ଗଜ ହତ୍ୟା ଘଟଣାର ତଦନ୍ତ ଆରମ୍ଭ : ବନ ବିଭାଗ-ନେସ୍କୋ ବିବାଦ ଘନେଇଲା

୧୧କେଭି ତାରରେ ହୁକ ପକାଇ ହେବନି: ନେସ୍କୋ
ଛୋଟ ଜନ୍ତୁ ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଯାଇଥିଲା: ବନ ବିଭାଗ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବୈତରଣୀ ସଂରକ୍ଷିତ ଜଙ୍ଗଲର ଗୁରୁବେଡ଼ାଠାରେ ରଜରେ ଗଜହତ୍ୟା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ରାଜ୍ୟ ଅତିରିକ୍ତ ପ୍ରମୁଖ ବନସଂରକ୍ଷକ ଶଶୀ ପଲ ଘଟଣାସ୍ଥଳକୁ ଯାଇ ୨ହାତୀଙ୍କୁ ହତ୍ୟା ଘଟଣାର ତଦନ୍ତ କରିଛନ୍ତି। ଘଟଣାସ୍ଥଳରୁ ବିଦ୍ୟୁତ ତାର ଓ ଉପକରଣ ଜବତ କରାଯାଇଛି। ବିଦ୍ୟୁତ୍‌ କରେଣ୍ଟ ଲଗାଇ ହାତୀ ହତ୍ୟା କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ, ଅଯଥା ବିଦ୍ୟୁତ୍‌ ବିଭାଗକୁ ଟଣାଯାଉଛି ବୋଲି ନେ‌ସ୍କୋ ପକ୍ଷରୁ କୁହାଯାଇଛି। ତେଣୁ ହାତୀମୃତ୍ୟୁର ପ୍ରକୃତ କାରଣକୁ ନେଇ ଦ୍ବନ୍ଦ୍ବ ଉପୁଜିବା ସହ ବନ ବିଭାଗ- ବିଦ୍ୟୁତ୍‌ ବିଭାଗ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି।

ଆଜି ଅପରାହ୍‌ଣ ୩ଟା ସମୟରେ ଅତିରିକ୍ତ ପ୍ରମୁଖ ବନ ସଂରକ୍ଷକ ଶ୍ରୀ ପଲ ୨ହାତୀ ମରିଥିବା ସ୍ଥାନକୁ ଯାଇ ଖୋଳତାଡ଼ କରିଥିଲେ। ଗଣମାଧ୍ୟମକୁ ଶ୍ରୀ ପଲ କହିଛନ୍ତି ଯେ ଶିକାରୀମାନେ ଛୋଟ ଜନ୍ତୁ ଶିକାର କରିବା ପାଇଁ ବିଦ୍ୟୁତ ତାର ଜଙ୍ଗଲ ମଧ୍ୟରେ ବିଛାଇଥିଲେ। ଦୁର୍ଘଟଣାଜନିତ ବିଦ୍ୟୁତ ତାରରେ ଲାଗି ଦୁଇଟି ହାତୀର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ତଦନ୍ତ ପରେ ଏହା ସ୍ପଷ୍ଟ ହେବ। ଏଥିପାଇଁ ଯେଉଁମାନେ ଦାୟୀ ରିପୋର୍ଟ ପ୍ରସ୍ତୁତ ପରେ ପୁଲିସ ସହାୟତା ନିଆଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଛୋଟ ଜନ୍ତୁ ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଯାଇଥିଲା ତେବେ ଦନ୍ତାର ଦାନ୍ତ କିପରି ଗାଏବ ହେଲା?

ଅନ୍ୟପକ୍ଷରେ, ସମ୍ପର୍କରେ ନେସ୍କା ଏସ୍‌ଡିଓ ଦିବ୍ୟରଂଜନ ସାହୁ କହିଛନ୍ତି, ୧୧ କେଭି ଲାଇନ୍‌ରେ ହୁକ ପକାଇଲେ ଟ୍ରିପ୍‌ ହୋଇଯିବ। କିନ୍ତୁ ଘଟଣା ଦିନ ଥରେ ବି ଲାଇନ୍‌ ଟ୍ରିପ୍‌ ହୋଇନି। ଫ୍ୟୁଜ୍‌ ମଧ୍ୟ ଯାଞ୍ଚ କରାଯାଇଛି। ୩ଟି ଯାକ ଫ୍ୟୁଜ୍‌ ସୁରକ୍ଷିତ ଅଛି। ବନ ବିଭାଗ କିଛି ପୁରୁଣା ବିଦ୍ୟୁତ୍‌ ତାର ଦେଖାଇ ହାତୀ ମୃତ୍ୟୁ ଦୋଷ ବିଦ୍ୟୁତ୍‌ ବିଭାଗ ଉପରେ ଲଦିବାକୁ ଚେଷ୍ଟା କରୁଛି ବୋଲି ଶ୍ରୀ ସାହୁ କହିଛନ୍ତି। ସେହିପରି ପୂର୍ବରୁ ହାତୀର ଗତିବିଧି ସମ୍ପର୍କରେ ବିଦ୍ୟୁତ୍‌ ବିଭାଗକୁ ନିୟମିତ ସୂଚନା ଦିଆଯାଉଥିଲା। ଗତ ୪ ଦିନ ହେବ କିନ୍ତୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଉ ନଥିଲା ବୋଲି ସେ କହିଛନ୍ତି।

ଆଜି ଘଟଣାର ତଦନ୍ତ ସମୟରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଭଞ୍ଜକିଶୋର ସ୍ବାଇଁ, କେନ୍ଦୁଝର ସହକାରୀ ବନ ସଂରକ୍ଷକ ଅଜୟ କୁମାର ସାହୁ, ଚମ୍ପୁଆ ରେଞ୍ଜର କାଶିନାଥ ହେମ୍ବ୍ରମ, ଡେପୁଟି ରେଞ୍ଜର ଘାସିନାଥ ପାତ୍ର, ଯୋଡ଼ା ବନପାଳ ପିଅନ ନାଏକ, କେନ୍ଦୁଝର ରେଞ୍ଜର ଶରତ ପଟ୍ଟନାୟକ, ବଡବିଲ ରେଞ୍ଜରର ମଧୁସୂଦନ ପାତ୍ର,ବାମେବାରୀ ବନପାଳ ଜ୍ୟୋତିନ୍ଦ୍ର ସାହୁ, ଚମ୍ପୁଆ ବନପାଳ କ୍ଷୀରୋଦ ଦାସ, ଉଖୁଣ୍ତା ବନପାଳ ଭାଗୀରଥି ମିଶ୍ର, ବିଲେଇପଦା ବନପାଳ ପ୍ରଦୀପ ବେହେରା, ବାଲିବନ୍ଧ ବନପାଳ ଖଗେଶ୍ବର ବାରିକଙ୍କ ସମେତ ଅନ୍ୟ ବନ କର୍ମଚାରୀ ଏବଂ ହାତୀସ୍କ୍ବାଡ୍‌ ଉପସ୍ଥିତ ଥିଲେ। ଘଟଣାସ୍ଥଳରେ ଯୋଡ଼ା ପ୍ରାଣୀ ଚିକିତ୍ସକ ଡାକ୍ତର ମାଧବ ଚୌଧୁରୀ ଓ ଡବ୍ଲ୍ୟୁଟିଆଇର ଡାକ୍ତର ବନ୍ଦିତା ମିଶ୍ର ହାତୀର ଶବ ବ୍ୟବଚ୍ଛେଦ କରିଛନ୍ତି।

ସମ୍ବନ୍ଧିତ ଖବର