କଟକ: ରାଜ୍ୟରେ ହାତୀ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସମ୍ବଲପୁର ଫରେଷ୍ଟ ସର୍କଲ୍‌ର ରେଢାଖୋଲ ଡିଭିଜନ୍‌ ଅଧୀନ ନାକଟିଦେଉଳ ରେଞ୍ଜରେ ବିଦ୍ୟୁତ୍‌ ଆଘାତରେ ତିନି ହାତୀଙ୍କ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ନଭେମ୍ବର ୨୬ରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌)ଙ୍କୁ ଭର୍ଚୁଆଲ୍‌ ବ୍ୟବସ୍ଥାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହାତୀଙ୍କ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ପିସିସିଏଫ୍‌ ଅବଗତ କରିବେ। ଏଥି ସହିତ ୨୦୨୦ରୁ ଏ ପର୍ଯ୍ୟନ୍ତ ରାଜ୍ୟରେ କେତେ ସଂଖ୍ୟକ ହାତୀଙ୍କ ମୃତ୍ୟୁ ହୋଇଛି ସେ ନେଇ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାତୀ ମୃତ୍ୟୁର କାରଣ କ’ଣ ସେ ନେଇ ସତ୍ୟପାଠରେ ସ୍ପଷ୍ଟ କରାଯିବ। ଏଥି ସହିତ ଆଜି (ନଭେମ୍ବର ୧୯) ପ୍ରକାଶିତ ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ତିନି ହାତୀଙ୍କ ମୃତ୍ୟୁ ପଛର କାରଣ ‌ତଦନ୍ତ ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ସତ୍ୟପାଠରେ ତଥ୍ୟ ଉଲ୍ଲେଖ କରାଯିବ। ହାତୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ପୂର୍ବରୁ ବିଚାରାଧୀନ ଥିବା ୨୦୧୫ ଓ ୨୦୨୨ର ଜନସ୍ବାର୍ଥ ଆବେଦନଗୁଡ଼ିକୁ ପରବର୍ତ୍ତୀ ଶୁଣାଣି ବେଳେ ଏହି ଜନସ୍ବାର୍ଥ ମାମଲା ସହିତ ତାଲିକାଭୁକ୍ତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ, ପିସିସିଏଫ୍‌ ଓ ଅନ୍ୟମାନଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ହାଜର ହେବେ ପିସିସିଏଫ୍‌, ଦାଖଲ କରିବେ ସତ୍ୟପାଠ
୨୦୨୦ରୁ ଏ ପର୍ଯ୍ୟନ୍ତ ହୋଇଥିବା ହାତୀ ମୃତ୍ୟୁ ଓ କାରଣ ଜଣାଇବେ

ଆଜି ମାମଲାର ଶୁଣାଣି ସମୟରେ ଦର୍ଶାଯାଇଥିଲା ଯେ, ପୂର୍ବରୁ ହାତୀଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ବିଚାରାଧୀନ ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ହାତୀ ମୃତ୍ୟୁ ରୋକିବାକୁ ତଥା ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସରକାର ଯୁଗ୍ମ ଟାସ୍କଫୋର୍ସ(ଜେଟିଏଫ୍) ଗଠନ କରିଥିଲେ। ଜେଟିଏଫ୍ ଗଠନ ପରେ ମଧ୍ୟ ରାଜ୍ୟରେ ହାତୀ ମୃତ୍ୟୁ ଘଟଣା ଦେଖିବାକୁ ମିଳୁଛି। ପୂର୍ବରୁ ବିଚାରାଧୀନ ମାମଲାର ୨୦୨୨ ଅଗଷ୍ଟ ୨୫ରେ ଶୁଣାଣି ସମୟରେ ବନ ବିଭାଗ ଓ ପୁଲିସ ବିଭାଗ ଅଧିକାରୀଙ୍କୁ ନେଇ ଜେଟିଏଫ୍ ଗଠନ କରାଯାଇଥିବା ସଂକ୍ରାନ୍ତରେ ସରକାର ଅବଗତ କରିଥିଲେ। ହାତୀଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ କରାଯାଇଥିବା ଆକ୍ସନ୍‌ ପ୍ଲାନ୍‌କୁ ରାଜ୍ୟ ସରକାର ଅନୁମୋଦନ କରିଥିବା ସଂକ୍ରାନ୍ତରେ ଜେଟିଏଫ୍ ମୁଖ୍ୟ ହାଇକୋର୍ଟଙ୍କୁ ୨୦୨୩ ମାର୍ଚ୍ଚ ୧୩ରେ ଜଣାଇଥିଲେ। 
ମାମଲାର ବିବରଣୀରୁ ପ୍ରକାଶ ଯେ, ବାର୍‌ହା ଶିକାର ପାଇଁ ବେଆଇନ ଭାବେ ବିଛାଯାଇଥିବା ବିଦ୍ୟୁତ୍‌ ତାର ଫାଶରେ ପଡ଼ି ୩ଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଚୁରାମାଳ ଜଙ୍ଗଲର ବୁଢାତଇଲାଠାରେ ଏହି ଘଟଣା ହୋଇଥିଲା। ଆଜି ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ହାଇକୋର୍ଟ ରେଜିଷ୍ଟ୍ରାର୍‌ ଜୁଡିସିଆଲ୍‌ଙ୍କ ତରଫରୁ ଏ ନେଇ ଆଜି ମାମଲା ରୁଜୁ କରାଯାଇଥିଲା। ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର, ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନାରେ ସହଯୋଗ କରୁଛନ୍ତି।