ବନ୍ତଳା/ପାଇକସାହି : ଯେଉଁ ବିପଦର ଭୟର ଥିଲା, ସେୟା ହିଁ ହେଲା। ବିଦ୍ୟୁତ୍ ଫାଶରେ ପଡ଼ି ପୁଣି ଗଲା ଏକ ଦନ୍ତାହାତୀର ଜୀବନ। ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ୍ ଜଗନ୍ନାଥପୁର ଗାଁ ବଡ଼ଝରଣ ଆମ୍ବତୋଟାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏମିତି ଘଟଣା। ଅଭୟାରଣ୍ୟ ମାନ୍ୟତା ପାଇଥିବା ସାତକୋଶିଆରେ ବନ୍ୟପ୍ରାଣୀ ଯେ ଆଦୌଁ ସୁରକ୍ଷିତ ନୁହନ୍ତି ତାହା ଏହି ଘଟଣା ପ୍ରମାଣିତ କରିଛି। ଏପରିକି ଫରେଷ୍ଟ ବିଟ୍ ହାଉସ୍ର ଅତି ନିକଟରେ ହୋଇଥିବା ହାତୀ ଶିକାର ସ୍ଥାନୀୟ ବନ କର୍ମଚାରୀଙ୍କ ଭୂମିକା ଉପରେ ମଧ୍ୟ ସନ୍ଦେହ ସୃଷ୍ଟି କରିଛି।
ସୂଚନା ମୁତାବକ, ଶିକାର ହୋଇଥିବା ଏହି ହାତୀଟିର ବୟସ ପ୍ରାୟ ୨୫/୩୦ବର୍ଷ। ସ୍ଥାନୀୟ ବିଟ୍ ହାଉସ୍ଠାରୁ ମାତ୍ର ଅଧା କିଲୋମିଟର ଦୂର ପୂର୍ତ୍ତ ବିଭାଗ ରାସ୍ତାଠାରୁ ମାତ୍ର ୨ଶହ ମିଟର ଦୂର ଆମ୍ବତୋଟାରେ ଶୁକ୍ରବାର ଦିନ ମୃତ ହାତୀକୁ ଠାବ କରାଯାଇଥିଲା। ଜଗନ୍ନାଥପୁର ଗାଁ ଦେଇ ସଂଯୋଗ ହୋଇଥିବା ବିଦ୍ୟୁତ୍ ତାରରୁ ଶିକାରୀମାନେ ବିଦ୍ୟୁତ୍ ଫାଶ ତିଆରି କରିଥିଲେ। ଦନ୍ତାହାତୀଟି ସ୍ଥାନୀୟ ଇଲାକାରେ ବୁଲୁଥିବା ବେଳେ ତାର ପାଦ ଏହି ବିଦ୍ୟୁତ୍ ଫାଶ ସଂସ୍ପର୍ଶରେ ଆସିଥିଲା। ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଛି।
ଗତକାଲି ବିଳମ୍ବିତ ରାତିରେ ବନ ବିଭାଗ ମୃତ ଦନ୍ତାକୁ ଠାବ କରିଥିଲା। ସୂଚନା ପାଇଁ ସାତକୋଶିଆ ଡିଏଫ୍ଓ ଡ. ସରୋଜ ପଣ୍ଡା, ଏସିଏଫ୍ ଶୁଭେନ୍ଦୁ ବେହେରା, ବନ୍ୟପ୍ରାଣୀ ଚିକିତ୍ସକ ଡାକ୍ତର କିଶୋର ସାହୁ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇଛନ୍ତି। ହାତୀକୁ ଶିକାର କରାଯାଇଥିଲେ ହେଁ ତାର ଦାନ୍ତକୁ ଦୁର୍ବୃତ୍ତମାନେ ନେଇ ପାରି ନାହାନ୍ତି। ହାତୀକୁ ଶିକାର କରାଯାଇଥିବା ଯଦିଓ ସ୍ପଷ୍ଟ ହୋଇଛି, କିନ୍ତୁ କିଏ ବିଦ୍ୟୁତ୍ ଫାଶ ପକାଇଥିଲେ, ତାହା ଜଣାପଡ଼ିନାହିଁ। ତେବେ ଶିକାରୀମାନଙ୍କୁ ଧରିବା ପାଇଁ ସାତକୋଶିଆର ସନ୍ଧାନୀ କୁକୁରକୁ ଘଟଣାସ୍ଥଳକୁ ଅଣାଯାଇଥିଲା। ଗନ୍ଧବାରି କୁକୁର ତିନି ଜଣଙ୍କୁ ଚିହ୍ନଟ କରିଥିଲା। ଗାଁର ତିନି ଜଣ ଲୋକଙ୍କୁ ସନ୍ଦେହ କରି ପଚରା ଉଚରା କରାଯାଉଛି ବୋଲି ସାତକୋଶିଆ ଡିଏଫ୍ଓ ଡ. ପଣ୍ଡା କହିଛନ୍ତି।
ହାତୀ ଶିକାର ଘଟଣାରେ ବେଶି ସନ୍ଦେହ ହେଉଛି ସ୍ଥାନୀୟ ବିଟ୍ ହାଉସ୍ ଉପରେ। ଘଟଣାଟି ଯେଉଁ ଜାଗାରେ ଘଟିଛି ତାହା ସ୍ଥାନୀୟ ବିଟ୍ ହାଉସ୍ଠାରୁ ମାତ୍ର ଅଧା କିଲୋମିଟର ଦୂର। ଏତେ ବଡ଼ ହାତୀ ବିଦ୍ୟୁତ୍ ଆଘାତ ଖାଇଲା, ଚିତ୍କାର କରି ମୃତ୍ୟୁବରଣ କଲା, ଅଥଚ ବନ ବିଭାଗ କର୍ମଚାରୀ କିପରି ଜାଣି ପାରିଲେନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ଫେବ୍ରୁଆରି ମାସରେ ସାତକୋଶିଆର ହାତୀବାରି ଗାଁ ନିକଟରେ ଅନୁରୂପ ଘଟଣା ଘଟିଥିବା ବେଳେ ପୁଣି ଘଟଣାର ପୁନରାବୃତ୍ତି ହେବା ବନ ଅଧିକାରୀଙ୍କ ଉପରେ ସ୍ବତଃ ଆଙ୍ଗୁଠି ଠିଆ କରୁଛି। ଏହାର ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା କରିବାକୁ ଦାବି ହେଉଛି।
ସୂଚନାଯୋଗ୍ୟ ଯେ ‘ସମ୍ବାଦ ୨୬ ତାରିଖ ସଂସ୍କରଣର ମୁଖ୍ୟ ପୃଷ୍ଠାରେ ‘ସାତକୋଶିଆକୁ ବିଦ୍ୟୁତ୍ ବିପଦ ସଂପର୍କରେ ଏକ ଖବର ପ୍ରକାଶ ପାଇଥିଲା। ଏଥିରେ ମୁକୁଳା ବିଦ୍ୟୁତ୍ ତାର କିପରି ଶିକାରୀଙ୍କୁ ସୁହାଉଛି ସେ ସଂପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା।