ଭୁବନେଶ୍ବର : ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ରାଜ୍ୟରେ କୌଣସି ବାଘଙ୍କର ମୃତ୍ୟୁ ହୋଇ ନାହିଁ। ମାତ୍ର ୨୪୫ଟି ହାତୀଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୬ଟି ହାତୀଙ୍କର ଶିକାର ଦ୍ବାରା ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ହାତୀ ଶିକାର ଓ ଦାନ୍ତ ଚୋରା ଚାଲାଣ ଏବଂ ବାଘ ଦେହାବଶେଷ ଚୋରା ଚାଲାଣ ଅଭିଯୋଗରେ ୪୭ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ୩୯ଟି ହାତୀ ଦାନ୍ତ, ଗୋଟିଏ ବାଘ ଛାଲ, ୯ଟି ବାଘ ନଖ ଜବତ କରାଯାଇଛି। ବାଲେଶ୍ବର ଜିଲ୍ଲାରୁ ସର୍ବାଧିକ ୮ଜଣ ହାତୀ ଶିକାରୀ ଗିରଫ ହୋଇଥିବା ବେଳେ ମୟୂରଭଞ୍ଜରୁ ୭, ସୋନପୁର ଜିଲ୍ଲାରୁ ୬, କଳାହାଣ୍ଡି ଓ କେନ୍ଦୁଝରରୁ ୫ ଜଣ ଲେଖାଏ ଶିକାରୀ ଗିରଫ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ୧୬ ହାତୀ ଦାନ୍ତ ଜବତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରୁ ୧୨, ବାଲେଶ୍ବରରୁ ୪, ଅନୁଗୁଳ, ସୋନପୁର, ଦେବଗଡ଼ରୁ ୨ଟି ଲେଖାଏ ଓ କଟକ ଜିଲ୍ଲାରୁ ଗୋଟିଏ ହାତୀ ଦାନ୍ତ ଜବତ ହୋଇଛି। କେବଳ କଳାହାଣ୍ଡି ଜିଲ୍ଲାରୁ ୯ଟି ବାଘ ନଖ ଓ ଗୋଟିଏ ବାଘ ଛାଲ ଜବତ ହୋଇଥିବା ନେଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ବିଧାନସଭାରେ ଏହି ଉତ୍ତର ରଖିଛନ୍ତି।
୫ବର୍ଷରେ ୩ ବାଘ ମୃତ
୫ ବର୍ଷ ମଧ୍ୟରେ ରାଜ୍ୟରେ ୩ଟି ବାଘଙ୍କର ମୃତ୍ୟୁ ହୋଇଛି। ଦୁଇଟି ବାଘ ସ୍ବାଭାବିକ ଭାବେ ମୃତ୍ୟୁବରଣ କରିଥିବା ବେଳେ ଗୋଟିଏ ବାଘ ଶିକାରୀଙ୍କ ଦ୍ବାରା ମୃତ୍ୟୁବରଣ କରିଛି। ଏହ ସମୟ ମଧ୍ୟରେ ଚିକିତ୍ସା ଅଭାବରୁ କୌଣସି ବାଘଙ୍କର ମୃତ୍ୟୁ ହୋଇନାହିଁ। ବାଘଙ୍କ ସୁରକ୍ଷା ପାଇଁ ଶିକାର ନିରୋଧକ ଶିବିର ପ୍ରତିଷ୍ଠା, ସ୍ପେସାଲ ସ୍କ୍ବାଡ୍ ମୁତୟନ, ଜଙ୍ଗଲରେ ପାଦଚଲା ପଇଁତରା, ତୃଣଭୋଜି ପ୍ରାଣୀଙ୍କ ବୃଦ୍ଧି ପାଇଁ ଚାରଣ ଭୂମିର ବିକାଶ, ଜଙ୍ଗଲ ନିଆଁର ପ୍ରତିରୋଧ ପରି ପଦକ୍ଷେପ ନିଆଯାଇଛି। ଏବେ ରାଜ୍ୟରେ ଦୁଇଟି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ରହିଛି। ୫ବର୍ଷ ମଧ୍ୟରେ ବ୍ୟାଘ୍ର ସଂଖ୍ୟା ବୃଦ୍ଧି ହୋଇଛି କି ହ୍ରାସ ପାଇଛି ତାହାର ତଥ୍ୟ ଏବେ କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଉଥିବା ବାଘ ଗଣନା ଫଳ ପ୍ରକାଶ ପରେ ଜଣାପଡ଼ିବ ବୋଲି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ସୂଚନା ଦେଇଛନ୍ତି।