୁଖ୍ୟ ବନ ସଂରକ୍ଷକ ଡକ୍ଟର ମନୋଜ ଭି ନାୟର ଓ ସଦସ୍ୟ ତଥା ଅତିରିକ୍ତ ଏସପି ଜେ‌.କେ.ପଣ୍ଡାଙ୍କ ସତ୍ୟପାଠରେ ରହିଥିବା ତଥ୍ୟ ଉପସ୍ଥାପନ କରାଯାଇଥିଲା।

ଡକ୍ଟର ସୁକୁମାର ଦର୍ଶାଇଥିଲେ ଯେ ଓଡ଼ିଶାରେ ହାତୀ କରିଡରଗୁଡ଼ିକର ବିଜ୍ଞାନସମ୍ମତ ମାନଚିତ୍ର ପ୍ରସ୍ତୁତ କରାଯାଇ ନାହିଁ। ରାଜ୍ୟରେ ହାତୀ କେଉଁସବୁ ଅଞ୍ଚଳରେ ବିଶେଷ ଭାବେ ଚଳପ୍ରଚଳ କରୁଛନ୍ତି, ତାହା ଚିହ୍ନଟ ହେବା ଆବଶ୍ୟକ। ଏହି ପ୍ରସଙ୍ଗକୁ ଜେଟିଏଫ୍‌ ବିଚାରକୁ ନେଇ ବିଶେଷଜ୍ଞଙ୍କ ପରାମର୍ଶ ନେଇ ପଦକ୍ଷେପ ଗ୍ରହଣ କରିବ ବୋଲି ଶ୍ରୀ ନାୟର କହିଥିଲେ। ସମାନ ପ୍ରସଙ୍ଗକୁ ନେଇ କର୍ଣ୍ଣାଟକରେ କାର୍ଯ୍ୟକାରୀ ହୋଇଥିବା ଆକ୍ସନ ପ୍ଲାନ ଓ ପୂର୍ବ କେନ୍ଦ୍ରୀୟ ଭାରତ ହାତୀ ଆକ୍ସନ ପ୍ଲାନକୁ ଜେଟିଏଫ୍ ଅନୁଧ୍ୟାନ କରିବ। ଏହି ପ୍ରସଙ୍ଗ ସହିତ ସ୍ଥାନୀୟ ଲୋକଙ୍କୁ ସଂପୃକ୍ତ କରାଯିବ। ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ସମସ୍ୟା ଦୂର ପାଇଁ ବଣ୍ଟନକାରୀ କମ୍ପାନିଗୁଡ଼ିକ ସହିତ ବିଚାରବିମର୍ଶ କରାଯାଇଛି ବୋଲି ଶ୍ରୀ ନାୟର ଦର୍ଶାଇଥିଲେ। ମାମଲାରେ ଇଣ୍ଟରଭେନର ପୂରବୀ ପାତ୍ରଙ୍କ ପ୍ରସ୍ତାବ ଅନୁସାରେ ବନ୍ୟଜନ୍ତୁ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ ଓ ଡକ୍ଟର ବିଶ୍ବଜିତ ମହାନ୍ତିଙ୍କ ସହିତ ଜେଟିଏଫ୍ ଆଲୋଚନା କରିବା ନେଇ ଶ୍ରୀ ନାୟର ସମ୍ମତି ପ୍ରକାଶ କରିଥିଲେ। ଏଥିପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ୨୦୨୩, ଜାନୁଆରି ୧୮କୁ ଏ ସଂପର୍କିତ ସମସ୍ତ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ହାଇକୋର୍ଟରେ ହାତୀ ମୃତ୍ୟୁ ପ୍ରସଂଗକୁ ନେଇ ଆଇନଜୀବୀ ମୃଣାଳିନୀ ପାଢୀ, ବାଳଗୋପାଳ ମିଶ୍ର, ଦ୍ବିଜ ଦଳପତି, ଗୀତା ରାଉତଙ୍କ ଜନସ୍ବାର୍ଥ ଆବେଦନର ଏକତ୍ର ଶୁଣାଣି ଚାଲିଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଗୁରୁ ପ୍ରସାଦ ମହାନ୍ତି, ମୃଣାଳିନୀ ପାଢୀ, ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର