ନୀଳଗିରି : ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି ବାଲେଶ୍ବର ଜିଲ୍ଲାର ନୀଳଗିରି କୁଲଡ଼ିହା ଅଭୟାରଣ୍ୟ। ଏଠାରେ ବର୍ଷକ ମଧ୍ୟରେ ୬ଟି ହାତୀ ମୃତ୍ୟୁବରଣ କରିଥିବା ବେଳେ ପୁଣି ଏକ ଦନ୍ତାହାତୀକୁ ଗୁଳିକରି ଦାନ୍ତ କାଟି ନେଇଛନ୍ତି ଶିକାରୀ। ଅଭୟାରଣ୍ୟର କଳମାଚତୁରି ନିକଟରେ ୩ ଦିନ ପୂର୍ବରୁ ଏହି ବିରାଟକାୟ ଦନ୍ତାକୁ ମାରି ଦିଆଯାଇଥିଲେ ମଧ୍ୟ ବନ ବିଭାଗ ଏହାର ଟେର୍ ନ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାଟ୍ରୋଲିଂରେ ଯାଇଥିବା ବନ ବିଭାଗର କିଛି କର୍ମଚାରୀ ଗୁଳିବିଦ୍ଧ ଦନ୍ତାର ମୃତଦେହ ଠାବ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି।
ଗୁରୁବାର ସକାଳେ ଦନ୍ତା ମୃତ୍ୟୁ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଆଗୁଆ ଖବର ପାଇ ସାତଘାଟି ଗେଟ୍ ପାଖରେ ପହଞ୍ଚିଥିଲେ। ମାତ୍ର, ଅଭୟାରଣ୍ୟ କର୍ତ୍ତୃପକ୍ଷ ଦୋଷ ଲୁଚାଇବା ପାଇଁ ସମସ୍ତପ୍ରକାର ଉଦ୍ୟମ କରିଥିଲେ। ଗେଟ୍ରେ ତାଲା ପକାଇ ଭିତରକୁ କାହାକୁ ଛାଡ଼ିନଥିଲେ। ବାହାରେ ଘଣ୍ଟା ଘଣ୍ଟା ଜଗି ବସିଥିବା ଗଣମାଧ୍ୟମ ପ୍ରତିନିଧି ଯଦିଓ ଅଭୟାରଣ୍ୟକୁ ଯାଇ ପାରିନଥିଲେ, କିନ୍ତୁ ସ୍ଥାନୀୟ ବନବାସୀଙ୍କ ସୂତ୍ରରୁ ସବୁ ଖବର ପାଇ ଯାଇଥିଲେ। ସେପଟେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ନଜର ଆଢ଼ୁଆଳରୁ ବର୍ତ୍ତିବା ଲାଗି ଅନ୍ୟ ଏକ ଗଳାବାଟ ଦେଇ ପଳାଇ ଆସିଥିଲେ ବନ ବିଭାଗର ଅଧିକାରୀ। ଏସମ୍ପର୍କରେ ଖବର ପାଇ କୁଲଡିହା ରେଞ୍ଜ ଅଧିକାରୀ ଅନନ୍ତ କୁମାର ଜେନା ଓ ବନ କର୍ମଚାରୀଙ୍କ ସହ ବାଲେଶ୍ବର ଡିଏଫ୍ଓ ଖୁସବନ୍ତ ସିଂ ଆଜି ଘଟଣାସ୍ଥଳ ପରିଦର୍ଶନ କରି ହାତୀମୃତ୍ୟୁର ତଦନ୍ତ କରିଛନ୍ତି। ଭୁବନେଶ୍ବର ସ୍ପେଶାଲ ଟାକ୍ସଫୋର୍ସ ଦ୍ବାରା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ, ଗୋଟିଏବର୍ଷରେ କୁଲଡିହା ଅଭୟାରଣ୍ୟରେ ୭ଟି ହାତୀ ମୃତ୍ୟୁପରେ ରେଞ୍ଜ୍ ଅଧିକାରୀ ଓ ସ୍ଥାନୀୟ ବନ କର୍ମଚାରୀଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/elephant.jpg)