ଢେଙ୍କାନାଳ ଜିଲ୍ଲାରେ ହାତୀ ମୃତ୍ୟୁ ଉଦ୍‌ବେଗଜନକ: ୩ ବର୍ଷରେ ମଲେଣି ୪୦, ହିନ୍ଦୋଳ ରେଞ୍ଜରେ ସର୍ବାଧିକ

ଚିନ୍ତା ବଢ଼ାଇଛି ଦୁଇ ଦିନରେ ୨ଟି ହାତୀର ମୃତ୍ୟୁ

ଢେଙ୍କାନାଳ : ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ହାତୀ ମୃତ୍ୟୁ ବଢିବାରେ ଲାଗିଛି। ଏହା ଦ୍ବାରା ସମଗ୍ର ରାଜ୍ୟରେ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୩ ବର୍ଷରେ ଜିଲ୍ଲାରେ ୪୦ଟି ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେଥିମଧ୍ୟରୁ ଗତ ୨ ଦିନରେ ଦୁଇଟି ହାତୀର ମୃତ୍ୟୁ ଘଟଣା ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କ ଚିନ୍ତା ବଢାଇ ଦେଇଛି।

ବନ ବିଭାଗ ସୂଚନା ଅନୁଯାୟୀ, ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ସଂପ୍ରତି ୨୭୦ ହାତୀ ଚଳପ୍ରଚଳ କରୁଛନ୍ତି। ସେଥିରୁ କେବଳ ହିନ୍ଦୋଳ ବନାଞ୍ଚଳରେ ସର୍ବାଧିକ ୨୦୦ ହାତୀ ରହୁଛନ୍ତି। ଜିଲ୍ଲାରେ ହାତୀସଂଖ୍ୟା ଅଧିକ ଥିବା ବେଳେ ହାତୀ ମୃତ୍ୟୁ ମଧ୍ୟ ସେହି ତୁଳନାରେ ବଢି ଚାଲିଛି। ହାତୀ ହାତୀ ମଧ୍ୟରେ ଲଢେଇ, ବିଦ୍ୟୁତ୍ ଆଘାତ, ସଡ଼କ ଦୁର୍ଘଟଣା, ଟ୍ରେନ୍ ଦୁର୍ଘଟଣାରେ ହାତୀଙ୍କ ମୃତ୍ୟୁ ଘଟୁଛି। ସେହିପରି ନାଳରେ ଖସି ପଡ଼ି, ଶିକାରୀ ଗୁଳି, ବିଭିନ୍ନ ରୋଗରେ ପଡି ହାତୀମାନଙ୍କର ମଧ୍ୟ ମୃତ୍ୟୁ ଘଟୁଛି। ୨୦୧୯–୨୦ ବର୍ଷରେ ୧୬ଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ୨୦୨୦–୨୧ରେ ୬ଟି, ୨୧–୨୨ରେ ୧୩ଟି ଏବଂ ୨୦୨୨–୨୩ର ଜୁଲାଇ ମାସ ୬ ତାରିଖ ସୁଦ୍ଧା ୫ଟି ହାତୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୯ଟି ହାତୀଙ୍କ ମୃତ୍ୟୁ ବିଦ୍ୟୁତ୍ ଆଘାତରେ, ୧୨ଟି ହାତୀ ବିଭିନ୍ନ ରୋଗରେ, ଅନ୍ୟ ହାତୀମାନେ ନାଳରେ ପଡି, ସଡ଼କ ଦୁର୍ଘଟଣା, ଟ୍ରେନ୍ ଧକ୍କା, ହାତୀ ହାତୀ ମଧ୍ୟରେ ଲଢେଇରେ ମୃତ୍ୟୁ ହୋଇଛି। ମୃତ ହାତୀଙ୍କ ମଧ୍ୟରେ ରହିଛନ୍ତି ୧୨ଟି ଛୁଆ ହାତୀ।

Scroll.in

ଗତ ୩ ବର୍ଷରେ ହିନ୍ଦୋଳ ରେଞ୍ଜରେ ସର୍ବାଧିକ ୧୪ଟି ହାତୀର ମୃତ୍ୟୁ ହୋଇଥିବା ବେଳେ କପିଳାସ ରେଞ୍ଜରେ ୬ଟି, ଢେଙ୍କାନାଳରେ ୬, ମହାବିରୋଡ଼ରେ ୫ଟି, ଷଡ଼ଙ୍ଗୀରେ ୪ଟି , କାମାକ୍ଷାନଗରରେ ୩ଟି ହାତୀଙ୍କ ମୃତ୍ୟୁ ହୋଇଛି। ଗତ ୧ ତାରିଖ ରାତିରେ ସାତକୋଶିଆ ଅଭୟାରଣ୍ୟରୁ ଚିକିତ୍ସା ପାଇଁ କପିଳାସକୁ ଅଣାଯାଇଥିବା ଗୋଟିଏ ହାତୀଛୁଆର ଗତ ୩ ତାରିଖ ସଂଧ୍ୟାରେ ମୃତ୍ୟୁ ହୋଇଯାଇଥିଲା। ହାତୀଛୁଆର ସଂପୂର୍ଣ୍ଣ ଶରୀର ସେପ୍ଟିସେମିଆରେ ସଂକ୍ରମିତ ହୋଇଯିବାରୁ ତା’ର ମୃତ୍ୟୁ ହୋଇଥିବା ବନ ବିଭାଗ ସୂଚନା ଦେଇଥିଲା। ହିନ୍ଦୋଳ ରେଞ୍ଜ ଅସରଡ଼ା ଗାଁ ନିକଟରେ ବାର୍‌ହା ଶିକାର ପାଇଁ ଶିକାରୀମାନେ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗତ ୬ ତାରିଖରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିଲା। ଦୁଇ ଦିନ ମଧ୍ୟରେ ଦୁଇଟି ହାତୀଙ୍କ ମୃତ୍ୟୁ ହେବା ଘଟଣା ବନ ବିଭାଗର ମୁଣ୍ତବ୍ୟଥା ପାଲଟିଥିବା ବେଳେ ପରିବେଶବିତ୍‌ମାନଙ୍କରେ ଆଲୋଡ଼ନ ସୃଷ୍ଟି କରିଛି। ହାତୀମୃତ୍ୟୁ ରୋକିବା ନିମେନ୍ତ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ଏଥିପାଇଁ ମୁଖ୍ୟ ଦାୟିତ୍ବରେ ଥିବା ବନ ବିଭାଗ ମଧ୍ୟ ଉଦ୍ୟମ କରୁଛନ୍ତି। ସେହି ଅନୁଯାୟୀ, ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହାରାଞ୍ଚଳ ପର୍ଯ୍ୟନ୍ତ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଏହା ପରେ ମଧ୍ୟ ଗୋଟିଏ ପରେ ଗୋଟିଏ ହାତୀ ମରିବାର କାରଣଗୁଡିକ ସଂପର୍କରେ ସଠିକ୍ ତଥ୍ୟ ଖୋଜାଯାଇପାରୁ ନଥିବାରୁ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

 

 

ସମ୍ବନ୍ଧିତ ଖବର