ଭୁବନେଶ୍ୱର : ଓଡ଼ିଶାରେ ବଢ଼ୁଥିବା ହାତୀ ମୃତ୍ୟୁ ଘଟଣାକୁ ନେଇ ଦେଶରେ ଆଲୋଡ଼ନ ସୃଷ୍ଟି ହେଲାଣି। ରାଜ୍ୟ ସରକାର ଏହା ଉପରେ ଏଯାଏ ଚିନ୍ତା ପ୍ରକଟ କରିନାହାନ୍ତି। ହେଲେ କେନ୍ଦ୍ରୀୟ ତନାଘନା ଆରମ୍ଭ ହୋଇଯାଇଛି। ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ବନଖଣ୍ଡରେ ହାତୀ ମୃତ୍ୟୁ ଭଳି ଘଟଣା ସାମ୍ନାକୁ ଆସିବା ପରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌,ବନ୍ୟପ୍ରାଣୀ)ଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ବିଶେଷ କରି ଆଠଗଡ଼ ବନଖଣ୍ଡରେ ହାତୀକୁ ୬ଟି ଗୁଳି ମାଡ଼ ଏବଂ ପରବର୍ତ୍ତୀ ସମୟରେ ତା’ର ମୃତ୍ୟୁକୁ ନେଇ କେନ୍ଦ୍ର ଭୀଷଣ କ୍ଷୁବ୍ଧ। ଅନ୍ୟପଟରେ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଜଙ୍ଗଲ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଗାତାର ହାତୀ ମୃତ୍ୟୁ ଘଟଣା ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏହା ଚିନ୍ତାଜନକ ବୋଲି ଟ୍ୱିଟ୍ କରିଛନ୍ତି।

Advertisment

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆଠଗଡ଼ରେ ଗୋଟିଏ ଦନ୍ତାହାତୀ ଦେହରେ ୫ରୁ ୬ଟି ଗୁଳି ମା‌ଡ଼ ହୋଇଥିବା ଘଟଣା ଆମ ନଜରକୁ ଆସିଛି। ତା’ ମୁଣ୍ଡ ସହ ଶରୀର ଓ ଗୋଡ଼ରେ ଗୁଳିଗୁଡ଼ିକ ବାଜିବା ସହ‌ ସେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହି ଘଟଣାର ଗୁରୁତର ସହ ନେଇ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। କେଉଁ ଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହାର ରିପୋର୍ଟ ଯଥାଶୀଘ୍ର ଜଙ୍ଗଲ ବିଭାଗ ପକ୍ଷରୁ ମନ୍ତ୍ରଣାଳୟକୁ ଇ-ମେଲ୍‌ ଯୋଗେ ପଠାଇବାକୁ ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ୍‌ର ବୈଜ୍ଞାନିକ କେ ଏମ୍‌ ସେଲ୍‌ଭନ୍‌ କହିଛନ୍ତି।

publive-image livemint.com

ସେହିଭଳି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଓଡ଼ିଶାର ଘଞ୍ଚ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ରାଜ୍ୟର ଅନନ୍ୟ ପରିଚୟ। ପ୍ରକୃତି ଓ ପର୍ଯ୍ୟାବରଣରେ ହାତୀମାନଙ୍କ ସ୍ଥାନ ସ୍ୱତନ୍ତ୍ର। ମାତ୍ର କିଛି ବର୍ଷ ହେଲା ରାଜ୍ୟରେ ବଢ଼ୁଥିବା ହାତୀ ମୃତ୍ୟୁ ଘଟଣା ଉଦବେଗଜନକ ହୋଇପଡ଼ିଛି। ଗତ ୧୨ ବର୍ଷ ମଧ୍ୟରେ ହାତୀ ବହୁଳ ରାଜ୍ୟ ଓଡ଼ିଶାରେ ୯୪୭ଟି ହାତୀ ମୃତ୍ୟୁବରଣ କରିଛନ୍ତି। ଶିକାରୀଙ୍କ ଗୁଳି, ବିଷ ପ୍ରୟୋଗ, ବ୍ୟବସ୍ଥାର ତ୍ରୁଟିରୁ ବିଦ୍ୟୁତ୍ ଆଘାତ ଏବଂ ଦୁର୍ଘଟଣା ଯୋଗୁଁ ଅନେକ ହାତୀଙ୍କ ମୃତ୍ୟୁ ଘଟିବା ସବୁଠାରୁ ଚିନ୍ତାର ବିଷୟ। ନିକଟରେ କଟକ ଜିଲ୍ଲା ଆଠଗଡ଼ରେ ଗୁଳିବିଦ୍ଧ ହାତୀର ମୃତ୍ୟୁ ବନ୍ୟପ୍ରାଣୀ ଓ ପ୍ରକୃତିପ୍ରେମୀଙ୍କୁ ଦୁଃଖ ଦେଇଛି। ହାତୀ ସୁରକ୍ଷା ପାଇଁ ସମୟୋପଯୋଗୀ ପଦକ୍ଷେପ ନେବା ଜରୁରୀ। ରାଜ୍ୟ ସରକାର ଅବିଳମ୍ବେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହ ଶିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିତ୍ୟାନ୍ତ ଆବଶ୍ୟକ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଟ୍ୱିଟ୍‌କୁ ରିଟ୍ବିଟ୍‌ କରି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି ଯେ ହାତୀ ଆମର ଐତିହ୍ୟ ପ୍ରାଣୀ। ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ଅନୁଯାୟୀ ହାତୀଙ୍କୁ ସର୍ବୋଚ୍ଚ ସୁରକ୍ଷା ଦିଆଯାଇଛି। ଓଡ଼ିଶାରେ ବଢ଼ୁଥିବା ହାତୀ ମୃତ୍ୟୁକୁ ମନ୍ତ୍ରଣାଳୟ ଗୁରୁତ୍ୱର ସହ ନେଇଛି। ଆମର ବନ୍ୟଜନ୍ତୁ ଐତିହ୍ୟର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଶିକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ କୁହାଯାଇଛି।

publive-image

ଏଠାରେ ଉଲ୍ଲେଖଥାଉକି, ଆଠଗଡ଼ ଜଙ୍ଗଲରୁ ହାତୀଙ୍କ କଙ୍କାଳ ମିଳିବା ଘଟଣା ଥମିବାର ନାଁ ନେଉ ନାହିଁ। କିଛି ଦିନ ମଧ୍ୟରେ ଦୁଇଟି କଙ୍କାଳ ମିଳିସାରିଥିବା ବେଳେ ବୁଧବାର ଦିନ ବଡ଼ମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ଖାରୋଡ ଗାଁ ନିକଟରୁ ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଛି। ଦନ୍ତାହାତୀର କଙ୍କାଳ ମିଳିଥିଲେ ମଧ୍ୟ ଦାନ୍ତ ମିଳିନାହିଁ। କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା, ସେ ସମ୍ପର୍କରେ କାହାକୁ ଜଣା ନାହିଁ। ବନ ବିଭାଗ ଅଧିକାରୀମାନେ ବି ଚୁପ୍‌। ଗୋଟିଏ ପଟେ କଙ୍କାଳ ଉଦ୍ଧାର ଆଉ ଅନ୍ୟପଟେ ଶିକାରୀଙ୍କ କବଳରୁ ହାତୀଙ୍କ ସୁରକ୍ଷା ଏବେ ବନ ବିଭାଗର ନିଦ ହଜାଇ ଦେଇଛି। ଏବେ ପୁଣି ଅଭିଯୋଗ ହେଲାଣି ଯେ ଆଠଗଡ଼ ବନଖଣ୍ଡ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ ବହୁ ହାତୀଙ୍କୁ ମାରି ପୋତି ଦିଆଯାଇଛି। ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ୍‌ ମହାନ୍ତି କହିଛନ୍ତି, ଆଠଗଡ଼ ବନଖଣ୍ଡରେ ଆଉ ଏକ ହାତୀ କଙ୍କାଳ ପୋତାଯାଇଛି। ଏସମ୍ପର୍କରେ ଏସ୍‌ଟିଏଫ୍‌ ବି ଅବଗତ ଅଛି। ମାତ୍ର ଉକ୍ତ ସ୍ଥାନ ଖୋଳିବାକୁ ଯିବା ସମୟରେ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରୁଛନ୍ତି। ଯେଉଁଥିପାଇଁ ବାରମ୍ବାର ପ୍ରୟାସ କରାଯିବା ପରେ ମଧ୍ୟ ଉକ୍ତ ଅଞ୍ଚଳରୁ ମାଟି ଖୋଳି କଙ୍କାଳ ବାହାର କରିବା କଷ୍ଟକର ହୋଇପଡ଼ୁଛି। ଏ ଦିଗରେ ରାଜ୍ୟ ସରକାର ହସ୍ତକ୍ଷେପ କରି ପ୍ରକୃତ ଘଟଣା ସାମ୍ନାକୁ ଆଣିବା ଆବଶ୍ୟକ।